Advertisment

ମହିଳା ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ଏମଏଲସି ସି.ଟି ରବିଙ୍କୁ ଅନ୍ତରୀଣ ଜାମିନ

କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକରଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ବିଜେପି ଏମଏଲସି ସିଟି ରବିଙ୍କୁ ଗିରଫ କରିଥିଲା ପୁଲିସ। ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
CT Ravi gets bail

CT Ravi gets bail

କର୍ଣ୍ଣାଟକର ବିଜେପି ଏମଏଲସି ସିଟି ରବିଙ୍କୁ ମିଳିଛି ଅନ୍ତରୀଣ ଜାମିନ। କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସିଟି ରବିଙ୍କୁ ଗିରଫ କରାଯାଇଥିଲା। ଲକ୍ଷ୍ମୀ ହେବ୍ବଲକରଙ୍କୁ ନେଇ ସେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପରେ ତାଙ୍କୁ ମନ୍ତ୍ରୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ କୌଣସି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ସିଟି ସ୍କାନ କରିବାର ଆବଶ୍ୟକତା ଥିବା ଜଣେ ଡାକ୍ତର କହିଥିଲେ। ଯେଉଁଥିପାଇଁ ତାଙ୍କୁ ତତ୍କାଳ ଜାମିନ ମଂଜୁର କରାଯାଇଥିବା ହାଇକୋର୍ଟ କହିଛନ୍ତି।

Advertisment

ଜାମିନ ଆବେଦନର ଶୁଣାଣି ବେଳେ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଧାନ ପରିଷଦ ସଭାପତି ମଧ୍ୟ ରବିଙ୍କ ଦ୍ୱାରା ସେଭଳି କିଛି ଆପତ୍ତିଜନକ ଟିପ୍ପଣୀ କରାଯାଇନଥିବା କହିଛନ୍ତି ବୋଲି ଆବେଦନକାରୀ ଦାବି କରିଛନ୍ତି। ଯଦି ସେ ଏପରି କରିଥାଆନ୍ତି, ତେବେ ଏହା ଦୁର୍ଭାଗ୍ୟପୂର୍ଣ୍ଣ। ହେଲେ ପୁଲିସ ଆବେଦନକାରୀଙ୍କୁ ଏଭଳି ବ୍ୟବହାର କରି କୋର୍ଟରେ ହାଜର କରାଇବା ଉଚିତ ନୁହେଁ। ଆବେଦନକାରୀ ବିରୋଧୀ ଦଳର ଏମଏଲସି ଅଛନ୍ତି। ସେ ଜଣେ ଜନପ୍ରତିନିଧି ହୋଇଥିବାରୁ ତାଙ୍କର ଫେରାର ହୋଇଯିବାର ବି କୌଣସି ସମ୍ଭାବନା ନାହିଁ। ତେଣୁ ଏଭଳି ସ୍ଥିତିରେ ପୁଲିସକୁ ଉଚିତ ପ୍ରକ୍ରିୟା ପାଳନ କରିବାର ଆବଶ୍ୟକତା ଥିଲା।

ଅନ୍ୟପଟେ ସ୍ୱତନ୍ତ୍ର ଜନପ୍ରତିନିଧି କୋର୍ଟ ସିଟି ରବିଙ୍କ ଅନ୍ତରୀଣ ଜାମିନ ଆବେଦନର ରାୟ ଶନିବାର ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି। ତେବେ ସ୍ୱତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତି ଯାହା ବି ହେଉ, ହାଇକୋର୍ଟଙ୍କ ରାୟ ସର୍ବୋପରି। ତେଣୁ ସିଟି ରବିଙ୍କୁ ଏହା ଏକ ବଡ଼ ଆଶ୍ୱସ୍ତି। ସେପଟେ କର୍ଣ୍ଣାଟକ ସରକାର ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ସିଟି ରବି ଅଭିଯୋଗ କରିଛନ୍ତି। ଅନ୍ୟ ବିଜେପି ନେତା ଓ ନିଜେ ରବିଙ୍କ ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ତାଙ୍କୁ ଅନ୍ୟାୟପୂର୍ଣ୍ଣ ଭାବେ ବେଲଗାଭିସ୍ଥିତ ସ୍ୱର୍ଣ୍ଣ ବିଧାନ ସୌଧରୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ରାମଦୁର୍ଗ ଥାନାକୁ ନିଆଯାଇଥିଲା। ରବି ଅଭିଯୋଗ କରିଛନ୍ତି ଯେ ଗୁରୁବାର ସାରା ରାତି ତାଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲାଇଥିଲା ପୁଲିସ। ଶୁକ୍ରବାର ସକାଳେ ଏକ ହୋଟେଲରେ ତାଙ୍କୁ ନିତ୍ୟକର୍ମ ସାରିବାକୁ ଛଡ଼ାଗଲା। ଏହାପରେ ଦିନ ୧୦ଟା ବେଳେ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପ୍ରଥମେ ବେଲଗାଭିରେ ନିମ୍ନ ଅଦାଲତରେ ହାଜର କରାଯାଇ ପରେ ବେଙ୍ଗାଲୁରୁ ନିଆଯାଇଥିଲା। ଜଣେ ଜନପ୍ରତିନିଧିଙ୍କ ପ୍ରତି ପୁଲିସର ଏଭଳି ବ୍ୟବହାର ନିନ୍ଦନୀୟ ବୋଲି ବିଜେପି ଅଭିଯୋଗ କରିଛି।

Advertisment
Bjp Congress Karnataka News CT Ravi CT Ravi Gets Bail