Advertisment

କଳିଯୁଗ: ଆବେଦନର ଶୁଣାଣି ବେଳେ କାହିଁକି ଏମିତି କହିଲେ କୋର୍ଟ?

ତଳ କୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନଥିଲା ଓ ୫ ହଜାର ଟଙ୍କା ରକ୍ଷାଣବେକ୍ଷଣ ପାଇଁ ଦେବା ଆଦୌ କଷ୍ଟକର ନୁହେଁ ବୋଲି କୋର୍ଟ ମତ ଦେଇ ଆବେଦନକୁ ଖାରଜ କରିଛନ୍ତି।

Court

Court

Advertisment

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି ବେଳେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତଳ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ୭୭ ବର୍ଷୀୟ ମା’ଙ୍କ ରକ୍ଷାଣବେକ୍ଷଣ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏ ଦେବାକୁ କହିଥିଲେ। ଏହାକୁ ବ୍ୟକ୍ତି ଜଣଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ଆବେଦନକୁ କଳିଯୁଗର ଉଦାହରଣ ବୋଲି ଜଷ୍ଟିସ ଯଶଗୁରପ୍ରୀତ ସିଂହ ପୁରୀ କହିଛନ୍ତି। ଏଥିସହ ସଙ୍ଗରୁର ପାରିବାରିକ କୋର୍ଟରେ ମା’ଙ୍କ ନାଁରେ ୫୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ବ୍ୟକ୍ତି ଜଣଙ୍କ ଟଙ୍କା ଜମା କରିବେ।

Advertisment

ତଳ କୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନଥିଲା ଓ ୫ ହଜାର ଟଙ୍କା ରକ୍ଷାଣବେକ୍ଷଣ ପାଇଁ ଦେବା ଆଦୌ କଷ୍ଟକର ନୁହେଁ ବୋଲି କୋର୍ଟ ମତ ଦେଇ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, “ଏହା କଳିଯୁଗର ଜ୍ୱଳନ୍ତ ଉଦାହରଣ। ଏହା କୋର୍ଟଙ୍କ ଆତ୍ମାକୁ ଦୋହଲାଇ ଦେଇଛି। ତଳ କୋର୍ଟ ପାରିତ କରିଥିବା ରାୟରେ କୌଣସି ତ୍ରୁଟି ନାହିଁ। ଏପରି କି କୋର୍ଟ ସବୁଠାରୁ କମ ପରିମାଣର ଅର୍ଥ ଦେବାକୁ କହିଛନ୍ତି। ମା’ ଜଣଙ୍କ ମଧ୍ୟ ରକ୍ଷାଣବେକ୍ଷଣ ଖର୍ଚ୍ଚକୁ ବୃଦ୍ଧି କରିବା ପାଇଁ କୌଣସି ଆବେଦନ କରି ନାହାନ୍ତି।”

୭୭ ବର୍ଷୀୟ ବୃଦ୍ଧାଙ୍କ ସ୍ୱାମୀ ୧୯୯୨ରେ ପ୍ରାଣ ହରାଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଛନ୍ତି। ଝିଅ ଜଣଙ୍କ ବିବାହିତ। ମହିଳାଙ୍କର ଆଉ ଜଣେ ପୁଅ ମଧ୍ୟ ଥିଲେ। କିନ୍ତୁ ସେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ସ୍ୱାମୀଙ୍କ ଦେହାନ୍ତ ପରେ ପ୍ରାୟ ୩୨ ଏକର ଜମି ତାଙ୍କର ପୁଅ ଓ ପ୍ରାଣ ହରାଇଥିବା ପୁଅର ପିଲାଙ୍କ ନାଁକୁ ଚାଲି ଯାଇଥିଲା। ୧୯୯୩ରେ ରକ୍ଷାଣବେକ୍ଷଣ ପାଇଁ ମହିଳାଙ୍କୁ ୧ ଲକ୍ଷ ଟଙ୍କା ମିଳିଥିଲା। ସେବେଠାରୁ ସେ ନିଜ ଘରେ ତାଙ୍କ ଝିଅଙ୍କ ସହ ରହୁଛନ୍ତି।

Advertisment

ନିଜର ଆବେଦନରେ ମହିଳାଙ୍କ ପୁଅ କହିଥିଲେ ଯେ ଯେହେତୁ ମା’ ତାଙ୍କ ସହ ରହୁନାହାନ୍ତି, ତେଣୁ ତଳ କୋର୍ଟ ରକ୍ଷାଣବେକ୍ଷଣ ପାଇଁ ଦେଇଥିବା ରାୟ ବୈଧ ନୁହେଁ। କିନ୍ତୁ ମହିଳାଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ତାଙ୍କ ପାଖରେ ଆୟର କୌଣସି ଉତ୍ସ ନାହିଁ। ଦୈନନ୍ଦିନ ଜୀବନ ନିର୍ବାହ କରିବାରେ ସେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମହିଳା ଜଣଙ୍କ ସଂପୂର୍ଣ୍ଣ ଭାବେ ତାଙ୍କ ଝିଅର ଦୟାରେ ବଞ୍ଚୁଛନ୍ତି।

ଏହା ଶୁଣିବା ପରେ ହାଇକୋର୍ଟ କହିଥିଲେ ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମା’ଙ୍କର କୌଣସି ଆୟର ଉତ୍ସ ନଥିବାରୁ ପୁଅର ଏପରି ଆବେଦନ କରିବାର କୌଣସି ବୈଧିତା ନାହିଁ। କୋର୍ଟ କହିଛନ୍ତି, “ନିଜ ମା’ ବିରୋଧରେ ପୁଅ ଆବେଦନ କରିବା କୋର୍ଟଙ୍କ ଆତ୍ମାକୁ ଦୋହଲାଇ ଦେଇଛି। ପୁଅ ବାପାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଛନ୍ତି। ୭୭ ବର୍ଷୀୟ ମା’ଙ୍କ ପାଖରେ ଆୟର ଉତ୍ସ ନାହିଁ। ସେ ନିଜର ବିବାହିତ ଝିଅଙ୍କ ଉପରେ ନର୍ଭର। ଝିଅ ଜଣଙ୍କ ବାହା ହୋଇ ମଧ୍ୟ ନିଜ ମା’ଙ୍କ ଘରେ ରହୁଛନ୍ତି। ଏପରି ସ୍ଥିତିରେ ପୁଅ ନିଜ ମା’ଙ୍କ ବିରୋଧରେ ଆବେଦନ କରିବା ଆଶ୍ଚର୍ଯ୍ୟ।”

Punjab Haryana High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe