ମୁଣ୍ଡ ନୁଆଁଇଲେ ମମତା, କିନ୍ତୁ ଆନ୍ଦୋଳନ ଚାଲୁ ରଖିବେ ଡାକ୍ତର

ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିରେ ଅଡ଼ି ବସିଥିବା ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ୫ ଦଫା ଦାବି ମଧ୍ୟରୁ ୪ଟି ଦାବି ସେ ମାନି ନେଇଛନ୍ତି।

ମମତା ବାନାର୍ଜୀ।

  • Published: Tuesday, 17 September 2024
  • , Updated: 17 September 2024, 09:02 AM IST

ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିରେ ଅଡ଼ି ବସିଥିବା ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ୫ ଦଫା ଦାବି ମଧ୍ୟରୁ ୪ଟି ଦାବି ସେ ମାନି ନେଇଛନ୍ତି। ଏହାପରେ ଡାକ୍ତରମାନଙ୍କୁ କାମକୁ ଯିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଥିଲେ ବି ଆନ୍ଦୋଳନରତ ଡାକ୍ତର ଏହାକୁ ଏଡ଼ାଇ ଯାଇଛନ୍ତି। ସମସ୍ତ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।

ଜୁନିୟର ଡାକ୍ତରଙ୍କ ଦାବି ଅନୁଯାୟୀ, କୋଲକତା ପୁଲିସ୍‌ କମିଶନର ବିନିତ ଗୋୟଲ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ମମତା ବାନାର୍ଜୀ । ଆଜି ଅପରାହ୍ନ ୪ଟାରେ ନୂଆ ପୁଲିସ୍‌ କମିଶନର ଦାୟିତ୍ୱ ଗ୍ରହଣ କରିବେ।

ଏଥିସହ ମେଡିକାଲ ଶିକ୍ଷା ବିଭାଗର ନିର୍ଦ୍ଦେଶକ କୌସ୍ତଭ ନାୟକ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଦେବାଶିଷ ହାଲଦାରଙ୍କୁ ବି ସେମାନଙ୍କ ପଦରୁ ବହିଷ୍କାର କରାଯାଇଛି। କୋଲକତା ପୁଲିସ୍‌ର ଡେପୁଟି କମିଶନର(ନର୍ଥ) ଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯିବ । କାରଣ ପୀଡ଼ିତାଙ୍କ ପରିବାର ତାଙ୍କ ବିରୋଧରେ ଲାଞ୍ଚ ଯାଚିବା ଅଭିଯୋଗ ଆଣିଥିଲେ।

ଗତକାଲି ପ୍ରାୟ ୬ ଘଣ୍ଟା କାଳ ବସିଥିବା ଏହି ବୈଠକର ଫଳାଫଳ ସକରାତ୍ମକ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାଜୀ। ଡାକ୍ତରଙ୍କ ୫ ଦଫା ଦାବି ମଧ୍ୟରୁ ୪ଟି ଦାବିକୁ ସରକାର ମାନି ନେଇଛନ୍ତି। ଏଥିସହ ଏହି ମାମଲାର ସିବିଆଇ ଯାଞ୍ଚ ଏବେ ଚାଲୁ ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି, ଡାକ୍ତରଙ୍କ ସହ ଆଲୋଚନା ଖୁବ୍‌ ଫଳପ୍ରଦ ରହିଛି। ସେମାନଙ୍କ ୪ଟି ଦାବି ସରକାର ମାନି ନେଇଛନ୍ତି। ତେଣୁ ସେମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରୁଛି। ଏଥିସହ ଆନ୍ଦୋଳନ ଡାକ୍ତରଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି କହିଛନ୍ତି ମମତା ।

ଏଥିସହ ସ୍ୱାସ୍ଥ୍ୟ ବିଭାଗରେ ପ୍ରବଳ ଦୁର୍ନୀତି ହେଉଥିବା ନେଇ ଡାକ୍ତରମାନେ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ମମତା।

ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୨ ଜୁନିୟର ଡାକ୍ତର ଏ ସମ୍ପର୍କୀତ ଡକ୍ୟୁମେଣ୍ଟରେ ହସ୍ତାକ୍ଷର କରିଛନ୍ତି। ଏଥିସହ ବୈଠକରେ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେପ୍ଟେମ୍ବର ୧୨ରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ 'ନବାନ୍ନ'ରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ସରକାରର ବରିଷ୍ଠ ଅଧିକାରୀମାନେ ଦୀର୍ଘ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ସତ୍ତ୍ୱେ କେହି ଯାଇନଥିଲେ।

ଏହାପରେ ସେ ଇସ୍ତଫା ଦେବା ନେଇ ରାଜିଥିବା ଘୋଷଣା କରିଥିଲା। ଏହାପରେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଲ୍ଟ ହ୍ରଦ ନିକଟରେ ଆନ୍ଦୋଳନରେ ଥିବା ଜୁନିୟର ଡାକ୍ତରଙ୍କୁ ଭେଟି  ଆନ୍ଦୋଳନ ସମାପ୍ତ କରି କାମକୁ ଫେରିବାକୁ  ଅପିଲ୍‌ କରିଥିଲେ।

ଗତକାଲିର ବୈଠକ ପରେ ଡାକ୍ତରମାନେ ଆନ୍ଦୋଳନସ୍ଥଳକୁ ଫେରି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଆନ୍ଦୋଳନର ବିଜୟ ବୋଲି କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବେ ବୋଲି କହିଛନ୍ତି ଜୁନିୟର ଡାକ୍ତର। 

ପ୍ରଶାସନ ଆମର ବହୁ ଦାବି ମାନି ନେଇଛି କିନ୍ତୁ ସ୍ୱାସ୍ଥ୍ୟ ବିଭାଗରେ ଭ୍ରଷ୍ଟାଚାର ମାମଲାରେ ପଦକ୍ଷେପ ନିଆ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନା ଚାଲୁ ରହିବ । ପୂରା ବ୍ୟବସ୍ଥାକୁ ଲୋକତାନ୍ତ୍ରିକ କରିବାକୁ ଆମେ ଦାବି ରଖିଛୁ। ଏହି ମାମଲାର ସମାଧାନ ପାଇଁ ସରକାର ଏକ ଟାକ୍ସ ଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି

ସୁପ୍ରିମ କୋର୍ଟଙ୍କ ଶୁଣାଣି ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଚାଲୁ ରଖିବୁ । ଏହାପରେ ଏହା ଉପରେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଆନ୍ଦୋଳନରତ ଜୁନିୟର ଡାକ୍ତର

Related story