/odisha-reporter/media/post_attachments/uploadimage/library/16_9/16_9_0/IMAGE_1748270187.jpg)
Jyoti Malhotra
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ହରିୟାଣାର ହିସାର ପୁଲିସ ଦ୍ୱାରା ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା (୩୩)ଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ୪ ଦିନର ପୁଲିସ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ହିସାର ପୁଲିସ୍ ଜ୍ୟୋତିଙ୍କୁ ଗିରଫ କରିବା ପରେ ପଚରାଉଚରା ପାଇଁ ପ୍ରଥମେ ୫ ଦିନିଆ ରିମାଣ୍ଡରେ ନେଇଥିଲେ। ରିମାଣ୍ଡ ଅବଧି ଶେଷ ହେବା ପରେ ମେ’ ୨୨ରେ ତାଙ୍କୁ କୋର୍ଟରେ ହାଜର କରିଥିଲା ପୁଲିସ୍। ଏହା ସହିତ ପୁଣି ଥରେ ଜ୍ୟୋତିଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଜ୍ୟୋତିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ। ସେହି ଅବଧି ଆଜି ଶେଷ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା।
ହିସାର ପୁଲିସ କହିବା ମୁତାବକ ଜ୍ୟୋତି ଭାରତୀୟ ସେନା ବା ପ୍ରତିରକ୍ଷା ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଇଥିବା ନେଇ କିଛି ପ୍ରମାଣ ମିଳିନାହିଁ। ତେବେ ପାକିସ୍ତାନୀ ଗୁଇନ୍ଦା ପାଇଁ କାମ କରୁଥିବା କିଛି ବ୍ୟକ୍ତିଙ୍କ ସହିତ ସେ ଯୋଗାଯୋଗରେ ରହିଥିଲେ।
ଜ୍ୟୋତି ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହିତ ଜ୍ୟୋତି ସଂପର୍କରେ ଥିଲେ ବୋଲି ଅଭିଯୋଗ ରହିଛି। ଡାନିଶ ୨୦୨୩ ନଭେମ୍ବରରୁ ଭାରତରେ ଥିବା ପାକିସ୍ତାନୀ ହାଇକମିଶନର କର୍ମଚାରୀ ଥିଲା। ମେ’ ୧୩ ତାରିଖରେ ଭାରତ ସରକାର ତାଙ୍କୁ ଦେଶରୁ ବାହାର କରି ଦେଇଥିଲେ। ଗୁଇନ୍ଦାଗିରି କାର୍ଯ୍ୟକଳାପରେ ଜଡ଼ିତ ଥିବାରୁ ଭାରତର ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ଗୁଜରାଟ ଆଦି ରାଜ୍ୟରୁ ଏଯାବତ ଜ୍ୟୋତିଙ୍କ ସମେତ ୧୨ ଜଣ ଗିରଫ ହୋଇସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
