Advertisment

ହଠାତ୍‌ ଚାଲିଗଲେ କଂଗ୍ରେସର ବରିଷ୍ଠ ନେତା ଆର ଧ୍ରୁବନାରାୟଣ

୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିବା ଧ୍ରୁବନାରାୟଣ ୨୦୧୯ରେ ହାରି ଯାଇଥିଲେ।

author-image
Hemant Lenka
 R Dhruvanarayan

R Dhruvanarayan

ଆଉ ନାହାନ୍ତି ବରିଷ୍ଠ ନେତା ତଥା କର୍ଣ୍ଣାଟକା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଆର ଧ୍ରୁବନାରାୟଣ। ଆଜି ସକାଳୁ ସେ ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ମହୀଶୂରର ଗୋଟିଏ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିବା ଧ୍ରୁବନାରାୟଣ ୨୦୧୯ରେ ହାରି ଯାଇଥିଲେ।

Advertisment

୨୦୦୪ରେ ସେ କର୍ଣ୍ଣାଟକା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ସେ ଜେଡିଏସ୍‌ ପ୍ରାର୍ଥୀଙ୍କୁ ହରାଇ ୨୦୦୪ରେ ଇତିହାସ ରଚିଥିଲେ। ଏହି ବରିଷ୍ଠ ନେତା ଜଣଙ୍କ ଆଜି ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସକାଳ ୬.୪୦ରେ ତାଙ୍କୁ ଡ୍ରାଇଭର ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ଅକାଳ ବିୟୋଗ ଯୋଗୁ କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଡିକେ ଶିବକୁମାରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବାକୁ ଥିବା ପ୍ରଜାଦୱାନି ଯାତ୍ରାକୁ ଆଜି ବାତିଲ କରି ଦିଆଯାଇଛି। ଏଥିସହ ବେଙ୍ଗାଲୁରୁରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଧ୍ରୁବନାରାୟଣଙ୍କ ପାଇଁ ଗୋଟିଏ ଶୋକସଭା ମଧ୍ୟ କରାଯାଇଛି।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଦଳର ଅନେକ ବରିଷ୍ଠ ନେତା ଧ୍ରୁବନାରାୟଣଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧି ନିଜର ଶୋକବାର୍ତ୍ତାରେ ଧ୍ରୁବନାରାୟଣ ଜଣେ କଠିନ ପରିଶ୍ରମୀ ଓ ନମ୍ର ଭାବେ ତୃଣମୂଳସ୍ତରରେ କାମ କରୁଥିବା ଜଣେ ରାଜନେତା ଥିଲେ ବୋଲି କହିଛନ୍ତି।

୧୯୬୧ ଜୁଲାଇ ୩୧ରେ ଜନ୍ମ ଗ୍ରହଣ କରିଥିବା ଧ୍ରୁବନାରାୟଣ ଛାତ୍ରାବସ୍ଥାରେ ହିଁ ରାଜନୀତିରେ ପାଦ ଦେଇଥିଲେ। ୧୯୮୩ ମସିହାରେ ସେ କଂଗ୍ରେସରେ ଯୋଗ ଦେବା ସହ ୧୯୮୪ରେ ବେଙ୍ଗାଲୁରୁର ହେବାଲରେ ଥିବା ଏଗ୍ରିକଲଚର କଲେଜର ଛାତ୍ର ସଭାପତି ହୋଇଥିଲେ। ସେହିବର୍ଷ ତାଙ୍କୁ ଏନଏସ୍‌ୟୁଆଇର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା।

୧୯୮୬ରେ ସେ କର୍ଣ୍ଣାଟକା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। କୋଭିଡ ୧୯ ବେଳେ କର୍ଣ୍ଣାଟକା ପିସିସି ପକ୍ଷରୁ ଗଠନ ହୋଇଥିବା ଅଭୟ ହସ୍ତା କମିଟର ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। କଂଗ୍ରେସ ପାଇଁ ଯୁବାବସ୍ଥାରୁ କାମ କରି ଆସୁଥିବା ଧ୍ରୁବନାରାୟଣ ଏବେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Congress Karnataka Rahul Gandhi