Advertisment

Suicide: ସରି ପାପା! ୯ମ ମହଲାରୁ ଡେଇଁ ପଡ଼ିଲେ ୩ ଭଉଣୀ, ଫୋକସରେ କୋରିଆନ୍‌ ଗେମ ଆପ୍‌

ସେମାନଙ୍କ ଚିତ୍କାର ଓ ଶରୀର ଚଟାଣରେ ପଡ଼ିବା ପରେ ହୋଇଥିବା ଶବ୍ଦ ଭାରତ ସିଟି ଆପାର୍ଟମେଣ୍ଟରେ ରହୁଥିବା ପରିବାର, ପଡ଼ୋଶୀ ଓ ସିକ୍ୟୁରିଟୀ ଗାର୍ଡଙ୍କ ନିଦ ଭାଙ୍ଗିବାକୁ ଯଥେଷ୍ଟ ଥିଲା। ନିଦରୁ ଉଠି ବାପା ମା’ ବାଲକୋନୀ କବାଟ ଭାଙ୍ଗି ଦେଖିଲା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା।

author-image
Hemant Lenka
Suicide

AI ଫଟୋ

ସରି ପାପା। ମୁଁ ବହୁତ ବହୁତ ଏକୁଟିଆ ଅନୁଭବ କରୁଛି। ମୁଁ ସତରେ ବହୁତ ଦୁ‍ଃଖିତ। ଏହା ଥିଲା ୯ମ ମହଲାରୁ ଡେଇଁ ଆତ୍ମ କରିଥିବା ୩ ଭଉଣୀଙ୍କ ଶେଷ ଶବ୍ଦ। ବୁଧବାର ଭୋର ପ୍ରାୟ ୨.୧୫। ଉତ୍ତର ପ୍ରଦେଶ(Uttar Pradesh)ର ଗାଜିଆବାଦ(gaziabad) ସ୍ଥିତ ନିଜର ୯ମ ମହଲା ଆପାର୍ଟମେଣ୍ଟରୁ ଜଣଙ୍କ ପରେ ଜଣେ ଏପରି ଭାବେ ୩ ଜଣ ଭଉଣୀ ହଠାତ ତଳକୁ ଡେଇଁ ପଡ଼ିଥିଲେ। ଏତେ ଉଚ୍ଚରୁ ଡେଇଁବାରୁ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲି ଯାଇଛି। ସରି ପାପା ଲେଖିବା ପରେ ହିଁ ୩ ଜଣ ଯାକ ତଳକୁ ଡେଇଁ ପଡ଼ିଥିଲେ। 

Advertisment

ମୃତକମାନେ ହେଲେ ପାଖି(୧୨), ପ୍ରାଚୀ(୧୪) ଓ ବିଶିକା(୧୬)। ଏହି ୩ ଭଉଣୀ ଅନଲାଇନ(Online Game)ରେ କୋରିଆନ ଟାସ୍କ ଭିତ୍ତିକ ଗେମିଂ ଆପରେ ସବୁବେଳେ ବୁଡ଼ି ରହୁଥିଲେ। ଖାସ ଏହି କାରଣରୁ ସେମାନେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଘଟଣା ଦିନ ରାତିରେ ୩ ଭଉଣୀ ସେମାନଙ୍କ ବାଲକୋନୀକୁ ଯାଇଥିଲେ। ବାହାର ପଟୁ ଏହାକୁ ବନ୍ଦ କରିବା ପରେ ସିଧା ଗୋଟିଏ ଝରକା ପଟେ ତଳକୁ ଜଣଙ୍କ ପରେ ଜଣେ ଡେଇଁଥିଲେ।

ସେମାନଙ୍କ ଚିତ୍କାର ଓ ଶରୀର ଚଟାଣରେ ପଡ଼ିବା ପରେ ହୋଇଥିବା ଶବ୍ଦ ଭାରତ ସିଟି ଆପାର୍ଟମେଣ୍ଟରେ ରହୁଥିବା ପରିବାର, ପଡ଼ୋଶୀ ଓ ସିକ୍ୟୁରିଟୀ ଗାର୍ଡଙ୍କ ନିଦ ଭାଙ୍ଗିବାକୁ ଯଥେଷ୍ଟ ଥିଲା। ନିଦରୁ ଉଠି ବାପା ମା’ ବାଲକୋନୀ କବାଟ ଭାଙ୍ଗି ଦେଖିଲା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। 

Advertisment

ଏସିପି ଅତୁଲ କୁମାର ସିଂହ କହିଛନ୍ତି, “ଆମେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଚେତନ କୁମାରଙ୍କ ୩ ଝିଅ ବିଲଡିଂରୁ ଡେଇଁ ପ୍ରାଣ ହରାଇ ସାରିଥିଲେ। ଚଟାଣରେ ୩ ଝିଅଙ୍କ ମୃତଦେହ ପଡ଼ିଥିବା ବେଳେ ସେମାନଙ୍କ ମା’ କେବଳ ମୁଣ୍ଡ ପିଟି କାନ୍ଦୁଥିଲେ। ସେହିପରି ପଡ଼ୋଶୀମାନେ ପୂରା ଅଞ୍ଚଳରେ ଉପସ୍ଥିତ ରହିଥିଲେ।”

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ୩ ଭଉଣୀ କୋରଆ ଲଭ ଗେମ୍‌ରେ ବୁଡ଼ି ରହିଥିଲେ। ସେମାନେ ଏତେ ମାତ୍ରାରେ ଗେମ ନିଶାରେ ପଡ଼ିଥିଲେ ଯେ କୌଣସି କାମ କିମ୍ବା ପାଠ ପଢ଼ୁ ନଥିଲେ। ପ୍ରାୟ ୨ ବର୍ଷ ହେବ ସେମାନେ ସ୍କୁଲ ଯିବା ମଧ୍ୟ ବନ୍ଦ କରି ଦେଇଥିଲେ। 

୮ ପୃଷ୍ଠାର ସୁଇସାଇଡ ନୋଟ 

ତଦନ୍ତକାରୀ ଅଧିକାରୀମାନେ ୩ ଭଉଣୀ ଛାଡ଼ି ଯାଇଥିବା ହାତ ଲେଖା ଚିଠି ଓ ଗୋଟିଏ ଡାଏରୀ ଉପରେ ଏବେ ଫୋକସ କରିଛନ୍ତି। ହାତ ଲେଖା ଚିଠିରେ ଲେଖାଯାଇଛି ଯେ “ଏହି ଡାଏରୀରେ ଯାହା ବି କିଛି ଲେଖାଯାଇଛି ସେସବୁ ପଢ଼ନ୍ତୁ। କାରଣ ଏଥିରେ ଲେଖାଯାଇଥିବା କଥା ସବୁ ସତ। ଏବେ ପଢ଼ନ୍ତୁ। ମୁଁ ବହୁତ ଦୁଃଖିତ। ସରି ପାପା।” ହାତରେ ଲେଖା ଯାଇଥିବା ଚିଠିରେ ଗୋଟିଏ କାନ୍ଦୁ ଥିବା ଇମୋଜି ମଧ୍ୟ ରହିଛି। ଗୋଟିଏ ପକେଟ ଡାଏରୀରେ ୮ ପୃଷ୍ଠାର ହାତ ଲେଖା ନୋଟ ରହିଛି। ଏଥିରେ ୩ ଭଉଣୀ ସେମାନେ ଗେମିଂ ଓ ମୋବାଇଲ ବ୍ୟବହାର ସମ୍ପର୍କରେ ସବୁ କିଛି ଲେଖିଛନ୍ତି। 

ସେମାନଙ୍କ ବାପା ଚେତନ କୁମାରଙ୍କ କହିବା କଥା ଯେ ୩ ଝିଅ କୋରିଆନ ଗେମରେ ଏତେ ବୁଡ଼ି ଯାଇଥିଲେ ଯେ ସେମାନଙ୍କୁ ସବୁ କିଛି କୋରିଆ ଭଳି ଲାଗୁଥିଲା। ସେମାନେ ନିଜେ ନିଜର କୋରିଆନ ନାଁ ଦେଇଥିଲେ। ମଝିଆଁ ଭଉଣୀ ପ୍ରାଚୀ ସବୁଥିରେ ନେତୃତ୍ୱ ନେଉଥିଲା। ସେହିପରି ଏହି ଆପ୍‌ରେ ଥିବା ଭୟଙ୍କର ଗେମ ପାଇଁ ସେ ହିଁ ଦୁଇ ଭଉଣୀଙ୍କକୁ ପ୍ରବର୍ତ୍ତାଇଥିଲା। ୩ ଝିଅ ମୋବାଇଲରେ ସବୁବେଳେ ବୁଡ଼ି ରହୁଥିବାରୁ କିଛି ଦିନ ତଳେ ପରିବାର ଲୋକ ଏହା ଉପରେ କଟକଣା ଲଗାଇଥିଲେ ବୋଲି ଚେତନ କୁମାର କହିଛନ୍ତି। 

ଚେତନ କୁମାର କହିଛନ୍ତି, “ସେମାନେ କହିଥିଲେ ସରି ପାପା। କୋରିଆ ଆମ ଜୀବନ। କୋରିଆ ହେଉଛି ଆମର ସବୁଠାରୁ ବଡ଼ ଭଲ ପାଇବା। ତୁମେ ଯାହା କହିଲେ ବି ଆମେ ଏହାକୁ ଛାଡ଼ି ପାରିବୁ ନାହିଁ। ଏପରି ଘଟଣା କୌଣସି ପରିବାର କିମ୍ବା ପିଲାଙ୍କ ସହ ନ ଘଟୁ। ବାପା ମା’ ନିଜ ପିଲାମାନଙ୍କୁ ମୋବାଇଲ ଗେମ ଖେଳିବାକୁ ଦିଅନ୍ତୁ ନାହିଁ। ମୁଁ ସେହି ଗେମ ସମ୍ପର୍କରେ କିଛି ବି ଜାଣିନି। ମୁଁ ଜାଣିଥିଲେ ଏହାକୁ ଖେଳିବାକୁ କେବେ ହେଲେ ଦେଇ ଅନୁମତି ଦେଇ ନଥାଆନ୍ତି।” 

୩ ଭଉଣୀଙ୍କ ବେଡରୁମର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିଚଳିତ କରିଛି। ବେଡରୁମର କାନ୍ଥରେ ଲେଖା ହୋଇଛି ଯେ “ମୁଁ ଅତ୍ୟନ୍ତ ଏକା। ମୋତେ ଗୋଟିଏ ଭଙ୍ଗା ହୃଦୟ କରିଦିଅ।” 

ବରିଷ୍ଠ ପୁଲିସ୍‌ ଅଧିକାରୀ ନିମିଶ ପଟେଲଙ୍କ କହିବା କଥା ଯେ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ନିର୍ଦ୍ଦିଷ୍ଟ ଅନଲାଇନ ଗେମର ନାଁ ଜଣାପଡ଼ିନି। କିନ୍ତୁ ୩ ଭଉଣୀ କୋରିଆ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ ଓ ଏକଥା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି।

ଗଲା କିଛି ଦିନ ହେବ ସେମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦିଆଯାଉ ନଥିଲା। ଏପରି କଟକଣା ସେମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ୩ ଭଉଣୀ ସବୁ କିଛି ଏକାଠି କରୁଥିଲେ। ଏକାଠି ଖାଇବା ପିଇବା ଠାରୁ ଆରମ୍ଭ କରି ବାଥରୁମରେ ଏକାଠି ଗାଧୋଉଥିଲେ। 

କୋଭିଡ ୧୯ ମହାମାରୀ ବେଳେ ସେମାନେ ଗେମର ଜାଲରେ ପଡ଼ିଥିଲେ। ଗେମ ଯୋଗୁ ସେମାନେ ନିୟମିତ ସ୍କୁଲରେ ଅନୁପସ୍ଥିତ ରହୁଥିଲେ। ଶେଷରେ ସେମାନେ ସ୍କୁଲ ଯିବା ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। 

ପୁଲିସ୍‌ ଜାଣିବାକୁ ପାଇଛି ଯେ ଚେତନ କୁମାରଙ୍କ ୨ ଜଣ ପତ୍ନୀ। ୨ ପତ୍ନୀ ୨ ଭଉଣୀ ମଧ୍ୟ। ସେ ୨ ପତ୍ନୀ ଓ ୫ ପିଲାଙ୍କ ସହ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ପ୍ରଥମ ସ୍ତ୍ରୀଙ୍କ ଦୁଇ ଝିଅ ଓ ଦ୍ୱିତୀୟ ପତ୍ନୀଙ୍କ ଜଣ ଝିଅ ଆତ୍ମହତ୍ୟା(Suicide) କରିଛନ୍ତି। ଏବେ ଚେତନ କୁମାର ଓ ତାଙ୍କ ଦୁଇ ପତ୍ନୀ ନିଜର ୯ ବର୍ଷର ପୁଅ ଓ ୩ ବର୍ଷର ଝିଅ ସହ ରହିଛନ୍ତି। 

Suicide Online Game Uttar Pradesh gaziabad