/odisha-reporter/media/media_files/2025/10/29/diljit-2025-10-29-15-08-50.jpg)
ଦିଲଜୀତ
ଦେଶର ଜଣାଶୁଣା ଗାୟକ ଓ ଅଭିନେତା ଦିଲଜୀତ ଦୋସାଂଝଙ୍କୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ସଂଗଠନ ‘ଶିଖ ଫର ଜଷ୍ଟିସ’ (SFJ)। ନଭେମ୍ବର ୧ ତାରିଖରେ ଅଷ୍ଟ୍ରେଲିଆରେ ଦିଲଜୀତଙ୍କର ଏକ ସଂଗୀତ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ଭଣ୍ଡୁର କରି ଦିଆଯିବ ବୋଲି ଚେତାବନୀ ଦେଇଛି ପନ୍ନୁଙ୍କ ସଂଗଠନ। ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଯୋଗୁ ଦିଲଜୀତଙ୍କୁ ମିଳିଛି ଏହି ଧମକ।
ଆତଙ୍କବାଦୀ ପନ୍ନୁ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି, ଅମିତାଭ ବଚ୍ଚନଙ୍କ ମନ୍ତବ୍ୟ ୧୯୮୪ ମସିହା ନରସଂହାରକୁ ଇନ୍ଧନ ଯୋଗାଇଥିଲା। ତାଙ୍କ ପାଦ ସ୍ପର୍ଶ କରି ଦିଲଜୀତ ଦୋସାଂଝ ୧୯୮୪ ଶିଖ ନରସଂହାରର ସମସ୍ତ ପୀଡ଼ିତ, ସମସ୍ତ ବିଧବା ଓ ସମସ୍ତ ଅନାଥଙ୍କୁ ଅପମାନିତ କରିଛନ୍ତି।
ସେ ଆହୁରି କହିଛନ୍ତି, ଏହା ଅଜ୍ଞାନ ନୁହେଁ। ଏହା ଧୋକା। ଯେଉଁ ଶିଖମାନଙ୍କୁ ଜୀବନ୍ତ ଜାଳି ଦିଆଗଲା, ଯେଉଁ ମହିଳାମାନଙ୍କୁ ଦୁଷ୍କର୍ମ କରାଗଲା, ଯେଉଁ ଛୁଆମାନଙ୍କୁ ହାଣି ଦିଆଗଲା- ସେମାନଙ୍କ ପାଉଁଶ ଏଯାଏ ଥଣ୍ଡା ପଡ଼ିନାହିଁ। ନଭେମ୍ବର ୧ ତାରିଖ ସ୍ମରଣ କରିବାର ଦିନଟିଏ ହୋଇଥିବା ବେଳେ ଅନ୍ତରାତ୍ମାର କଥା ଶୁଣୁଥିବା କୌଣସି ଶିଖ ଏହି ଦିନ ଗୀତ ଗାଇ ପାରିବ ନାହିଁ କି ନୃତ୍ୟ କରିପାରିବ ନାହିଁ। ତା’ ସହିତ ଏହି ଦିନଟିକୁ ଉତ୍ସବ ଭାବେ ପାଳନ କରିପାରିବ ନାହିଁ।
କେଉଁଠି ଅମିତାଭଙ୍କ ପାଦ ଛୁଇଁଲେ ଦିଲଜୀତ
ଆସନ୍ତା ଶୁକ୍ରବାର ‘କୌନ ବନେଗା କରୋଡପତି ୧୭’ରେ ଦର୍ଶକମାନେ ଦିଲଜୀତ ଦୋସାଂଝଙ୍କୁ ଦେଖିପାରିବେ। ତା’ପୂର୍ବରୁ ଏହାର ପ୍ରୋମୋ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ ଦିଲଜୀତଙ୍କୁ ପଞ୍ଜାବର ପୁଅ କହି ଦର୍ଶକଙ୍କ ସହିତ ପରିଚୟ କରାଇଛନ୍ତି ଅମିତାଭ। ଦିଲଜୀତ ତାଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି। ଏହା ପରେ ଅମିତାଭ ତାଙ୍କୁ କୋଳାଇ ନେଇଛନ୍ତି।
ଦିଲଜୀତ ଦୋସାଂଝ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସିଡ୍ନୀରେ ତାଙ୍କର ଏକ କନସର୍ଟ ହେବ। ଏହି ଶୋ’ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଛି। ୩୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
