/odisha-reporter/media/media_files/2026/03/06/media-2026-03-06-13-14-18.jpg)
ସୋଶାଲ ମିଡିଆ
Social Media Ban: ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକାରେ ୧୬ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ସୋଶାଲ ମିଡିଆ ବ୍ୟାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶୁକ୍ରବାର ଘୋଷଣା କରିଛନ୍ତି। ପିଲାମାନଙ୍କ ଉପରେ ମୋବାଇଲର ବହୁଳ ବ୍ୟବହାର ଯୋଗୁ ପଡ଼ୁଥିବା କୁପ୍ରଭାକୁ ରୋକିବା ପାଇଁ ସୋଶାଲ ମିଡିଆ ବ୍ୟାନ ପାଇଁ ଯୋଜନା ହୋଇଥିବା ବଜେଟ ଉପସ୍ଥାପନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଛୋଟ ପିଲାମାନଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚାଲିଥିବା ଚର୍ଚ୍ଚା ଭିତରେ କର୍ଣ୍ଣାଟକା ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏପରି ଘୋଷଣା କରିଛନ୍ତି। ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଗୋଆ ଛୋଟ ପିଲାଙ୍କ ପାଇଁ ସୋଶାଲ ମିଡିଆ ବ୍ୟାନ କରାଯିବା ପ୍ରସଙ୍ଗରେ ଆଲୋଚନା ଚାଲିଥିବା କହିଥିଲେ। କିନ୍ତୁ ବିଧାନସଭାରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ବ୍ୟାନ ସମ୍ପର୍କରେ ଘୋଷଣା କରି ନଥିଲେ।
ବେଶ କିଛି ମାସ ଧରି ୧୬ ବର୍ଷରୁ କମ ବୟସ୍କ ପିଲାମାନଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ବ୍ୟାନ ଲଗାଇବା ଉପରେ କର୍ଣ୍ଣାଟକା ସରକାର ଆଲୋଚନା ଜାରି ରଖିଥିଲେ। ରାଜ୍ୟ ଆଇଟି ଓ ବାଓଟେକ୍ନୋଲୋଜି ମନ୍ତ୍ରୀ ପ୍ରିୟଙ୍କା ଖଡଗେ ଚଳିତ ବର୍ଷ ଆରମ୍ଭରେ ବିଧାନସଭାରେ କହିଥିଲେ ଯେ ଏଆଇ ଓ ସୋଶାଲ ମିଡିଆକୁ କେମିତି ଯୁବ ବ୍ୟବହାରକାରୀମାନେ ଦାୟିତ୍ୱବାନ ଭାବେ ପରିଚାଳନା କରିବେ, ତା’ର ବିଭିନ୍ନ ଦିଗକୁ ସରକାର ଯାଞ୍ଚ କରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ମଧ୍ୟ ଛୋଟ ପିଲାମାନେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ବିଜେପି ବିଧାୟକ ସୁରେଶ କୁମାର ଏହି ପ୍ରସଙ୍ଗକୁ ବେଶ ଗୁରୁତ୍ୱର ସହ ନେବାକୁ ସରକାରଙ୍କୁ ଅନୁରୋଧ କରିବା ସହ ସୋଶାଲ ମିଡିଆର ବହୁଳ ବ୍ୟବହାର ଶିକ୍ଷା ଓ ପରିବାରର ପରିବେଶକୁ କ୍ଷତି ପହଞ୍ଚାଇବ ବୋଲି ମତ ରଖିଥିଲେ।
ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ୧୬ ବର୍ଷରୁ କମ ବୟସ୍କ ପିଲାମାନଙ୍କ ପାଇଁ ମୋବାଇଲ ବ୍ୟାନ କରାଯିବା ଉଚିତ କି ନୁହେଁ, ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ।
ବିଶ୍ୱସ୍ତରରେ ଛୋଟ ପିଲାଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି କରିବା ପାଇଁ ବିତର୍କ ଚାଲିଥିବା ବେଳେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏନେଇ ବଡ଼ ଘୋଷଣା କରିଛନ୍ତି।
ଅଷ୍ଟ୍ରେଲିଆ ସରକାର ଯୁବଗୋଷ୍ଠୀର ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇଥିବା ବେଳେ ବ୍ରିଟେନ ଓ ଫିନଲ୍ୟାଣ୍ଡ ମଧ୍ୟ ଏହା ଉପରେ ରୋକ ଲଗାଇବାକୁ ବିଚାର କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
