Advertisment

‘ଆଦାନୀ ଲିଙ୍କ ଫାର୍ମ’ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଜନସନଙ୍କ ଭାଇ

ଆଦାନୀ ଗ୍ରୁପ୍‌ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

author-image
Hemant Lenka
Johnson

Johnson

ହିଣ୍ଡେନବର୍ଗ ରିପୋର୍ଟ ପରେ ସମ୍ପତ୍ତି ହରାଇ ଚାଲିଥିବା ଆଦାନୀ ଗ୍ରୁପ୍‌ର ଚିନ୍ତା ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଆଦାନୀ ଗ୍ରୁପ୍‌ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନୀର ଶେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଲୋକଙ୍କ ଭରସା ମଧ୍ୟ ତୁଟିବା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାର ୧୬ତମ ସ୍ଥାନକୁ ଖସି ସାରିଲେଣି।

Advertisment

ଏହାକୁ ନେଇ ହଇଚଇ ଲାଗି ରହିଥିବା ବେଳେ ଗ୍ରୁପ୍‌କୁ ଆଉ ଏକ ଝଟକା ଲାଗିଛି। ଆଦାନୀ ଗ୍ରୁପ୍‌ ସହ ମିଶି ଚାଲିଥିବା ଗୋଟିଏ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାଇ ଲର୍ଡ ଜୋ ଜନସନ। ସେ ଆଦାନୀ ଇଣ୍ଟରପ୍ରାଇଜେସ୍‌ର ସହ ମିଶି କାମ କରୁଥିବା ଲଣ୍ଡନ ଭିତ୍ତିକ ଗୋଟିଏ ଇନଭେଷ୍ଟମେଣ୍ଟ ଫାର୍ମର ନିର୍ଦ୍ଦେଶକ ଥିଲେ। କିନ୍ତୁ ଆଦାନୀ ଗ୍ରୁପ୍‌ର ବିଶ୍ୱସନୀୟତା ହ୍ରାସ ପାଉଥିବାରୁ ଜୁନିୟର ଜନସନ ଉକ୍ତ ଇନଭେଷ୍ଟମେଣ୍ଟ କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଛାଡ଼ି ଦେଇଛନ୍ତି।

ଶେୟାର ମୂଲ୍ୟ ହ୍ରାସ ପାଉଥିବାରୁ ଗୁରୁବାର ଆଦାନୀ ଗ୍ରୁପ୍‌ ଫଲୋଅନ ପବ୍ଲିକ ଅଫର ବା ଇପିଓ ପ୍ରତ୍ୟାହାର କରିଥିଲା। ଏହାପରେ ଜନସନଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି। ଗତବର୍ଷ ଜୁନ ମାସରେ ୫୧ ବର୍ଷୀୟ ଜୋ ଜନସନ ଲଣ୍ଡନ ଭିତ୍ତିକ କମ୍ପାନୀ ଇଲାରା କ୍ୟାପିଟାଲ ପିଏଲସିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ହେଲେ ବର୍ଷେ ନ ପୁରୁଣୁ ସେ ପଦ ଛାଡ଼ି ଦେଇଛନ୍ତି।

Advertisment

ଇଲାରା କ୍ୟାପିଟାଲ ମାର୍କେଟ ବ୍ୟବସାୟ କରିଥାଏ ଓ ଭାରତୀୟ କର୍ପୋରେଟଗୁଡ଼ିକ ପାଇଁ ପୁଞ୍ଜି ନିବେଶର ବ୍ୟବସ୍ଥା କରିଥାଏ। ଜୋ ଜନସନ ଇସ୍ତଫାର କାରଣ କହି ନଥିଲେ ମଧ୍ୟ କମ୍ପାନୀ ଭଲ ସ୍ଥିତିରେ ରହିଥିବା ସମସ୍ତଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଛନ୍ତି।

ହିଡେନବର୍ଗ ଜାନୁଆରୀ ୨୪ରେ ପ୍ରକାଶିତ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପ୍ ଷ୍ଟକ୍ ମ୍ୟାନିପୁଲେଟ୍ କରିଛି। ମ୍ୟାନିପୁଲେଟ୍ କରି କମ୍ପାନୀ ନିଜର ଆୟ ବୃଦ୍ଧି କରିବା ସହ ଋଣ ହାସଲ କରିବାକୁ ସକ୍ଷମ ହୋଇଛି। ଏହି ପ୍ରକ୍ରିୟା ଦୀର୍ଘଦିନ ଧରି ଚାଲି ଆସିଛି।

ଆଦାନୀ ଗ୍ରୁପ୍‌ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ ଆଦାନୀ ଗ୍ରୁପ୍‌ ବିଭ୍ରାନ୍ତୀକର କହିଥିଲେ ମଧ୍ୟ ଏହାର ଶେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

Gautam Adani