Advertisment

ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼ ମାରିଲେ, ଭିଡିଓ ଭାଇରାଲ

ହ୍ନୈୟା କୁମାରଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ତାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ଓ ଗୋଇଠା ମାରିଥିଲେ।

author-image
Hemant Lenka
Kanhaiya Kumar

Kanhaiya Kumar

କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନୈୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନୈୟା ପ୍ରଚାର କରୁଥିବା ବେଳେ କିଛି ଯୁବକ ତାଙ୍କୁ ମାଡ଼ ମାରିଛନ୍ତି।

Advertisment

ସେମାନେ କହ୍ନୈୟା କୁମାରଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ତାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ଓ ଗୋଇଠା ମାରିଥିଲେ। ଏଥିସହ ସେମାନେ କାଳି ବି ଫିଙ୍ଗିଛନ୍ତି। ପୂରା ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ଆକ୍ରମଣକାରୀମାନେ ଆପ୍‌ର ସ୍ଥାନୀୟ କାଉନସିଲର ଚ୍ଛାୟା ଗୌରଭ ଶର୍ମାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଚ୍ଛାୟା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଦେହରେ ପକାଇଥିବା ଷ୍ଟଲକୁ ଆକ୍ରମଣକାରୀମାନେ ଭିଡ଼ି ନେଇଥିଲେ।

Advertisment

ଏହାପରେ ତାଙ୍କ ସ୍ୱାମୀଙ୍କୁ ଟେକି ନେଇ ଧମକ ଚମକ ଦେଇଥିଲେ। ସେମାନେ ମହିଳାମାନଙ୍କୁ ଟାର୍ଗେଟ କରି କାଳି ମାଡ଼ କରିଥିଲେ। ପୂରା ଘଟଣାରେ କହ୍ନୈୟାଙ୍କ ସମେତ ୩ରୁ ୪ ଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି।

ପୁଲିସ କହିଛି ଯେ କହ୍ନୈୟା କୁମାର କରତାର ନଗର ସ୍ଥିତ ଆପ୍‌ ଅଫିସରୁ ଚ୍ଛାୟା ଓ ସମର୍ଥକଙ୍କ ସହ ବାହାରୁ ଥିବା ବେଳେ ଆକ୍ରମଣ କରିଛନ୍ତି। ଉତ୍ତର ପୂର୍ବର ଡେପୁଟି କମିଶର କହିଛନ୍ତି, “ବୈଠକ ପରେ କହ୍ନୈୟା କୁମାରଙ୍କୁ ବିଦାୟ ଜଣାଇବାକୁ ଚ୍ଛାୟା ଅଫିସ ବାହାରକୁ ଆସିଥିଲେ। ଏତିକି ବେଳେ କିଛି ଯୁବକ କହ୍ନୈୟା କୁମାରଙ୍କ ପାଖକୁ ଆସି ପ୍ରଥମେ ଫୁଲ ମାଳ ପକାଇଥିଲେ।

ଏହାପରେ ତାଙ୍କ ଉପରକୁ କାଳି ମାଡ଼ କରି ଥିଲେ। ସେମାନେ ତାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରିବା ବେଳେ ଚ୍ଛାୟା ଏଥିରେ ହସ୍ତକ୍ଷେପ କରିଥିଲେ। ତେଣୁ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରି ଧମକ ଦେଇଥିଲେ।”

ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରୁଛନ୍ତି। ଜଣେ ଯୁବକ (ଆକ୍ରମଣକାରୀ)ଙ୍କୁ କହ୍ନୈୟାଙ୍କ ସମର୍ଥକମାନେ ମାଡ଼ ମାରୁଛନ୍ତି।

ସେହିପରି ଆଉ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦୁଇ ଜଣ ଯୁବକ ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଛନ୍ତି। ସେମାନେ ଭିଡିଓରେ କହିଛନ୍ତି ଯେ କହ୍ନୈୟା କୁମାର ଦେଶ ବିଭାଜନ କଥା କହିବା ସହ ଦେଶର ସେନା ବିରୋଧରେ ମତ ରଖୁଛନ୍ତି। ତେଣୁ ଆଜି ତାଙ୍କୁ ଆମେ ଚେତାବନୀ ଦେଇଛୁ। ଆମେ ଦେଶ ବିଭାଜନ କଥା କହୁଥିବା ଲୋକଙ୍କୁ ଦିଲ୍ଲୀରେ ପୂରାଇ ଦେବୁ ନାହିଁ।”

କହ୍ନୈୟା କୁମାର ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଲଢ଼େଇ ବିଜେପିର ମନୋଜ ତିୱାରୀଙ୍କ ସହ ହେଉଛି।

Congress Lok Sabha Election 2024 Kanhaiya Kumar