Advertisment

କୋର୍ଟଙ୍କୁ କହିଲା ସିବିଆଇ: ଆପ୍‌କୁ ୨୫ କୋଟି ଦେବା ପାଇଁ ଶରତ ରେଡ୍ଡୀଙ୍କୁ ଧମକାଇଥିଲେ କବିତା

ଯଦି ଶରତ ରେଡ୍ଡୀ ଟଙ୍କା ନ ଦେବେ, ତା’ହେଲେ ଆପ୍‌ ତେଲଙ୍ଗାନା ଓ ଦିଲ୍ଲୀରେ ତାଙ୍କ ବ୍ୟବସାୟୀକୁ କ୍ଷତି ପହଞ୍ଚାଇବ ବୋଲି କବିତା ଧମକ ଦେଇଥିବା ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କୁ ଜଣାଇଛି।

author-image
Hemant Lenka
Kavitha

Kavitha

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ନେଇ ସାଂଘାତିକ ତଥ୍ୟ ଦେଇଛି ସିବିଆଇ। ମାମଲାର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ ଫାର୍ମାର ପ୍ରମୋଟର ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ୨୫ କୋଟି ଟଙ୍କା ଆପ୍‌କୁ ଦେବା ପାଇଁ କବିତା ଧମକାଇ ଥିଲେ।

Advertisment

୨୫ କୋଟି ଟଙ୍କା ଦେଲେ ତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଅଧୀନରେ ୫ଟି ରିଟେଲ ଜୋନ ମିଳିବ। ଯଦି ଶରତ ରେଡ୍ଡୀ ଟଙ୍କା ନ ଦେବେ, ତା’ହେଲେ ଆପ୍‌ ତେଲଙ୍ଗାନା ଓ ଦିଲ୍ଲୀରେ ତାଙ୍କ ବ୍ୟବସାୟୀକୁ କ୍ଷତି ପହଞ୍ଚାଇବ ବୋଲି କବିତା ଧମକ ଦେଇଥିବା ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କୁ ଜଣାଇଛି।

ଶରଦ ରେଡ୍ଡୀ ପ୍ରଥମେ ଇଡି ଦ୍ୱାରା ସମାନ ମାମଲାରେ ଗିରଫ ହୋଇଥିଲେ। କିନ୍ତୁ ସେ ପରବର୍ତ୍ତୀ ଅବସ୍ଥାରେ ଏହି ମାମଲାର ରାଜସାକ୍ଷୀ ବନି ଯାଇଛନ୍ତି। ସେ ରାଜସାକ୍ଷୀ ବନି ଯିବାରୁ ତାଙ୍କ ଜାମିନ ଆବେଦନକୁ ଇଡି ବିରୋଧ କରି ନଥିଲେ। ତେଣୁ ତାଙ୍କୁ ଦିଲ୍ଲୀ କୋର୍ଟରେ ଜାମିନ ମିଳି ସାରିଛି। ସିବିଆଇ ମଧ୍ୟ ଶରତ ରେଡ୍ଡୀଙ୍କ ସମ୍ପର୍କରେ ଏଯାଏ କୌଣସି ପ୍ରକାରର ଚାର୍ଜଶିଟ ଦାଖଲ କରି ନାହିଁ।

Advertisment

ଇଡି ଦ୍ୱାରା ଗିରଫ ହୋଇଥିବା କବିତାଙ୍କୁ ଗୁରୁବାର ସିବିଆଇ ବିଧିବଦ୍ଧ ଭାବେ ଗିରଫ କରିଥିଲା। ଶୁକ୍ରବାର ତାଙ୍କୁ ଇଡି ରିମାଣ୍ଡରେ ନେଇଛି। ରିମାଣ୍ଡ ପାଇଁ କରିଥିବା ଆବେଦନରେ ସିବିଆଇ କବିତାଙ୍କ ସମ୍ପର୍କରେ ସାଂଘାତିକ କଥା କହିଛି।

କବିତା ହିଁ ଶରତ ରେଡ୍ଡୀଙ୍କୁ ଦିଲ୍ଲୀ ମଦ ବ୍ୟବସାୟରେ ପ୍ରବେଶ କରିବାକୁ ପ୍ରଲୋଭିତ କରାଇଥିଲେ। କ୍ଷମତାସୀନ ଆପ୍‌ ସରକାର ଓ ବର୍ତ୍ତମାନ ପ୍ରତ୍ୟାହୃତ ହୋଇ ସାରିଥିବା ଅବକାରୀ ନୀତି ଅଧୀନରେ ତାଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କବିତା କହିଥିଲେ। କବିତା ଏକଦା ଶରତ ଚନ୍ଦ୍ର ରେଡ୍ଡୀଙ୍କୁ କହିଥିଲେ ଯେ ହୋଲସେଲ ବ୍ୟବସାୟ ପାଇଁ ୨୫ କୋଟି ଓ ପ୍ରତିଟି ରିଟେଲ ଜୋନ ପାଇଁ ୫ କୋଟି ଲେଖାଏ ଆପକୁ ଦେବାକୁ ପଡ଼ିବ।

ଏହା ବଦଳରେ ଆପ ସରକାର ତାଙ୍କୁ ମଦ ବ୍ୟବସାୟ ପାଇଁ ଲାଇସେନ୍ସ ଦେବେ। ସମାନ ଟଙ୍କା କବିତା ତାଙ୍କ ସହଯୋଗୀ ଅରୁଣ ଆର ପିଲ୍ଲାଇ ଓ ଅଭିଷେକ ବୋଇନପାଲ୍ଲୀଙ୍କୁ ଦେବାକୁ କହିଥିଲେ। ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିନିଧି ବିଜୟ ନାଏରଙ୍କ ଯୋଗାଯୋଗରେ ରହିଥିଲେ ବୋଲି ସିବିଆଇ କହିଛି।

ସିବିଆଇ ଆହୁରି କହିଛି, ୨୦୨୧ରେ ପିଲ୍ଲାଇ, ବୋଇନପାଲ୍ଲୀ ଓ ଗୋରାଣ୍ଟଲା ମିଳିତ ଭାବେ ହୋଟେଲ ଓବରୋଏରେ ନାଏରଙ୍କ ସହ ବୈଠକ କରିଥିଲେ। ସେମାନେ ଅବକାରୀ ନୀତିକୁ ପ୍ରଭାବିତ କରିବା ପାଇଁ ଆଲୋଚନା କରିଥିଲେ। ଅରବିନ୍ଦ ରିୟଲିଟୀ ଓ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିଃ କବିତାଙ୍କ ଏନଜିଓ ତେଲଙ୍ଗାନା ଜାଗୃତିକୁ ୮୦ ଲକ୍ଷ ଟଙ୍କା ଦେଇଥିଲା। ମଦ ବ୍ୟବସାୟରେ ସହାୟତା ମିଳିବାର ପ୍ରତିଶ୍ରୁତି ପରେ କମ୍ପାନୀ ଏନଜିଓକୁ ସିଏସ୍‌ଆର ଅଧୀନରେ ଟଙ୍କା ଦେଇଥିଲା।

୨୦୨୧ ଜୁନ-ଜୁଲାଇରେ କବିତା ତେଲଙ୍ଗାନାର ମେହବୁବ ନଗର ଠାରେ ଥିବା ଗୋଟିଏ ଜମି କାରବାର ପାଇଁ ଶରତଙ୍କ ଡିଲ୍‌ କରିଥିଲେ। ଶରଦ ଉକ୍ତ ଚାଷ ଜମିକୁ କିଣିବାକୁ ଆଗ୍ରହୀ ନଥିଲେ କିମ୍ବା ଉକ୍ତ ଜମିର ଦାମ ମଧ୍ୟ ତାଙ୍କୁ ଜଣା ନଥିଲା। ଶରତ ରେଡ୍ଡୀଙ୍କ ବୟାନ ଓ ବର୍ତ୍ତମାନ ସୁଦ୍ଧ ହୋଇଥିବା ତଦନ୍ତକୁ ଆଧାର କରି ସିବିଆଇ କୋର୍ଟଙ୍କୁ କହିଛି ଯେ ଜମି ପାଇଁ କବିତା ବ୍ୟବସାୟୀ ଶରତଙ୍କୁ ୧୪ କୋଟି ଟଙ୍କା ଦେବାକୁ ଉତ୍ସାହିତ କରିଥିଲେ।

ତାଙ୍କୁ ମାହିରା ଭେନଚର୍ସ ପ୍ରାଇଭେଟ ଲିଃ ଜରିଆରେ ସେଲ ଏଗ୍ରିମେଣ୍ଟରେ ପ୍ରବେଶ କରାଇଥିଲେ। ମାହିରା ହେଉଛି ଅରବିନ୍ଦ ଗ୍ରୁପ କମ୍ପାନୀର ଗୋଟିଏ ସଂସ୍ଥା। ୨୦୨୧ ଜୁଲାଇ ମାସରେ ଏହି କାରବାର ହୋଇଥିଲା।

୨୦୨୧ ନଭେମ୍ବର ଓ ଡିସେମ୍ବର ମାସରେ କବିତା ୫ଟି ରିଟେଲ ଜୋନ ପାଇଁ ଶରତଙ୍କୁ ୨୫ କୋଟି ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସେ ଟଙ୍କା ଦେବାକୁ ପଛ ଘୁଞ୍ଚା ଦେବାରୁ କବିତା ତାଙ୍କୁ ଧମକ ଦେଇଥିଲେ। ଅବକାରୀ ନୀତି ଅଧୀନରେ ତେଲଙ୍ଗାନା ଓ ଦିଲ୍ଲୀରେ ତାଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚିବ ବୋଲି ସେ ଚେତାବନୀ ଦେଇଥିଲେ।

ଏହି ସବୁ ଘଟଣାର ଅଧିକ ତଦନ୍ତର ଆବଶ୍ୟକ ଥିବା ସିବିଆଇ କହିବା ପରେ କୋର୍ଟ କବିତାଙ୍କୁ ଏପ୍ରିଲ ୧୫ ଯାଏ ରିମାଣ୍ଡରେ ନେବାକୁ ତଦନ୍ତକାରୀ ସଂସ୍ଥାକୁ ଅନୁମତି ଦେଇଛନ୍ତି।

CBI K.Kavitha