ଆତଙ୍କୀ ହମଲାରେ ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଦେବାଶିଷଙ୍କ ଘରକୁ ଭାରତୀୟ ସେନା ମୁଖ୍ୟାଳୟରୁ ଫୋନ୍ ଯୋଗେ ଏହି ସୂଚନା ଦିଆଯାଇଛି।

ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ (ଫାଇଲ ଫଟୋ)

  • Published: Thursday, 20 April 2023
  • , Updated: 21 April 2023, 10:39 AM IST

ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ସହିଦ ହୋଇଥିବା ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ।

ଦେବାଶିଷଙ୍କ ଘରକୁ ଭାରତୀୟ ସେନା ମୁଖ୍ୟାଳୟରୁ ଫୋନ୍ ଯୋଗେ ଏହି ସୂଚନା ଦିଆଯାଇଛି। ଏହି ଖବର ପ୍ରଚାର ହେବା ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇ‍ଫଲ୍ସରେ ନିଯୁକ୍ତି ପାଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ ଓ ମା’ ହେଉଛନ୍ତି ମମତା ବିଶ୍ୱାଳ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ବିବାହ କରିଥିଲେ। ୨୦୨୩ ଅକ୍ଷୟ ତୃତୀୟାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଦେବାଶିଷ ଦେଶ ପାଇଁ ବଳିଦାନ ଦେଇଛନ୍ତି।

ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ସେ ବିବାହ କରିଥିଲେ। ମାତ୍ର ୭ ମାସ ତଳେ ଦେବାଶିଷ କନ୍ୟା ସନ୍ତାନର ବାପା ହେବାର ଗୌରବ ପାଇଥିଲେ। କିନ୍ତୁ ଏହି ସୁଖର ସଂସାର ଆଜି ଆତଙ୍କୀ ହମଲାରେ ଉଜୁଡ଼ି ଯାଇଛି।

ଆଜି ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍‌ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍‌ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ହମଲା ପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କୁ ଟାର୍ଗେଟ କରି ହିଁ ଏପରି ହମଲା ହୋଇଛି। 

ପ୍ରଥମେ ଟ୍ରକ୍‌ରେ ଆପେଆପେ ନିଆଁ ଲାଗି ଯାଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆତଙ୍କୀ ହମଲା ଯୋଗୁ ଏପରି ଘଟିଥିଲା ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମେ’ ମାସରେ ଶ୍ରୀନଗରରେ ଜି-୨୦ ଅଧୀନରେ ଟୁରିଜିମ ୱାର୍କିଂ ଗ୍ରୁପ୍‌ର ବୈଠକ ହେବ। ଏହାପୂର୍ବରୁ ଏପରି ଆତଙ୍କୀ ହମଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳଙ୍କ ମୃତ୍ୟୁରେ ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି।  ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

 

Related story