Advertisment

ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!

ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।

author-image
Hemant Lenka
Exam

Exam

ଅଭିନେତାରୁ ନେତା ବନିଥିବା ପବନ କଲ୍ୟାଣ ଏବେ ଚର୍ଚ୍ଚାରେ। ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି। ପବନ କଲ୍ୟାଣ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଭିଭିଆଇପି ସୁବିଧା ମିଳୁଛି। ଏହି ଭିଭିଆଇପି ସୁବିଧା ଯୋଗୁ ୨୦ରୁ ଅଧିକ ଶିକ୍ଷାର୍ଥୀ JEE(ମେନ୍ସ) ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ କନଭୟ ଯୋଗୁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ଏଥିପାଇଁ ୨୦ରୁ ଅଧିକ ଶିକ୍ଷାର୍ଥୀ JEE(ମେନ୍ସ) ଦେବାବାକୁ ସକ୍ଷମ ହୋଇ ନଥିବା ରିପୋର୍ଟ ପ୍ରକାଶ ପାଇଛି। 

Advertisment

ପୂରା ଘଟଣା ବିଶାଖାପଟନମର ପେଣ୍ଡୁର୍ଥୀ ସ୍ଥିତ ଡିଜିଟାଲ ପରୀକ୍ଷା କେନ୍ଦ୍ରରେ ଘଟିଛି। ୨୩ ଜଣ ଜେଇଇ ଆଶାୟୀଙ୍କ ପରିବାର ଲୋକ ପରୀକ୍ଷା କେନ୍ଦ୍ର ବାହାରେ ଛିଡ଼ା ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ସାମାନ୍ୟ ବିଳମ୍ବରେ ପହଞ୍ଚିବାରୁ ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା। ଏଥିଯୋଗୁ ସେମାନେ ନାରାବାଜୀ କରିଛନ୍ତି। ଜଣେ ଅଭିଭାବକ କହିଛନ୍ତି, “ମାସ ମାସ ଧରି ଆମ ପିଲାମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଏପରି ଘଟଣା ପାଇଁ ସେମାନେ ପରୀକ୍ଷା ଦେବାକୁ ବଞ୍ଚିତ ହେବା ଆଦୌ ଗ୍ରହଣୀୟ ନୁହେଁ।”

ଏହି ଘଟଣା ପରେ ସୋଶାଲ ମିଡିଆରେ ଭିଡିଓ ଓ ମେସେଜର ଝଡ଼ ଦେବାକୁ ମିଳିଛି। ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ କନଭୟ ଯିବାକୁ ଥିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ କରାଯାଇଥିଲା। ଏଥିଯୋଗୁ ଆଇଓଏନ ଡିଜିଟାଲ ଜୋନକୁ ଯିବାକୁ ଥିବା ପିଲାମାନେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିଥିଲେ ବୋଲି ସୋଶାଲ ମିଡିଆରେ ଦାବି କରାଯାଇଛି। 

Advertisment

ବିବାଦ ବଢ଼ୁଥିବାରୁ ଏହା ଉପରେ ବିଶାଖାପଟନମ ସିଟି ପୁଲିସ୍‌ ସ୍ପଷ୍ଟୀକରଣ ରଖିଛି। ଏଥିସହ JEE(ମେନ୍ସ) ଆଶାୟୀଙ୍କ ଦାବିକୁ ଖଣ୍ଡନ କରାଯାଇଛି। ପୁଲିସ କହିଛି ଯେ ପରୀକ୍ଷାର ଗାଇଡଲାଇନ ଅନୁସାରେ ପିଲାମାନଙ୍କୁ ସକାଳ ୭ଟା ସୁଦ୍ଧା ରିପୋର୍ଟିଂ କରିବାକୁ ପଡ଼ିଥାଏ। କାରଣ ପରୀକ୍ଷା କେନ୍ଦ୍ରର ଗେଟ ଠିକ ୮ଟାରେ ବନ୍ଦ ହୁଏ। ଉପ ମୁଖ୍ୟମନ୍ତ୍ରୀଙ୍କ କନଭୟ ଉକ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସମୟ ସକାଳ ୮.୪୧ ହୋଇଥିଲା। ତେଣୁ ପିଲାମାନେ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହ ଉପ ମୁଖ୍ୟମନ୍ତ୍ରୀଙ୍କ କନଭୟର କୌଣସି ଲିଙ୍କ ନାହିଁ।

ବିଆରଟିଏସ୍‌ ରୋଡରେ ସକାଳ ୮.୩୦ ପୂର୍ବରୁ କୌଣସି ଟ୍ରାଫିକ ବ୍ଲକ କରାଯାଇ ନଥିଲା। ପରୀକ୍ଷା କେନ୍ଦ୍ରକୁ ପିଲାମାନେ କେମିତି ଠିକ ସମୟରେ ପହଞ୍ଚି ପାରିବେ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ପୁଲିସ୍‌ କହିଛି।

ଉପ ମୁଖ୍ୟମନ୍ତ୍ରୀଙ୍କ ଅଫିସ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି। ଏଥିସହ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଫିସ ପକ୍ଷରୁ କୁହାଯାଇଛି ଯେ “ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେମିତି ସାଧାରଣ ଲୋକ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ତା’କୁ ନିଶ୍ଚିତ କରିବାକୁ ସେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଆମେ ନିୟମିତ ଭାବେ ଅଧିକାରୀମାନଙ୍କୁ ଟ୍ରାଫିକ କଟକଣା ଉପରେ ନଜର ରଖିବାକୁ କହିଛୁ।

ସମାନ ନିୟମ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମଧ୍ୟ ଅନୁସରଣ କରାଯାଇଥିଲା। ଉପ ମୁଖ୍ୟମନ୍ତ୍ରୀଙ୍କ କନଭୟ ଯୋଗୁ କେତେ ସମୟ ଟ୍ରାଫିକ କଟକଣା ଲାଗୁ ହୋଇଥିଲା, ତା’ର ତଦନ୍ତ ବିଶାଖାପଟନମ ପୁଲିସ୍‌ କରିବ। ଶିକ୍ଷାର୍ଥୀଙ୍କ ଯିବା ପାଇଁ ଟ୍ରାଫିକ ସ୍ଥିତି କେମିତି ଥିଲା, ତା’ର ରିପୋର୍ଟ ପୁଲିସ୍‌ ଦେବ।”

Andhra Pradesh JEE Pawan Kalyan