Advertisment

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ

ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।

author-image
Debadatta Aryashrestha
One Nation One Election

One Nation One Election

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବିଲ୍ ଏଥର ସଂସଦର ଶୀତକାଳିନ ଅଧିବେଶନରେ ଆସିଥିଲା। ଶାସକ ଓ ବିରୋଧୀ ଦଳ ଭିତରେ ହଙ୍ଗାମା ମଧ୍ୟରେ ଏହି ବିଲ୍ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ପଠାଇ ଦିଆଯାଇଥିଲା। ତେବେ ଏହି ଯୁଗ୍ମ ସଂସଦୀୟ କମିଟିକୁ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇଯାଇଛି। ପୂର୍ବତନ ଆଇନ ମନ୍ତ୍ରୀ ପ୍ରେମ ପ୍ରକାଶ ଚୌଧୁରୀ ଏହି କମିଟିର ଅଧ୍ୟକ୍ଷତା କରିବେ। ପ୍ରଥମେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୩୧ ଜଣ ସଦସ୍ୟଙ୍କୁ ଏହି କମିଟିରେ ରଖାଯାଇଥିଲା। ଏବେ ଏହି କମିଟିକୁ ବଢ଼ାଇ ୩୯ ସଦସ୍ୟ ବିଶିଷ୍ଟ କରିଦିଆଯାଇଛି।

Advertisment

ଏହି ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷତା କରୁଥିବା ପିପି ଚୌଧୁରୀ ହେଉଛନ୍ତି ରାଜସ୍ଥାନ ପାଲିରୁ ଲୋକସଭାକୁ ତୃତୀୟ ଥର ପାଇଁ ନିର୍ବାଚିତ ସାଂସଦ। ସୁପ୍ରିମକୋର୍ଟ ଆଇନଦୀବୀ ଭାବେ ଚୌଧୁରୀଙ୍କ ପାଖରେ ଦୀର୍ଘ ୪୫ ବର୍ଷର ଅଭିଜ୍ଞତା ରହିଛି। ସେ ପୂର୍ବରୁ ମଧ୍ୟ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷତା କରିଛନ୍ତି। ତେବେ ଏହି କମିଟିରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ମୋଟ ୩୯ଜଣ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଥିବାବେଳେ ଶାସକ ମେଣ୍ଟ ଏନଡିଏରୁ ୨୨ଜଣ ସଦସ୍ୟ ଓ ୧୫ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ଏଥିରେ ରଖାଯାଇଛି। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ନେଇ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲକୁ ଉଭୟ ଗୃହରେ ଆଗତ କରିଥିଲେ।

ଏହି ବିଲକୁ ତର୍ଜମା କରିବା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିରେ ସ୍ଥାନୀତ ୩୯ ସଦସ୍ୟଙ୍କ ମଧ୍ୟରେ ବିଜେପିରୁ ସର୍ବାଧିକ ୧୬ ଜଣ ସାଂସଦ ସ୍ଥାନ ପାଇଛନ୍ତି। କଂଗ୍ରେସରୁ ୫ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଥିବାବେଳେ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଡିଏମକେରୁ ୨ଜଣ ଲେଖାଏଁ ସାସଂଦଙ୍କୁ ରଖାଯାଇଛି। ଶିବସେନା, ଟିଡିପି, ଡେଜିୟୁ, ଆରଏଲଡି, ଏଲଜେଏସପି, ଜେଏସପି, ଶିବସେନା (ୟୁବିଟି), ଏନସିପି(ଏସସିପି), ସିପିଏମ, ଆପ୍, ବିଜେଡି ଓ ୱାଇଏସଆରସିପିରୁ ଜଣେ ଲେଖାଏଁ ସାଂସଦଙ୍କୁ ଏହି କମିଟିରେ ରଖାଯାଇଛି।

Advertisment

ଏହି କମିଟିରେ ଓଡ଼ିଶାର ବିଜେଡି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ସ୍ଥାନ ପାଇଥିବାବେଳେ ବିଜେପିରୁ ବୈଜୟନ୍ତ ପଣ୍ଡା, ଭର୍ତ୍ତୃହରି ମହତାବ ଓ ସମ୍ବିତ ପାତ୍ର ସ୍ଥାନ ପାଇଛନ୍ତି।

Bjp One Nation One Election Joint Parliamentary Committee