/odisha-reporter/media/media_files/2025/10/13/karur-2025-10-13-13-41-08.jpg)
କରୁର ଦଳଚକଟା
ଅଭିନେତାରୁ ନେତା ବନିଥିବା ବିଜୟଙ୍କ ରାଜନୀତିକ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ତାମିଲନାଡୁ(Tamilnadu)ର କରୁର ଠାରେ ସେପ୍ଟେମ୍ବର ୨୭ରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ବିଜୟଙ୍କ ରାଲିରେ ହୋଇଥିବା ଦଳଚକଟା(Karur Stampede 2025)ରେ ୪୧ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ଘଟଣାର ଏସଆଇଟି ତଦନ୍ତ କରୁଛନ୍ତି। ଏସଆଇଟି ଘଟଣାର ତଦନ୍ତ କରୁଥିବା ବେଳେ ବିଜୟଙ୍କ ଦଳ ଟିଭିକେର ଏକାଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଏସବୁ ଭିତରେ ସର୍ବୋଚ୍ଚ ଅଦାଲତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଓ ଏହା ଜାତୀୟ ଚେତନାକୁ ପୂରା ଦୋହଲାଇ ଦେଇଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଗଭୀର ତଦନ୍ତ ସମ୍ପର୍କରେ ଜାଣିବାର ଆବଶ୍ୟକତା ନାଗରିକଙ୍କ ଅଧିକାର ଓ ନିରପେକ୍ଷ ଯାଞ୍ଚ ପାଇଁ କୌଣସି ସନ୍ଦେହ ରହିବା କଥା ନୁହେଁ ବୋଲି କୋର୍ଟ କହିଛନ୍ତି।
ସ୍ୱଚ୍ଛତା ବଜାୟୀ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପୂର୍ବତନ ବିଚାଚରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ସିବିଆଇ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିବ। ଜଷ୍ଟିସ ରସ୍ତୋଗୀ କମିଟିରେ ସାମିଲ କରିବା ପାଇଁ ୨ ଜଣ ବରିଷ୍ଠ ଆଇପିଏସଙ୍କୁ ଚୟନ କରିବେ। ସେମାନଙ୍କ ପାହ୍ୟା ଆଇଜିରୁ କମ ହୋଇ ନଥିବ।
ସେମାନେ ତାମିଲନାଡୁର କ୍ୟାଡର ହୋଇପାରିବେ, କିନ୍ତୁ ରାଜ୍ୟର ମୂଳବାସିନ୍ଦା ହୋଇ ନଥିବା ଦରକାର। କମିଟି ପ୍ରମାଣର ପୁନଃ ଯାଞ୍ଚ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇପାରିବ। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ ମାସିକିଆ ରିପୋର୍ଟ ମଧ୍ୟ ମାଗିପାରିବ।
ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ବେଳେ ମାଡ୍ରାସ ହାଇକୋର୍ଟ(ଚେନ୍ନାଇ ବେଞ୍ଚ)ଙ୍କୁ କଡ଼ା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜନୀତିକ ରାଲି ପାଇଁ ଏସ୍ଓପି ଜାରି କରିବାକୁ ଗୋଟିଏ ଆବେଦନ ହୋଇଥିବା ବେଳେ ହାଇକୋର୍ଟ ଦଳାଚକଟା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାମିଲନାଡୁ ପୁଲିସ୍ ଅଧିକାରୀଙ୍କୁ ନେଇ କୋର୍ଟ ଏସଆଇଟି ଗଠନ କରିବାକୁ କହିଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ କହିଛନ୍ତି ଯେ କରୁର ମାମଲାର ଶୁଣାଣି ପାଇଁ ଚେନ୍ନାଇ ବେଞ୍ଚ ପାଖରେ କୌଣସି କ୍ଷମତା ନଥିଲା। କାରଣ ଏହା ମଦୁରାଇ ବେଞ୍ଚ ଅଧୀନରେ ଆସୁଛି। ମୁଖ୍ୟ ବିଚାରପତିଙ୍କ ବିନା ଅନୁମତିରେ ଆବେଦନକୁ କେମିତି ଶୁଣାଣି କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଉପଯୁକ୍ତ ଢଙ୍ଗରେ ଆବେଦନକୁ ଲିଷ୍ଟିଂ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।
ମାଡ୍ରାସ ହାଇକୋର୍ଟ ଅକ୍ଟୋବର ୩ରେ ଏସଆଇଟି ଦ୍ୱାରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଟିଭିକେ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା। ତାମିଲନାଡୁ ପୁଲିସ୍ ବିଜୟ ଓ ଟିଭିକେ ବିରୋଧରେ ବୟାନ ଦେଉଥିବାରୁ ସେମାନେ କେମିତି ଘଟଣାର ନିରପେକ୍ଷ ତଦନ୍ତ କରିବେ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ।
ଟିଭିକେ ଘଟଣା(Vijay Karur Stampede)ର ସିବିଆଇ ତଦନ୍ତ ଦାବି କରିବା ସହ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ଦାବି କରିଥିଲା। ଏବେ ସୁପ୍ରିମକୋର୍ଟ(Supreme Court) ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
