/odisha-reporter/media/post_attachments/uploadimage/library/16_9/16_9_0/IMAGE_1742806821.jpg)
Justice Varma
ବଢ଼ିଲା ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଅଡ଼ୁଆ। ତାଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ତତ୍କାଳ ଭାବେ ସମସ୍ତଙ୍କ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ହଟାଇ ଦେଇଛନ୍ତି। ନିଆଁ ଲିଭା କାମ ବେଳେ ଜଷ୍ଟିସ ବର୍ମାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିଲା। ଏହାକୁ ଅବିଶ୍ୱସନୀୟ ଓ ଗଭୀର ଷଡ଼ଯନ୍ତ୍ର କହି ଜଷ୍ଟିସ ବର୍ମା ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ ହେଁ ବିବାଦ ତାଙ୍କ ପିଛା ଛାଡ଼ି ନାହିଁ। ଆଜି ଏହି ବିବାଦୀୟ ଘଟଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ତାଙ୍କର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ପକ୍ଷରୁ ଜାରି ସର୍କ୍ୟୁଲାରରେ କୁହାଯାଇଛି, ନିକଟରେ ଘଟୁଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ତତ୍କାଳ ଭାବେ ହଟାଯାଉଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ।” କୋର୍ଟ ପକ୍ଷରୁ ଆଉ ଏକ ସର୍କ୍ୟୁଲାର ସୋମବାର ଠାରୁ ଜଷ୍ଟିସ ବର୍ମା ଶୁଣାଣି କରିବାକୁ ଥିବା ମାମଲାରୁ ତାଙ୍କ ନାଁକୁ କାଟି ଦିଆଯାଇଛି। ଅନ୍ୟ ଜଣେ ବିଚାରପତିଙ୍କୁ ତାଙ୍କ ସ୍ଥାନରେ ମାମଲାର ଶୁଣାଣି ପାଇଁ କୁହାଯାଇଛି।
ଜଷ୍ଟିସ ବର୍ମାଙ୍କ ଘରୁ ଅଘୋଷିତ ପୁଳାପୁଳା ନଗଦ ଟଙ୍କା ମିଳିବା ଘଟଣାକୁ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଗୁରୁତ୍ୱର ସହ ନେଇଥିଲେ। ସେ ଅସ୍ଥାୟୀ ଭାବେ ଜଷ୍ଟିସ ବର୍ମାଙ୍କୁ ନିଲମ୍ବିତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ବର୍ମାଙ୍କୁ ଆଜି ନ୍ୟାୟିକ କାର୍ଯ୍ୟରୁ ହଟାଇଛନ୍ତି।
ମାର୍ଚ୍ଚ ୧୪ରେ ଦିଲ୍ଲୀ ସ୍ଥିତ ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିବା ପରେ ଘରେ ଯାଞ୍ଚ କରିଥିଲେ। ଏହି ସମୟରେ ଜଷ୍ଟିସ ବର୍ମାଙ୍କ ଘରୁ ପୁଳାପୁଳା ନଗଦ ଟଙ୍କା ମିଳିଥିଲା। ବରିଷ୍ଠ ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ଖବର ମାର୍ଚ୍ଚ ୧୫ରେ ପ୍ରଧାନ ବିଚାରପତିଙ୍କ ପାଖରେ ପହଞ୍ଚିଥିଲା। ସିଜେଆଇ ତୁରନ୍ତ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ। ଏଥିସହ ଜଷ୍ଟିସ ଟଙ୍କା ମିଳିବା ଘଟଣାରେ ଜଷ୍ଟିସ ବର୍ମାଙ୍କୁ କାରଣ ଦର୍ଶାଇବାକୁ ମଧ୍ୟ କହିଥିଲେ।
ସୁପ୍ରିମକୋର୍ଟ ଶୁକ୍ରବାର କହିଥିଲେ ଯେ ସୂଚନା ମିଳିବା ପରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିଲେ। ମାର୍ଚ୍ଚ ୨୦ କଲେଜିୟମ ବୈଠକ ପୂର୍ବରୁ ମିଳିଥିବା ସମସ୍ତ ସୂଚନା ଦାଖଲ କରିଥିଲେ। ତେବେ ଅଗ୍ନିକାଣ୍ଡ ପରେ ଘର ଭିତରୁ ଅଧା ପୋଡ଼ା ନୋଟ ମିଳିବା ଘଟଣାକୁ ଜଷ୍ଟିସ ବର୍ମା ଖଣ୍ଡନ କରିଛନ୍ତି। ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ଚିଠି ଲେଖି ଅଭିଯୋଗ ଭିତ୍ତିହୀନ, ଅବିଶ୍ୱସନୀୟ ଓ ଗଭୀର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତଥାକଥିତ ନଗଦ ଟଙ୍କା ମିଳିବା ଘଟଣା ସହ ସେ କିମ୍ବା ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା ଜଷ୍ଟିସ ବର୍ମା ସଫେଇ ଦେଇଛନ୍ତି।
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କଲେଜିୟର ସମସ୍ତ ୫ ସଦସ୍ୟ ଜଷ୍ଟିସ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ଯୋଗୁ ନ୍ୟାୟପାଳିକା ସମ୍ମାନରେ ଆଞ୍ଚ ଆସିଛି। ଲୋକଙ୍କ ନ୍ୟାୟ ପାଇବା ଉପରେ ପ୍ରଶ୍ନ ଉଠିଛି। ତେଣୁ କଲେଜିୟମ ବୈଠକରେ ଜଷ୍ଟିସ ବର୍ମାଙ୍କୁ ଇସ୍ତଫା ଦେବାକୁ କୁହାଯିବା ସମ୍ପର୍କରେ ଆଲୋଚନା ହୋଇଛି।
କେମିତି ବିଦା ହୁଅନ୍ତି ବିଚାରପତି?
୧୯୯୯ରେ ସୁପ୍ରିମକୋର୍ଟ ସାମ୍ବିଧାନିକ କୋର୍ଟର ବିଚାରପତିଙ୍କ ବିରୋଧରେ ଆସୁଥିବା ଦୁର୍ନୀତି, ବେଆଇନ କାର୍ଯ୍ୟ ଓ ନ୍ୟାୟିକ ଅନିୟମିତତା ଭଳି ଅଭିଯୋଗକୁ କେମିତି ବିଚାର କରାଯିବା, ତା’ର ଗାଇଡଲାଇନ ଜାରି କରିଥିଲେ। ଗାଇଡଲାଇନରେ କୁହାଯାଇଛି ଯେ ଜଜଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ପ୍ରଧାନ ବିଚାରପତି ପ୍ରଥମେ ଅଭିଯୁକ୍ତଙ୍କ ଠାରୁ ଜବାବ ତଲବ କରିବେ। ଯଦି ସେ ଜବାବରେ ସନ୍ତୁଷ୍ଟି ହୋଇ ପାରିଲେ ନାହିଁ କିମ୍ବା ଅଭିଯୋଗର ତଦନ୍ତ ହେବା ଆବଶ୍ୟକ ବୋଲି ଅନୁଭବ କରିବେ, ତା’ହେଲେ ସେ ଆଭ୍ୟନ୍ତରୀଣ କମିଟି ଗଠନ କରିପାରିବେ।
ଏହି କମିଟରେ ଜଣେ ସୁପ୍ରିମକୋର୍ଟ ବିଚାରପତି ଓ ଦୁଇଟି ହାଇକୋର୍ଟର ମୁଖ୍ୟ ବିଚାରପତି ରହିବେ। କମିଟି ରିପୋର୍ଟ ଦେବା ପରେ ଏହାକୁ ଭଲ ଭାବେ ପ୍ରଧାନ ବିଚାରପତି ସମୀକ୍ଷା କରିବେ। ଯଦି ତ୍ରୁଟି ସାଂଘାତିକ ବୋଲି ପ୍ରଧାନ ବିଚାରପତି ଅନୁଭବ କରିବେ, ତା’ହଲେ ଅଭିଯୁକ୍ତ ଜଜଙ୍କୁ ଇସ୍ତଫା ଦେବାକୁ କହିପାରିବେ।
ଯଦି ଅଭିଯୁକ୍ତ ଜଜ ପରାମର୍ଶ ଅନୁସାରେ ନିଜ ଆଡ଼ୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ପ୍ରଧାନ ବିଚାରପତି ସରକାରଙ୍କୁ ଚିଠି ଲେଖି ଅଭିଯୁକ୍ତ ଜଜଙ୍କୁ ସଂସଦ ଦ୍ୱାରା ସମ୍ବିଧାନର ଧାରା ୧୨୪(୪) ଅଧୀନରେ ବରଖାସ୍ତ କରିବାକୁ କହିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
