/odisha-reporter/media/media_files/2025/10/03/murder-2025-10-03-20-16-43.jpg)
ମୃତ ଗଙ୍ଗାଧର ଓ ଏକ ଦୁଇ ଚକିଆ ଗାଡ଼ି Photograph: (Agency)
୫.୨ କୋଟି ଟଙ୍କାର ଜୀବନ ବୀମା ରାଶି ପାଇବା ପାଇଁ ଜଣେ ଆଶିଂକ ପକ୍ଷାଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ମାରି ଦୁର୍ଘଟଣାର ରୂପ ଦେଇଥିଲା ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ଗ୍ୟାଙ୍ଗ। ଆଉ ଏହି ଗ୍ୟାଙ୍ଗର ଜଣେ ମହିଳା ସଦସ୍ୟ ନିଜକୁ ମୃତକଙ୍କ ପତ୍ନୀ ଦର୍ଶାଇ ଟଙ୍କା ପାଇଁ ଦାବି କରିଥିଲେ। ହେଲେ ସେମାନଙ୍କ କାରନାମ ପଦାରେ ପଡ଼ିଯାଇଥିଲା ଓ ସମସ୍ତ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଘଟଣା ଘଟିଛି କର୍ଣ୍ଣାଟକାର ହୋସପେଟରେ।
ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗାଧର। ତାଙ୍କୁ ୩୪ ବର୍ଷ ହୋଇଥିଲା। ସେ ବାହା ହୋଇଥିଲେ। ୬ ବର୍ଷ ତଳେ ତାଙ୍କ ବାହାଘର ହୋଇଥିବା ବେଳେ ୩ ବର୍ଷ ତଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଫଳରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କ ବାମ ପାଖର ହାତଗୋଡ଼ ପ୍ରାୟ ଅଚଳ ହୋଇଯାଇଥିଲା।
ଗଙ୍ଗାଧର ତାଙ୍କ ନାଁରେ ୫.୨ କୋଟି ଟଙ୍କାର ଜୀବନ ବୀମା କରିଥିବା ଏହି ୬ ଜଣିଆ ଗ୍ୟାଙ୍ଗ କୌଣସି ସୂତ୍ରରୁ ଜାଣିପାରିଥିଲେ। ତା’ପରେ ସେମାନେ ତାଙ୍କୁ ମାରି ସେହି ଟଙ୍କା ହାତେଇବା ପାଇଁ ଯୋଜନା କରିଥିଲେ। ସେମାନେ ଗଙ୍ଗାଧରଙ୍କୁ ମାରି ସହର ବାହାରକୁ ନେଇ ଯାଇଥିଲେ। ସେଠାରେ ଗୋଟିଏ ସ୍ଥାନରେ ତାଙ୍କ ମୃତଦେହ ଏକ ଦୁଇ ଚକିଆ ଗାଡ଼ିରେ ରଖି, ତା’ଉପରେ କାର ଚଢ଼ାଇ ଦେଇ ସେ ଦୁର୍ଘଟଣାରେ ମରିଥିବା ବୀମା କମ୍ପାନୀକୁ ଦେଖାଇବାକୁ ପ୍ରୟାସ କରିଥିଲେ।
ଗଙ୍ଗାଧର ମୃତ୍ୟୁ ପରେ ଏହି ଗ୍ୟାଙ୍ଗର ମହିଳା ସଦସ୍ୟ ହୁଲିଜେମ୍ମା ନିଜକୁ ତାଙ୍କ ପତ୍ନୀ ଦର୍ଶାଇ ବୀମା କମ୍ପାନୀରେ ଟଙ୍କା ପାଇବାକୁ ଆବେଦନ କରିଥିଲେ। ତେବେ ଗଙ୍ଗାଧରଙ୍କ ମୃତ୍ୟୁ ହେଉ ହେଉ ବୀମା ରାଶି ପାଇବା ପାଇଁ ଦାବି ତଥା ତାଙ୍କର ଆଦୌ ଦୁଇ ଚକିଆ ଗାଡ଼ି ନଥିବା ବେଳେ ଓ ସେ ଆଶିଂକ ପକ୍ଷାଘାତରେ ପୀଡ଼ିତ ହୋଇଥିବା ବେଳେ ତାଙ୍କ ଗାଡ଼ିକୁ ଏକ କାର ପିଟି ଦେଇ ପଳାଇବା କଥାକୁ ପୁଲିସ ସହଜରେ ଗ୍ରହଣ କରିପାରି ନଥିଲା। ମାମଲା ରୁଜୁ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ବିଜୟନଗର ଏସ୍ପି ଏ ଜହ୍ନବୀ କହିଛନ୍ତି, ଗତ ସେପ୍ଟେମ୍ବର ସକାଳ ସାଢ଼େ ୫ଟାରେ ଆମ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ସନ୍ଦୂର ରୋଡ୍ରେ ଏକ ହିଟ୍ ଆଣ୍ଡ ରନ୍ ଘଟଣା ଘଟିଥିବା ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ସେଠାରେ ଜଣଙ୍କ ମୃତଦେହ ମଧ୍ୟ ପଡ଼ିଥିବା ଆମକୁ ସୂଚନା ମିଳିଥିଲା। ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମୃତଦେହର ଚିହ୍ନଟ କରାଯାଇଥିଲା। ତାଙ୍କ ଘରକୁ ଖବର ଦିଆଯାଇଥିଲା। ଗଙ୍ଗାଧରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଶାରଦାମ୍ମା ଥାନାରେ ଅଭିଯୋଗ କରିଥିଲେ। ଯେହେତୁ ଗଙ୍ଗାଧରଙ୍କର ଦୁଇ ଚକିଆ ଗାଡ଼ି ନଥିଲା ଓ ସେ ଆଂଶିକ ପକ୍ଷାଘାତରେ ପୀଡ଼ିତ ଥିଲେ, ତେଣୁ ସେ ଗାଡ଼ି ଚଲାଇବା ଏବଂ ତାଙ୍କୁ କାର ଧକ୍କା ଦେବା ଘଟଣାକୁ ସେ ଅବାସ୍ତବ ବୋଲି କହିଥିଲେ। ତାଙ୍କ ସନ୍ଦେହ ସତ ହୋଇଥିଲା।
ପୁଲିସ ୬ ଜଣିଆ ଗ୍ୟାଙ୍ଗକୁ ଧରିବା ସହିତ ଉକ୍ତ ଦୁଇ ଚକିଆ ଗାଡ଼ି ଓ ହତ୍ୟାରେ ବ୍ୟବହୃତ କାରକୁ ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
