Advertisment

ଆଦାନୀ ଗ୍ରୁପକୁ ବଡ଼ ଝଟକା: ୭୩୬ ମିଲିୟନ ଡଲାରର ଡିଲ୍‌ ବାତିଲ କଲା ଏହି ଦେଶ

ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିୟା।

author-image
Hemant Lenka
adani

adani

ଆମେରିକାରେ ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ପାଇବା ପାଇଁ ଲାଞ୍ଚ ଦେବା ଅଭିଯୋଗରେ ଫସିଥିବା ଆଦାନୀ ଗ୍ରୁପକୁ ଆଉ ଏକ ଝଟକା ଲାଗିଛି। ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିୟା। ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଓ ଅନ୍ୟ ୭ ଜଣଙ୍କ ବିରୋଧରେ ଆମେରିକାରେ ଗିରଫ ପରୱାନା ଜାରି ହୋଇଛି।

Advertisment

ଏମାନେ କଣ୍ଟ୍ରାକ୍ଟ ପାଇଁ ୨୬୫ ମିଲିୟନରର ଲାଞ୍ଚ କାରବାର କରିଥିବା ଅଭିଯୋଗ ହୋଇଛି। ସେହିପରି ଆମେରିକାର ଏକାଧିକ ନିବେଶକ ଓ ବ୍ୟାଙ୍କ ଠାରୁ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି। ଆମେରିକାର ସରକାରୀ ବିଭାଗ ଏପରି ଅଭିଯୋଗ ଆଣିବା ପରେ କେନିୟା ପକ୍ଷରୁ ଆଦାନୀ ଗ୍ରୁପ ସହ ହେବାକୁ ଥିବା ସମ୍ଭାବ୍ୟ ଡିଲ୍‌କୁ ବାତିଲ କରି ଦିଆଯାଇଛି।

କେନିୟାର ରାଷ୍ଟ୍ରପତି ୱିଲିୟମ ଋଟୋ ନିଜେ ଆଦାନୀ ଗ୍ରୁପ ସହ ଡିଲ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନିୟାର ମୁଖ୍ୟ ଏୟାରପୋର୍ଟ ଗୌତମ ଆଦାନୀଙ୍କ ପାଖକୁ ଯିବାର ଥିଲା। ଏୟାରପୋର୍ଟ ଆବଶ୍ୟକ ସମସ୍ତ ସାମଗ୍ରୀ କେନିୟା ଆଦାନୀ ଗ୍ରୁପ ଠାରୁ ନେଇଥାଆନ୍ତା। ହେଲେ ଉକ୍ତ ସାମଗ୍ରୀର କ୍ରୟକୁ ବାତିଲ କରାଯାଇଛି।

Advertisment

ଏହାବାଦ ରାଷ୍ଟ୍ରପତି ୱିଲିୟମ ୩୦ ବର୍ଷ ପାଇଁ ପବ୍ଲିକ-ପ୍ରାଇଭେଟ ଭାଗିଦାରୀରେ ହେବାକୁ ଥିବା ୭୩୬ ମିଲିୟନର ଡଲାରର ଡିଲକୁ ମଧ୍ୟ ବାତିଲ କରିବାକୁ କହିଛନ୍ତି। ପାୱାର ଟ୍ରାନ୍ସମିସନ ଲାଇନ୍ସ ନିର୍ମାଣ ପାଇଁ ଗତ ମାସରେ ଆଦାନୀ ଗ୍ରୁପ ଓ କେନିୟାର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ଏପରି ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। କିନ୍ତୁ ଆମେରିକାର ଲାଞ୍ଚ ଅଭିଯୋଗ ପରେ ଏହାକୁ ବାତିଲ କରିଦିଆଯାଇଛି।

ରାଷ୍ଟ୍ରପତି ୱିଲିୟମ କହିଛନ୍ତି, “ପରିବହନ, ଶକ୍ତି ଓ ପ୍ରେଟୋଲିୟମ ମନ୍ତ୍ରଣାଳୟ ମଧ୍ୟରେ ଥିବା ଏଜେନ୍ସି ଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ପାଇଁ ବର୍ତ୍ତମାନ ଚାଲିଥିବା ଖରିଦାରୀ ପ୍ରକ୍ରିୟାକୁ ବାତିଲ କରିବାକୁ କହିଛି। ତଦନ୍ତକାରୀ ସଂସ୍ଥା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଦେଇଥିବା ନୂଆ ତଥ୍ୟ ଆଧାରରେ ଏପରି ପଦକ୍ଷେପ ନିଆଯାଇଛି।”

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ ନିମସ୍ତେ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି।

ଏହାବାଦ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଠକେଇ କରିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

Gautam Adani Adani Enterprises Kenyan President William Ruto