Advertisment

Karnataka Governor: ତାମିଲନାଡୁ ପରେ କର୍ଣ୍ଣାଟକା: ସରକାରୀ ଭାଷଣ ପଢ଼ିବାକୁ ମନା କରି ବିଧାନସଭା ଛାଡ଼ିଲେ ରାଜ୍ୟପାଳ

ରାଜ୍ୟପାଳ ବିଧାନସଭାରୁ ଚାଲି ଯାଉଥିବା ବେଳେ କଂଗ୍ରେସ ବିଧାୟକମାନେ ନାରାବାଜୀ କରିଥିଲେ। ଏପରି କି ରାଜ୍ୟପାଳଙ୍କୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ବିବାଦ ମଧ୍ୟରେ ରାଜ୍ୟପାଳଙ୍କୁ ମାର୍ଶଲମାନେ ସୁରକ୍ଷିତ ଭାବେ ଭିଡ଼ରୁ ବାହାର କରି ବାହାରକୁ ନେଇଥିଲେ।

author-image
Hemant Lenka
Governer

ରାଜ୍ୟପାଳ ଗେହଲଟ୍‌

ଦେଶର ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟରେ ଏବେ ସରକାର ବନାମ ରାଜ୍ୟପାଳ ବିବାଦ ତେଜିବାରେ ଲାଗିଛି। ପ୍ରଥମେ ତାମିଲନାଡୁରେ ରାଜ୍ୟପାଳ ଆରଏନ ରବି ସରକାରଙ୍କ ଦ୍ୱାରା ପ୍ରସ୍ତୁଷ ଭାଷଣ ପଢ଼ିବାକୁ ମନା କରି ବିଧାନସଭାରୁ ଚାଲି ଯାଇଥିଲେ। କେରଳରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଭାଷଣକୁ କାଣ୍ଟଛାଣ୍ଟ କରି ପଢ଼ିଥିଲେ।

Advertisment

ଏବେ କର୍ଣ୍ଣାଟକାରେ ତାମିଲନାଡୁ ଘଟଣାର ପୁନରାବୃତ୍ତି ଘଟିଛି। ଏଠାରେ କ୍ଷମତାସୀନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ଭାଷଣ ପଢ଼ିବାକୁ ମନା କରି ଦେଇଛନ୍ତି ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ। ସେ ସରକାରଙ୍କ ଦ୍ୱାରା ଭାଷଣ ପଢ଼ିବାକୁ ମନା କରି ବିଧାନସଭାରୁ ବାହାରି ଯାଇଛନ୍ତି। 

ପରମ୍ପରା ଅନୁସାରେ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ(Karnataka Governor) ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ ପଢ଼ନ୍ତି। ସବୁ ରାଜ୍ୟରେ ଏପରି ବ୍ୟବସ୍ଥା ରହିଛି। ହେଲେ କର୍ଣ୍ଣାଟକାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

Advertisment

ମନରେଗା ବଦଳରେ କେନ୍ଦ୍ର ସରକାର ଆଣିଥିବା ଜି ରାମ ଜି ବିଲର କାର୍ଯ୍ୟକାରିତାକୁ ନେଇ କର୍ଣ୍ଣାଟକା ସରକାର ଭାଷଣରେ ଉଲ୍ଲେଖ କରିଥିବା ବିଷୟବସ୍ତୁକୁ ରାଜ୍ୟପାଳ ଗେହଲଟ ପସନ୍ଦ କରିଥିଲେ। ଏଥିପାଇଁ ସେ ଭାଷଣ ପଢ଼ିବାକୁ ମନା କରିବା ସହ ଗୃହରୁ ଚାଲି ଯାଇଛନ୍ତି। ଏହାକୁ ନେଇ ରାଜ୍ୟପାଳ ବନାମ ସରକାର ବିବାଦ ପୁଣି ତୀବ୍ର ହୋଇଛି। 

ପୂରା ଘଟଣା କର୍ଣ୍ଣାଟକା ବିଧାନସଭାର ବଜେଟ ଅଧିବେଶର ପ୍ରଥମ ଦିନରେ ଘଟିଛି। ପରମ୍ପରା ଅନୁସାରେ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗେହଲଟ ସରକାରଙ୍କ ନୀତି ଓ ଅଗ୍ରାଧିକାର ପ୍ରସଙ୍ଗ ସମ୍ପର୍କିତ ଭାଷଣକୁ ପଢ଼ିବାର ଥିଲା। ହେଲେ ଜି ରାମ ଜି ବିଧେୟକ ସମ୍ପର୍କରେ ଥିବା ବିଷୟବସ୍ତକୁ ରାଜ୍ୟପାଳ ବିରୋଧ କରିଥିଲେ। ସରକାର ପ୍ରସ୍ତୁତ କରିଥିବା ଭାଷଣ ସଂପୂର୍ଣ୍ଣ ଭାବେ ନିଜସ୍ୱ ଅପପ୍ରଚାର ବୋଲି ସେ କହି ଏହାକୁ ବିରୋଧ କରିଥିଲେ। ଏହାପରେ ସେ ଭାଷଣ ନ ଦେଇ ବିଧାନସଭାରୁ ଚାଲି ଯାଇଥିଲେ। 

ରାଜ୍ୟପାଳ ବିଧାନସଭାରୁ ଚାଲି ଯାଉଥିବା ବେଳେ କଂଗ୍ରେସ ବିଧାୟକମାନେ ନାରାବାଜୀ କରିଥିଲେ। ଏପରି କି ରାଜ୍ୟପାଳଙ୍କୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ବିବାଦ ମଧ୍ୟରେ ରାଜ୍ୟପାଳଙ୍କୁ ମାର୍ଶଲମାନେ ସୁରକ୍ଷିତ ଭାବେ ଭିଡ଼ରୁ ବାହାର କରି ବାହାରକୁ ନେଇଥିଲେ। 

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ଗୃହରେ ପଢ଼ିବା ରାଜ୍ୟପାଳଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ହେଲେ ରାଜ୍ୟପାଳ ଗେହଲଟ କେନ୍ଦ୍ରର ହାତବାରିସ ଭାବେ କାମ କରୁଛନ୍ତି। ରାଜ୍ୟପାଳଙ୍କ ଭାଷଣରେ ଥିବା ବିଷୟବସ୍ତୁକୁ କ୍ୟାବିନେଟ ଅନୁମୋଦନ ଦେଇଛି।

ରାଜ୍ୟପାଳ କ୍ୟାବିନେଟ ଅନୁମୋଦିତ ଭାଷଣ ପଢ଼ି ନାହାନ୍ତି। ଏହା ବଦଳରେ ସେ ନିଜେ ପ୍ରସ୍ତୁତ କରିଥିବା ଭାଷଣକୁ ପଢ଼ିଛନ୍ତି। ସେ ଏପରି କରି ସାମ୍ବିଧାନିକ ନିୟମର ଉଲ୍ଲଙ୍ଘନ କରିଛନ୍ତି। ସାମ୍ବିଧାନିକ ନିୟମ ଅନୁସାରେ ସେ କ୍ୟାବିନେଟ ଦ୍ୱାରା ପ୍ରସ୍ତୁତ ଭାଷଣ ପଢ଼ିବା କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Karnataka Governor