Advertisment

ଶର୍ଜିଲ ଇମାମଙ୍କୁ ଜାମିନ ଦେଇଥିବା ଜଜ୍‌ ଜାମିଆ ଶୁଣାଣିରୁ ଓହରିଲେ

ଆଡିସିନାଲ ସେସନ୍ସ ଜଜ୍ ଅରୁଣ ବର୍ମା ୨୦୧୯ ଡିସେମ୍ବର ମାସରେ ଜାମିଆ ନଗରରେ ଦେଖାଯାଇଥିବା ହିଂସା ମାମଲାର ଶୁଣାଣି କରୁଥିଲେ।

author-image
Hemant Lenka
Jamia

Jamia

ଛାତ୍ର ନେତା ଶର୍ଜିଲ ଇମାମ ଓ ଆସିଫ ଇକବାଲ ତନହାଙ୍କ ସମେତ ୧୧ ଜଣଙ୍କୁ ଜାମିନ ଦେଇଥିବା ଦିଲ୍ଲୀ କୋର୍ଟ ବିଚାରପତି ହଠାତ୍‌ ବଡ଼ ପଦକ୍ଷେପ ନେଇଛନ୍ତି। ୨୦୧୯ ଜାମିଆ ନଗର ହିଂସା ଘଟଣାରେ ବିଚାରପତି ଜଣଙ୍କ ଶର୍ଜିଲ ଓ ଅନ୍ୟମାନଙ୍କୁ ଜାମିନ ଦେଇଥିଲେ। ଏବେ ସମାନ ଜାମିଆ ହିଂସା ସହ ଜଡ଼ିତ ଆଉ ଏକ ମାମଲାର ଶୁଣାଣିରୁ ବିଚାରପତି ଜଣଙ୍କ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Advertisment

ଆଡିସିନାଲ ସେସନ୍ସ ଜଜ୍ ଅରୁଣ ବର୍ମା ୨୦୧୯ ଡିସେମ୍ବର ମାସରେ ଜାମିଆ ନଗରରେ ଦେଖାଯାଇଥିବା ହିଂସା ମାମଲାର ଶୁଣାଣି କରୁଥିଲେ। ଏହି ମାମଲାରେ ଇକବାଲଙ୍କ ସମେତ ଆଉ କିଛି ଯୁବକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ଆଜି ଶୁଣାଣି ବେଳେ ବିଚାରପତି କହିଛନ୍ତି, “ବ୍ୟକ୍ତିଗତ କାରଣରୁ ଶୁଣାଣିରୁ ନିଜକୁ ପ୍ରତ୍ୟାହାର କରୁଛି। ଏବେ ଏହି ମାମଲାକୁ ପ୍ରିନ୍ସିପାଲ ଜିଲ୍ଲା ଓ ସେସନ୍ସ ଜଜଙ୍କ ନିକଟରେ ଉପସ୍ଥାପନ କରାଯିବ। ଫେବୃଆରୀ ୧୩ ତାରିଖ ଦିନ ୧୨ଟାରେ ମାମଲାକୁ ଉପସ୍ଥାପନ କରି ବଦଳି ପାଇଁ ଅନୁରୋଧ କରାଯିବ।”

Advertisment

ଗତ ଶନିବାର ଜାମିଆ ହିଂସା ଘଟଣାରେ ଶର୍ଜିଲ ଇମାମଙ୍କ ସହ ୧୧ ଜଣଙ୍କୁ ବିଚାରପତି ବର୍ମା ଜାମିନ ଦେଇଥିଲେ। ୨୦୨୦ ମସିହା ଜାନୁଆରୀ ୨୫ରେ ଶର୍ଜିଲଙ୍କ ନାଁରେ ଦେଶଦ୍ରୋହ ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ଦଫାରେ ଏଫଆଇଆର ରୁଜୁ କରାଯାଇଥିଲା। ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରି ଶର୍ଜିଲ ଇମାମଙ୍କୁ ଖୋଜିବାରେ ଲାଗିଥିଲା। ଶେଷରେ ୨୦୨୦ ମସିହା ଜାନୁଆରୀ ୨୮ରେ ତାଙ୍କୁ ବିହାରର ଜେହେନାବାଦ ଅଞ୍ଚଳକୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

୨୦୨୦ ଏପ୍ରିଲରେ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଦେଶଦ୍ରୋହର ଚାର୍ଜଫ୍ରେମ କରିଥିଲା। ତାଙ୍କ ଭାଷଣ ଯୋଗୁ ଜାମିଆ ମିଲିଆ ଇସଲାମିଆ ଅଞ୍ଚଳରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିବା ପୁଲିସ୍‌ କହିଥିଲା। ଦିଲ୍ଲୀ ପୁଲିସ୍ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଶର୍ଜିଲ ଇମାମ ଜାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ରେ ବିଦ୍ୱେଷ ସୃଷ୍ଟି କରିବା ଭଳି ଭାଷଣ ଦେଇଥିଲେ।

ଦିଲ୍ଲୀ ଦଙ୍ଗା ଘଟଣାରେ ତାଙ୍କ ଭୂମିକାର ମଧ୍ୟ ତଦନ୍ତ ହୋଇଥିଲା। ଏସବୁ ଭିତରେ ୨୦୨୧ ଅକ୍ଟୋବର ମାସରେ ଶର୍ଜିଲ ଜାମିନ ପାଇଁ ଆବେଦନ କରିଥିଲେ। ଏବେ ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

CAA