Advertisment

ସିସୋଦିଆ ଓ ଜୈନଙ୍କ ଗିରଫଦାରୀ ବିରୋଧରେ ଦ୍ୱାର ଦ୍ୱାର ବୁଲିବେ ଆପ୍‌ ବିଧାୟକ

ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ସମୟରେ ଆପ୍‌ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ।

author-image
Hemant Lenka
AAP

AAP

ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ଆରମ୍ଭ କରିବ ବିଶାଳ ବିକ୍ଷୋଭ ଅଭିଯାନ। ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ସମୟରେ ଆପ୍‌ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ। ଏହି ସମୟରେ ସେମାନେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେ।

Advertisment

ଆପ୍‌ର ସମସ୍ତ ବିଧାୟକ ଏହି ବିକ୍ଷୋଭ ଅଭିଯାନରେ ସାମିଲ ହୋଇ ଲୋକଙ୍କୁ ସତକଥା ଜଣାଇବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ଆଜି କେଜ୍ରିୱାଲଙ୍କ ଘରେ ଆପର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ କେଜ୍ରିୱାଲ ଆପ ନେତାମାନଙ୍କୁ ଦ୍ୱାର ଦ୍ୱାର ବୁଲି ବିକ୍ଷୋଭ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି।

ଏହି ସମୟରେ ଆପ୍‌ ନେତାମାନେ ଲୋକଙ୍କ ପାଖରେ ପହଞ୍ଚିବେ। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମଡେଲର ସଫଳତାରେ ଅତିଷ୍ଠ ହୋଇ କେମିତି ସିସୋଦିଆ ଓ ଜୈନଙ୍କୁ ଗିରଫ କରିଛନ୍ତି, ସେକଥା ଲୋକଙ୍କୁ ବୁଝାଇବେ ବୋଲି କେଜ୍ରିୱାଲ ପରାମର୍ଶ ଦେଇଛନ୍ତି।

Advertisment

ସତ୍ୟେନ୍ଦ୍ର ଜୈନ ସ୍ୱାସ୍ଥ୍ୟ ଓ ଜେଲ ବିଭାଗ ଦାୟିତ୍ୱରେ ଥିଲେ। ସେହିପରି ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ସମେତ ୧୮ଟି ବିଭାଗର ମୁଖ୍ୟ ରହିଥିଲେ। ଜୈନଙ୍କୁ ୧୦ ମାସ ତଳେ ଇଡି ଓ ଗତ ରବିବାର ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା।

ଏବେ ଉଭୟ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇ ସାରିଛନ୍ତି। ଏପରି ଗିରଫଦାରୀକୁ ନେଇ ବ୍ୟାକଫୁଟରେ ଥିବା ଆପ୍‌ ଏବେ ପୁଣିଥରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। 

Bjp AAP Manish Sisodia