KTR (File Photo)
ଫର୍ମୁଲା ଇ ରେସ୍ ଆୟୋଜନରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଓରଫ କେଟିଆରଙ୍କୁ ମିଳିଛି ଆଶ୍ୱସ୍ତି। ଏହି ଦୁର୍ନୀତି ମାମଲାରେ କେଟିଆରଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୭ରେ କରାଯିବ। ହେଲେ ୩୦ ତାରିଖ ପର୍ଯ୍ୟନ୍ତ କେଟିଆରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ତେବେ ମାମଲାରେ ତଦନ୍ତ ଜାରି ରଖିବା ପାଇଁ ଦୁର୍ନୀତି ନିବାରଣ ଶାଖା(ଏସିବି)କୁ କୋର୍ଟ ଅନୁମତି ଦେଇଛନ୍ତି।
ସୂଚନା ଅନୁସାରେ ଏହି ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏଣ୍ଟ୍ରି ମାରିଛି। ଦୁର୍ନୀତି ନିବାରଣ ଶାଖା(ଏସିବି)କୁ ଚିଠି ଲେଖି ମାମଲାର ତଥ୍ୟ ମାଗିଛି ଇଡି। ତଦନ୍ତକାରୀ ସଂସ୍ଥା ଏସିବି ନିକଟରୁ ସମସ୍ତ ତଥ୍ୟ ପାଇବା ପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବ ଇଡି। ଯାହା ପୂର୍ବତନ ମନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ାଇପାରେ। କାରଣ ଏସିବି ଏଫଆଇଆରରେ ଦର୍ଶାଯାଇଛି ଯେ ଫର୍ମୁଲା ଇ ଆୟୋଜକ(ଏଫଓଇ) ହେଉଛି ଗୋଟିଏ ବିଦେଶ କମ୍ପାନୀ। କ୍ୟାବିନେଟର ବିନା ଅନୁମତିରେ ଏହି କମ୍ପାନୀକୁ କେଟିଆର ଟଙ୍କା ଦେବାକୁ ସ୍ଥିର କରିଥିଲେ। ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ ପ୍ରାଧିକରଣ ଆରବିଆଇର ଗାଇଡଲାଇନକୁ ଉଲ୍ଲଙ୍ଘନ କରି ୨ଟି ଦଫାରେ ୪୫ କୋଟି ଟଙ୍କା ପ୍ରଦାନ କରିଥିଲା। ଏଥିପାଇଁ ତେଲଙ୍ଗାନା ସରକାରଙ୍କ ଉପରେ ଆରବିଆଇ ୮ କୋଟି ଟଙ୍କାର ଜୋରିମାନା ଲାଗୁ କରିଥିଲା।
ଅନ୍ୟପଟେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଶୁକ୍ରବାର ଏହି ମାମଲାରେ ନିଜ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତର୍କ ରଖିଥିଲେ ଯେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। କେଟିଆରଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ଫର୍ମୁଲା ଇ ରେସ୍ ଆୟୋଜନ ବିଆରଏସ୍ ସରକାରଙ୍କର ଏକ କାର୍ଯ୍ୟକ୍ରମ ଥିଲା। ପୂର୍ବତନ ମନ୍ତ୍ରୀ କେଟିଆରଙ୍କ ଦ୍ୱାରା ହୋଇଥିବା ଭୁଲ ହେଉଛି ସରକାରଙ୍କ ବିଫଳତା, ଏହା ଦୁର୍ନୀତି ନୁହେଁ। ହେଲେ ମାମଲାର କୌଣସି ପ୍ରାଥମିକ ତଦନ୍ତ କରାନଯାଇ ହଠାତ ୧୪ ମାସ ପରେ ମାମଲା ରୁଜୁ କରାଯାଇଛି।
ଉଲ୍ଲେଖ ଯୋଗ୍ୟ, ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ବିଆରଏସ୍ ସରକାର ସମୟରେ ମ୍ୟୁନିସପାଲ ଆଡମିନଷ୍ଟ୍ରେସନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହାଇଦ୍ରାବାଦରେ ଫର୍ମୁଲା-ଇ ରେସ୍ ଆୟୋଜନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରକୃତରେ ଏହା ଗତବର୍ଷ ଆୟୋଜନ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଚଳିତ ବର୍ଷ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହି ରେସ୍କୁ ବାତିଲ କରି ଦେଇଥିଲା। ତେବେ ରେସ୍ ପାଇଁ ହୋଇଥିବା ଆର୍ଥିକ କାରବାରରେ ବ୍ୟାପକ ହେରଫେର ହୋଇଥିବା ଏସିବି ଜାଣିବାକୁ ପାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
