Advertisment

ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା: ସାମ୍ବାଦିକ ମୁକେଶଙ୍କ ଏଭଳି ହୋଇଥିଲା ବୀଭତ୍ସ ହତ୍ୟା

ପୋଷ୍ଟମର୍ଟମ ରିପୋର୍ଟରୁ ଏଭଳି କିଛି ଛାତି ଥରା କଥା ସାମ୍ନାକୁ ଆସିଛି। ମୁକେଶ ଚନ୍ଦ୍ରକାରଙ୍କ ମୃତଦେହର ଯେଉଁ ଡାକ୍ତର ବ୍ୟବଚ୍ଛେଦ କରିଥିଲେ ସେ ତାଙ୍କର ମୃତ୍ୟୁ କିଭଳି ହୋଇଥିଲା ତାହା ବଖାଣିଛନ୍ତି।

author-image
Madhupriya Mistry
Mukesh Chandrakar

Mukesh Chandrakar

କ୍ରୁରତାର ସବୁ ସୀମା ଟପିଥିଲା। ମୁଣ୍ଡରେ ଲାଗିଥିବା ୧୫ ଆଘାତ ଚିହ୍ନ। ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା। କେବଳ ସେତିକି ନୁହେଁ ବେକ ହାଡ଼ ବି ଭାଙ୍ଗି ଚୁରମାର ହୋଇଥିଲା। ଛତିଶଗଡ଼ର ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ କରାଯାଇଥିଲା ଏଭଳି କିଛି ବିଭତ୍ସ ହତ୍ୟା।

Advertisment

ପୋଷ୍ଟମର୍ଟମ ରିପୋର୍ଟରୁ ଏଭଳି କିଛି ଛାତି ଥରା କଥା ସାମ୍ନାକୁ ଆସିଛି। ମୁକେଶ ଚନ୍ଦ୍ରକାରଙ୍କ ମୃତଦେହର ଯେଉଁ ଡାକ୍ତର ବ୍ୟବଚ୍ଛେଦ କରିଥିଲେ ସେ ତାଙ୍କର ମୃତ୍ୟୁ କିଭଳି ହୋଇଥିଲା ତାହା ବଖାଣିଛନ୍ତି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ନିର୍ଦ୍ଦୟ ଭାବରେ ହତ୍ୟା କରାଯିବା ଘଟଣା କେବେ ଦେଖି ନାହାନ୍ତି। ସାମ୍ବାଦିକଙ୍କୁ ଦୁଇ କିମ୍ବା ତା'ଠାରୁ ଅଧିକ ଆକ୍ରମଣକାରୀ ହତ୍ୟା କରିଥିବା ସେ ଦାବି କରିଛନ୍ତି।

ସେପଟେ ପୁଲିସ ମୁକେଶ ଚନ୍ଦ୍ରକାରଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରଙ୍କୁ ଗିରଫ କିରିଛି। ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ଏସ୍‌ଆଇଟି ତାଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ସମ୍ପର୍କରେ ବସ୍ତର ପୁଲିସ ସୂଚନା ଦେଇଛି। ଗିରଫ ପରେ ପୁଲିସ ସୁରେଶ ଚନ୍ଦ୍ରକାରଙ୍କୁ ବିଜାପୁରକୁ ନେଇଛି। ଏଠାରେ ତାଙ୍କୁ ପଚରାଉଚରା କରାଯିବ। ସାମ୍ବାଦିକଙ୍କ ହତ୍ୟା ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା।

Advertisment

ଏହି ମାମଲାରେ ପୂର୍ବରୁ ସୁରେଶ ଚନ୍ଦ୍ରକରଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରକର ଏବଂ ଦୀନେଶ ଚନ୍ଦ୍ରକର ଏବଂ ସୁପରଭାଇଜର ମହେନ୍ଦ୍ର ରାମଟେକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ପୁଲିସର ସୂଚନାନୁସାରେ, ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକର ଜାନୁଆରୀ ୧ରୁ ନିଖୋଜ ହୋଇଯାଇଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଜାନୁୟାରୀ ୩ରେ ତାଙ୍କ ମୃତଦେହ ବିଜାପୁର ସହରର ଚୈତନ୍ୟ କଲୋନୀରେ ଥିବା କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ସେପ୍ଟିକ୍ ଟ୍ୟାଙ୍କରୁ ମିଳିଥିଲା।

ନିକଟରେ ବସ୍ତର ଅଞ୍ଚଳରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ ସାମ୍ବାଦିକ ମୁକେଶ। ଏହି ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।ଏଥିରେ କେମିତି ଦୁର୍ନୀତି ହୋଇଛି, ସେ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ତାଙ୍କ ଉପରେ ରାଗ ରଖିଥିଲେ ରାସ୍ତା ତିଆରି କରିଥିବା ଠିକାଦାର ଓ ଏଥିରେ ସଂପୃକ୍ତ ଅନ୍ୟ ଲୋକ। 

Chhattisgarh Journalist Murder Case Journalist Mukesh Chandrakar