/odisha-reporter/media/post_attachments/uploadimage/library/16_9/16_9_0/IMAGE_1748257902.jpg)
Jyoti Malhotra
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସଂପର୍କରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା। ପାକିସ୍ତାନର ଲାହୋର ସହରର ଅନାରକଲୀ ବଜାରରେ ବୁଲୁଥିବା ବେଳେ ତାଙ୍କୁ ସେଠାକାର ସରକାର ଯୋଗାଇ ଦେଇଥିଲେ କଡ଼ା ସୁରକ୍ଷା। ୬ ଜଣ ଏକେ-୪୭ ରାଇଫଲଧାରୀ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ। ଆଉ ଏ କଥା ସାମ୍ନାକୁ ଆସିଛି ସ୍କଟିଶ ୟୁଟ୍ୟୁବର କ୍ୟାଲମ ମିଲଙ୍କ ଏକ ୟୁଟ୍ୟୁବ ପୋଷ୍ଟରୁ। ଯେଉଁ ସମୟରେ ଜ୍ୟୋତି ସେଠାକୁ ଯାଇଥିଲେ ସେହି ସମୟରେ କ୍ୟାଲମ ମଧ୍ୟ ଯାଇଥିଲେ ଓ ଭିଡିଓ ଶୁଟ୍ କରୁଥିଲେ। ତେବେ ଜ୍ୟୋତି ତାଙ୍କ ଭଳି ଜଣେ ୟୁଟ୍ୟୁବର ହୋଇଥିଲେ ହେଁ ତାଙ୍କୁ ଏତେ ସୁରକ୍ଷା ଦିଆଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କ୍ୟାଲମ ମିଲ’ଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଅଛି। ତା’ର ନାଁ କ୍ୟାଲମ ଏବ୍ରୋଡ୍। ସେ ଗତ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତରେ ଯାଇଥିଲେ। ସେ ଲାହୋରର ଅନାରକଲୀ ବଜାରରେ ଶୁଟ୍ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ହାତରେ ବନ୍ଧୁକ ରହିଛି। ସେମାନେ ସମସ୍ତେ ଏକେ-୪୭ ଧରିଛନ୍ତି। ସେମାନଙ୍କ ଶାର୍ଟ ପଛରେ ଇଂରାଜୀରେ ‘ନୋ ଫିୟର’ ଲେଖା ହୋଇଛି। ଏହା ପରେ ଜ୍ୟୋତି ମାଲହୋତ୍ରାଙ୍କୁ ଦେଖିବାକୁ ମିଳିଛି। ସେ ମଧ୍ୟ ସେଠାରେ ବୁଲାବୁଲି କରିବା ସହିତ ଭିଡିଓ ଶୁଟ୍ କରୁଛନ୍ତି। ଜ୍ୟୋତି ଭିଡିଓ ଶୁଟ୍ କରୁଥିବା ଦେଖି କ୍ୟାଲମ ତାଙ୍କୁ ନିଜ ପରିଚୟ ଦେଇଛନ୍ତି। ସେ ଜଣେ ସ୍କଟିଶ ୟୁଟ୍ୟୁବର ବୋଲି କହିଛନ୍ତି। ଏହା ପରେ ଜ୍ୟୋତି ତାଙ୍କୁ ପଚାରିଛନ୍ତି ଯେ ସେ ପ୍ରଥମ ଥର ପାଇଁ ପାକିସ୍ତାନ ଆସିଛନ୍ତି କି? ଜବାବରେ କ୍ୟାଲମ କହିଛନ୍ତି ଯେ ଏହା ତାଙ୍କର ପଞ୍ଚମ ଗସ୍ତ। ଏହା ପରେ ଜ୍ୟୋତି ତାଙ୍କୁ ପଚାରିଛନ୍ତି ଯେ ସେ କେବେ ଭାରତ ଯାଇଛନ୍ତି ନା ନାହିଁ? ଏହା ସହିତ ସେ ଭାରତରୁ ଆସିଛନ୍ତି ବୋଲି କ୍ୟାଲମଙ୍କୁ କହିଛନ୍ତି। ଯେତେବେଳେ କ୍ୟାଲମ ତାଙ୍କୁ ପଚାରିଛନ୍ତି ଯେ ପାକିସ୍ତାନର ଆତିଥ୍ୟ କେମିତି ଲାଗୁଛି, ଜ୍ୟୋତି କହିଛନ୍ତି ଯେ ବହୁତ ଭଲ ଲାଗୁଛି।
ଏତିକି ବାର୍ତ୍ତାଳପ କରେ ଜ୍ୟୋତି ଆଗକୁ ଚାଲି ଯାଇଛନ୍ତି। ଟିକେ ପଛରେ ରହିଯାଇଥିବା କ୍ୟାଲମ ଖୁବ୍ ଅଳ୍ପ ସମୟ ପରେ ଅନୁଭବ କରିଛନ୍ତି ଯେ ସେହି ବନ୍ଧୁକଧାରୀମାନେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଛନ୍ତି। ଭିଡିଓରେ କ୍ୟାଲମ କହିଛନ୍ତି, ତାଙ୍କ (ଜ୍ୟୋତି) ସହିତ ଏହି ବନ୍ଧୁକଧାରୀମାନେ ଆସିଛନ୍ତି। ମୁଁ ଜାଣି ନାହିଁ କାହିଁକି ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି। ଦେଖନ୍ତୁ ସେହି ସମସ୍ତ ବନ୍ଧୁକଧାରୀମାନେ ତାଙ୍କୁ ଘେରି ରହିଛନ୍ତି। ୬ ଜଣ ବନ୍ଧୁକଧାରୀ ତାଙ୍କୁ ଘେରି ରହିଛନ୍ତି।
ସ୍କଟିଶ ୟୁଟ୍ୟୁବର କ୍ୟାଲମଙ୍କ ଭିଡିଓରେ ଆଉ କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେମାନେ ପର୍ଯ୍ୟଟକ ଭଳି ମନେ ହେଉଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜ୍ୟୋତିଙ୍କୁ ନେଇ ଉଠିଛି ଆହୁରି ଅନେକ ପ୍ରଶ୍ନ। ସ୍କଟିଶ ୟୁଟ୍ୟୁବର ଏକୁଟିଆ ବୁଲୁଥିବା ବେଳେ ଜ୍ୟୋତି ମାଲହୋତ୍ରାଙ୍କୁ କାହିଁକି ଏକେ-୪୭ ଧରି ୬ ଜଣ ଲୋକ ଜଗି ରହିଥିଲେ? ତାଙ୍କ ସହିତ ଥିବା ଅନ୍ୟ ଲୋକମାନେ କିଏ? ବନ୍ଧୁକଧାରୀମାନେ ୟୁନିଫର୍ମରେ ନଥିଲେ। ତେବେ ସୁରକ୍ଷାକର୍ମୀମାନେ ସାଦା ପୋଷାକରେ ଥିବା ଭଳି ମନେ ହେଉଛି।
ପାକିସ୍ତାନ ଗସ୍ତ ବେଳେ ଜ୍ୟୋତିଙ୍କୁ ଭଲ ସ୍ୱାଗତ ସମ୍ବର୍ଦ୍ଧନା ଓ ସୁବିଧା ମିଳୁଥିଲା ବୋଲି ଯାହା କୁହାଯାଉଥିଲା, ତାହା ସ୍କଟିଶ ୟୁଟ୍ୟୁବରଙ୍କ ଭିଡିଓ ଦେଖିଲେ ସତ ବୋଲି ଆହୁରି ଦୃଢ଼ ହେଉଛି। ତାଙ୍କୁ ହାଇ-ପ୍ରୋଫାଇଲ ପାର୍ଟିକୁ ଡକା ଯାଉଥିଲା। ସେଠାରେ ସେ ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ଭେଟୁଥିଲେ। ପୁଲିସର କହିବା ଅନୁଯାୟୀ, ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ସେମାନଙ୍କ ସହିତ ଯୋଗାଯୋଗରେ ରହିଥିଲେ ବୋଲି ଜେରା ବେଳେ କହିଛନ୍ତି। ଜ୍ୟୋତିଙ୍କ ଡିଜିଟାଲ ଡିଭାଇସଗୁଡ଼ିକର ଯାଞ୍ଚ ଚାଲିଛି। ସେ କେଉଁ ପ୍ରକାରର ସୂଚନା ପାକିସ୍ତାନକୁ ଦେଇଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।
ଜ୍ୟୋତି ମାଲହୋତ୍ରାଙ୍କ ଆର୍ଥିକ ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ସେ ପୂରା ଚାକଚକ୍ୟ ଜୀବନ ବଞ୍ଚୁଥିଲେ, ଯାହା ତାଙ୍କ ଆୟ ତୁଳନାରେ ବେଶ୍ ଅଧିକ ଥିଲା। ସେ ବିମାନରେ ସବୁ ବେଳେ ଫାଷ୍ଟକ୍ଲାସ ଟିକେଟ୍ରେ ଯାତ୍ରା କରୁଥିଲେ। ବଡ଼ ବଡ଼ ହୋଟେଲରେ ରହୁଥିଲେ। ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଖାଉଥିଲେ। ପୁଲିସ କହିଛି ଯେ ଏହା ଜଣାପଡ଼ୁଛି ଯେ ତାଙ୍କ ପାକିସ୍ତାନ ଗସ୍ତ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା। ପାକିସ୍ତାନରେ ତାଙ୍କୁ ଭିଆଇପି ଚର୍ଚ୍ଚା ମିଳିଥିଲା। ପାକିସ୍ତାନରୁ ଫେରିବାର ଅଳ୍ପ ଦିନ ପରେ ସେ ଚାଇନା ଯାଇଥିଲେ। ଚାଇନାରେ ମଧ୍ୟ ସେ ଦାମୀ କାରରେ ବୁଲାବୁଲି କରୁଥିଲେ। ଦାମୀ ଗହଣା ମିଳୁଥିବା ଦୋକାନଗୁଡ଼ିକୁ ମଧ୍ୟ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
