/odisha-reporter/media/post_attachments/uploadimage/library/16_9/16_9_0/Police_1725860947.jpg)
Police
ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଗତକାଲି ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛି। କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା କାଳିନ୍ଦୀ ଏକ୍ସପ୍ରେସ। ତେବେ ଏଥିରେ ଟ୍ରେନ୍ର ଅବା ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରୁଛି। କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଛି।
କାଳିନ୍ଦୀ ଏକ୍ସପ୍ରେସ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ହରିୟାଣାର ଭିୱାନୀ ଅଭିମୁଖେ ଯାଉଥିବା ବେଳେ ଶିବରାଜପୁର ଅତିକ୍ରମ କଲା ବେଳେ ରେଳ ଧାରଣା ଉପରେ ଏକ ଗ୍ୟାସ ସିଲିଣ୍ଡର ଥିବା ଲୋକୋ ପାଇଲଟ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବ୍ରେକ୍ ମାରିଥିଲେ। ତଥାପି ଅଟକିବା ପୂର୍ବରୁ ସିଲିଣ୍ଡରକୁ ଧକ୍କା ଦେଇଥିଲା ଟ୍ରେନ୍।
ଘଟଣା ସଂପର୍କରେ ଖବର ପାଇ କାନପୁର ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଣ୍ଟି-ଟେରୋରିଜିମ ସ୍କ୍ୱାଡ୍ (ATS) ସେଠାରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ଗ୍ୟାସ ସିଲିଣ୍ଡର ସହିତ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ଜବତ କରିଥିଲେ।
ଏହି ଘଟଣା ପରେ ଘଟଣାସ୍ଥଳରେ ପ୍ରାୟ ୨୦ ମିନିଟ ଧରି ଅଟକି ଥିଲା କାଳିନ୍ଦୀ ଏକ୍ସପ୍ରେସ। ଏହା ପରେ କାନପୁରର ବିଲହୌର ଷ୍ଟେସନରେ ଏହା ଅଟକି ଥିଲା। ସେଠାରେ କିଛି ସମୟ ଯାଞ୍ଚ କରାଯିବା ପରେ ଟ୍ରେନ୍ଟିକୁ ଆଗକୁ ବଢ଼ିବାକୁ ଅନୁମତି ମିଳିଥିଲା। ଏହି ଘଟଣାକୁ ନେଇ କାନପୁର ପୁଲିସ୍ ଏକ ମାମଲା ରୁଜୁ କରିଛି ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। କାନପୁର ପୁଲିସ ଘଟଣାର ତଦନ୍ତ କରିବା ପାଇଁ ୫ଟି ଟିମ୍ ଗଠନ କରିଛି।
ଗତମାସରେ କାନପୁରରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ବାରାଣସୀରୁ ସାବରମତୀ ଯିବା ବାଟରେ ଏହାର ୨୨ଟି କୋଚ୍ ଲାଇନଚ୍ୟୁତ୍ ହୋଇଥିଲା। ଏହି ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ରେଳ ଧାରଣାରେ ରଖାଯାଇଥିବା କୌଣସି ଏକ ଜିନିଷ ସହିତ ଟ୍ରେନ୍ର ଇଞ୍ଜିନ ପିଟି ହୋଇଯିବାରୁ ଏହି ଘଟଣା ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
