/odisha-reporter/media/post_attachments/uploadimage/library/16_9/16_9_0/IMAGE_1751980277.jpg)
Mallikarjun Kharge
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାଁର ଭୁଲ ଉଚ୍ଚାରଣ କରିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି।
ଛତିଶଗଡ଼ର ରାୟପୁରରେ ସାଇନ୍ସ ଗ୍ରାଉଣ୍ଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କଲା ବେଳେ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦହାରଣ ଦେବା ବେଳେ ‘ମୁର୍ମାଜୀ’ ବୋଲି କହିଥିଲେ। ଅବଶ୍ୟ ସେ ତୁରନ୍ତ ତାଙ୍କ ତ୍ରୁଟି ସୁଧାରି ଦେଇଥିଲେ। ତେବେ କିଛି ସେକେଣ୍ଡ ପରେ ସେ ପୁଣି ଏକ ଭୁଲ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦାହରଣ ଦେବା ବେଳେ ‘କୋବିନ୍ଦ’ ବଦଳରେ ‘କୋଭିଡ’ କହିଥିବା ଶୁଣିବାକୁ ମିଳିଥିଲା।
ଛତିଶଗଡ଼ର ଜଙ୍ଗଲଗୁଡ଼ିକରେ ବ୍ୟାପକମାତ୍ରାରେ ଗଛ କଟାଯାଉଥିବା ପ୍ରସଙ୍ଗରେ କହିବା ବେଳେ ସେ ଏହି ତ୍ରୁଟି କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ବିଜେପି ଓ ଏହାର ଶିଳ୍ପପତି ବନ୍ଧୁମାନେ ଜମି ହାତେଇବା ପାଇଁ ବ୍ୟାପକମାତ୍ରାରେ ଗଛ କାଟୁଛନ୍ତି।
ଖଡଗେ କହିଥିଲେ, ଆମ ଜଳ, ଜଙ୍ଗଲ ଓ ଜମି ସୁରକ୍ଷିତ ରହିବା ଆବଶ୍ୟକ। ତେଣୁ ଆମକୁ ଏକାଠି ହେବାକୁ ପଡ଼ିବ। ସେମାନେ (ବିଜେପି) କହୁଛନ୍ତି ଯେ ସେମାନେ ମୁର୍ମାଜୀ (ଦ୍ରୌପଦୀ ମୁର୍ମୁ)ଙ୍କୁ ଭାରତର ରାଷ୍ଟ୍ରପତି କରିଛନ୍ତି। କୋଭିଡଜୀ (କୋବିନ୍ଦ)ଙ୍କୁ ରାଷ୍ଟ୍ରପତି କରିଥିଲେ। କିନ୍ତୁ କାହିଁକି? ଆମ ସଂପତ୍ତି, ଆମ ଜଙ୍ଗଲ, ଜଳ ଓ ଜମି ଛଡ଼େଇ ନେବାକୁ…। ଏବେ ଅଦାନୀ ଓ ଅମ୍ବାନୀ ଭଳି ଲୋକ ସେସବୁକୁ ଅକ୍ତିଆର କରିନେଲେଣି।
ଖଡଗେଙ୍କ ଏହି ମନ୍ତବ୍ୟ ଆସିବା ପରେ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଛି। ବିଜେପି ତାଙ୍କୁ ମହିଳା ବିରୋଧୀ, ଆଦିବାସୀ ବିରୋଧୀ ଓ ଦଳିତ ବିରୋଧୀ ବୋଲି କହିଛି।
ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସଭାପତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ସେଥିପାଇଁ ପୂରା ଆଦିବାସୀ ସଂପ୍ରଦାୟ ଏହାକୁ ସମାଲୋଚନା କରୁଛି। ଏମିତିକି ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ‘କୋଭିଡ’ ଭଳି ଶବ୍ଦ ପ୍ରୟୋଗ କରିଛନ୍ତି।
ସେହିଭଳି ବିଜେପିର ଅନ୍ୟ ଜଣେ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ମୁଖିଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁର୍ମାଜୀ ଓ କୋବିନ୍ଦଜୀଙ୍କୁ କୋଭିଡଜୀ କହିବା ପରେ ସେମାନେ ଜମି ମାଡ଼ିବସିଥିବା କହିଛନ୍ତି। ଖଡଗେଙ୍କ ଏହି ମନ୍ତବ୍ୟରୁ ଜଣାପଡୁଛି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରତି କଂଗ୍ରେସ ମନରେ କେତେ ଘୃଣା ରହିଛି। ସାମ୍ବାଧାନିକ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି କଂଗ୍ରେସ ଏଭଳି ବ୍ୟବହାର କରିବାର ପରମ୍ପରା ରହିଆସିଛି। ସେମାନେ ଭାରତର ପ୍ରଧାନ ବିଚାରପତି ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି- କାହାକୁ ଛାଡ଼ି ନାହାନ୍ତି।
ସୂଚନାଯୋଗ୍ୟ, ୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ‘ରାଷ୍ଟ୍ରପତ୍ନୀ’ ଭଳି ଶବ୍ଦର ବ୍ୟବହାର କରିଥିଲେ। ଏହାକୁ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା। ବିଜେପି ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲା। ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିବା ବେଳେ ଅଧିର ରଞ୍ଜନ ଚୌଧୁରୀ କହିଥିଲେ ଯେ ଭୁଲରେ ତାଙ୍କ ପାଟିରୁ ଏହା ଖସି ଯାଇଥିଲା। ତାଙ୍କର ରାଷ୍ଟ୍ରପତିଙ୍କ ପ୍ରତି ବହୁତ ସମ୍ମାନ ଥିବା କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
