/odisha-reporter/media/media_files/2026/01/11/terrorist-2026-01-11-18-31-17.jpg)
ପାକିସ୍ତାନ ଓ ପାକିସ୍ତାନୀ ସେନାର ପୋଲ୍ ଖୋଲିଛି ଲସ୍କର-ଏ-ତାଏବାର ଟପ୍ କମାଣ୍ଡର ତଥା ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରି। ପାକିସ୍ତାନ ସେନା ତା’ର କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହେବା ପାଇଁ ତାକୁ ସବୁବେଳେ ନିମନ୍ତ୍ରଣ କରେ ବୋଲି ସେ କହିଛି। ଏହା ସହିତ ନିହତ ହେଉଥିବା ପାକ୍ ସେନାର ଯବାନଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନାକୁ ପରିଚାଳନା କରିବା ପାଇଁ ତାକୁ ନିମନ୍ତ୍ରଣ କରାଯାଏ ବୋଲି ସେ କହିଛି। ପାକିସ୍ତାନର ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧିତ କରିବା ଅବସରରେ କସୁରି ଏହି କଥା କହିଛି, ଯାହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଭିଡିଓଟି କେଉଁ ଦିନର ତାହା ସ୍ପଷ୍ଟ ହୋଇନି।
ନିଜ ସୀମା ଭିତରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ନେଇ ବିଶ୍ୱସ୍ତରରେ ପାକିସ୍ତାନ ସରକାର ବାରମ୍ବାର ଦାବି କରି ଆସୁଥିବା ବେଳେ କସୁରିର ମନ୍ତବ୍ୟ ଏହାର ମୁଖା ଖୋଲି ଦେଇଛି। ଏହା ସହିତ ପାକିସ୍ତାନ ସେନା ସହିତ ସେଠାରେ ଥିବା ଆତଙ୍କବାଦୀମାନଙ୍କର ସଂପର୍କ ବେଶ୍ ଘନିଷ୍ଠ ବୋଲି ପ୍ରମାଣିତ ହୋଇଛି।
ସ୍କୁଲ ପିଲାଙ୍କୁ ସମ୍ବୋଧିତ କରିବା ଅବସରରେ କସୁରି ଆହୁରି କହିଛି ଯେ ଭାରତ ତାକୁ ଭୟ କରେ।
ଏହା ପୂର୍ବରୁ କସୁରିର ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେଥିରେ ମଧ୍ୟ ଭାରତକୁ ଟାର୍ଗେଟ କରିଥିଲା ସେ। ସେହି ଭିଡିଓରେ କସୁରି କହିଥିଲା ଯେ ଅପରେସନ ସିନ୍ଦୂର ବେଳେ ଭାରତ ଆତଙ୍କବାଦୀଙ୍କ ଶିବିରଗୁଡ଼ିକୁ ଉଡ଼ାଇ ଭୁଲ୍ କରିଛି। ତା’ ସଂଗଠନର ମୂଳ ଲକ୍ଷ୍ୟ କଶ୍ମୀର ରହିବ। ସେମାନେ କେବେବି ଏଥିରୁ ବିଚ୍ୟୁତ ହେବେ ନାହିଁ ବୋଲି ସେ କହିଛି।
ଲସ୍କର-ଏ-ତାଏବାର ଉପମୁଖ୍ୟ ପଦରେ ଥିବା କସୁରି ଏହା ପୂର୍ବରୁ କହିଥିଲା ଯେ ପହଲଗାମ ଆକ୍ରମଣ ପାଇଁ ତାକୁ ଦାୟୀ କରାଯାଉଛି। ସେ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସେଥିପାଇଁ ପୂରା ବିଶ୍ୱରେ ସେ ପ୍ରସିଦ୍ଧ ହୋଇଯାଇଛି ବୋଲି କହିଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶର କସୁରରେ ଏକ ରାଲିରେ ସେ ଏହି କଥା କହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
