Advertisment

ମଣିପୁରରେ ଶାନ୍ତି ପ୍ରତିଷ୍ଠା ଦିଗରେ ବଡ଼ ପଦକ୍ଷେପ: ଜାତୀୟ ରାଜପଥ-୨ ଖୋଲିବ କୁକି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ମଣିପୁର ଗସ୍ତରେ ଯିବାର ଅଛି। ୨୦୨୩ରୁ ଆରମ୍ଭ ହୋଇଥିବା ସଂଘର୍ଷ ପରେ ଏହା ମୋଦିଙ୍କ ପ୍ରଥମ ମଣିପୁର ଗସ୍ତ ହେବ।

Kuki

Kuki

Advertisment

ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷକୁ ନେଇ ୨୦୨୩ ମେ’ ମାସରୁ ଅଶାନ୍ତ ରହିଥିବା ମଣିପୁରରେ ଶାନ୍ତି ପ୍ରତିଷ୍ଠାର ସମ୍ଭାବନା ସୃଷ୍ଟି ହୋଇଛି। ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ମଣିପୁର ସରକାର କୁକି ଜୋ ଗ୍ରୁପ ସହ ଗୋଟିଏ ନୂଆ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ମଣିପୁର ଗସ୍ତରେ ଯିବାର ଅଛି। ୨୦୨୩ରୁ ଆରମ୍ଭ ହୋଇଥିବା ସଂଘର୍ଷ ପରେ ଏହା ମୋଦିଙ୍କ ପ୍ରଥମ ମଣିପୁର ଗସ୍ତ ହେବ। ଏହାପୂର୍ବରୁ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଛି।

Advertisment

ଉକ୍ତ ବୁଝାମଣା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଆଲୋଚନା ବେଳେ ସ୍ୱାକ୍ଷରିତ ହୋଇଛି। ଏଥିରେ ଜାତୀୟ ରାଜପଥ-୨କୁ ଖୋଲିବାର ପ୍ରାବଧାନ ରହିଛି। ଏହାଦ୍ୱାରା ସାଧାରଣ ଲୋକ ଓ ଜରୁରୀ ସାମଗ୍ରୀ ବିନା କୌଣସି କଟକଣାରେ ଯିବା ଆସିବା କରିପାରିବ। ସଂଘର୍ଷ ଯୋଗୁ ଜାତୀୟ ରାଜପଥକୁ କୁକିମାନେ ବନ୍ଦ କରି ରଖିଥିଲେ। ଏବେ ଏହାକୁ ଖୋଲିବାକୁ ବୁଝାମଣା ହୋଇଛି।

କୁକି-ଜୋ କାଉନସିଲ (କେଜେଡସି) ଏହି ପ୍ରମୁଖ ମାର୍ଗରେ ଶାନ୍ତି ବଜାୟୀ ରଖିବା ପାଇଁ ସୁରକ୍ଷାକର୍ମୀଙ୍କ ସହ ମିଶି କାମ କରିବାକୁ ରାଜି ହୋଇଛି। କେଜେଡସିର ପ୍ରତିନିଧି ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ଏକାଧିକ ଥର ଆଲୋଚନା ପରେ ଏଭଳି ବୁଝାମଣା ସମ୍ଭବ ହୋଇପାରିଛି।

Advertisment

ମଣିପୁରରେ ୨୦୨୩ ମେ’ ମାସରୁ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସଂଖ୍ୟାଗରିଷ୍ଠ ମୈତୈ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବାକୁ ମଣିପୁର ହାଇକୋର୍ଟ ବୀରେନ ସିଂହ ସରକାରଙ୍କୁ ନିର୍ଦ୍ଦେଶ ଦେବା ମାତ୍ରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ସଂଖ୍ୟାଲଘୁ ସଂପ୍ରଦାୟ କୁକି ପକ୍ଷରୁ ହାଇକୋର୍ଟ ରାୟକୁ ବିରୋଧ କରାଯାଇଥିଲା। ସେବେଠାରୁ ମଣିପୁରରେ ଦେଖାଯାଇଥିବା ସଂଘର୍ଷରେ କୁକୁ, ମୈତୈ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ୨୬୦ ଜଣଙ୍କ ଜୀବନ ଗଲାଣି। ଅନେକ ଲୋକ ବାସହରା ହୋଇଯାଇଛନ୍ତି।

ଜାତୀୟ ରାଜପଥ-୨ ଖୋଲିବା ସହ ଅତିରିକ୍ତ ଭାବେ ତ୍ରିପାକ୍ଷିକ ସସପେନସନ ଅଫ ଅପରେସନ(ଏସଓଓ) ବୁଝାମଣା ରିଭାଇଜଡ କରାଯାଇଛି। କୁକି ନ୍ୟାଶନାଲ ଅର୍ଗାନାଇଜେସନ ଓ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ ବିବାଦ ବହୁଳ ଅଞ୍ଚଳରୁ ସେମାନଙ୍କ ୭ଟି କ୍ୟାମ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବେ। ଏହାବାଦ ସେମାନେ କ୍ୟାମ୍ପ ସଂଖ୍ୟାକୁ ହ୍ରାସ କରିବେ ଓ ସିଆରପିଏଫ-ବିଏସଏଫ କ୍ୟାମ୍ପକୁ ଯେମିତି ଅସ୍ତ୍ରଶସ୍ତ୍ର ପୁଣି ଫେରିବ, ତା’କୁ ନିଶ୍ଚିତ କରିବେ।

ସଂଗଠନର କ୍ୟାଡରଙ୍କ ଯାଞ୍ଚ କରାଯିବ। ସଂଗଠନରୁ ବିଦେଶୀଙ୍କ ବିତାଡ଼ିତ କରିବାକୁ ଏପରି ପଦକ୍ଷେପ ନିଆଯିବ। ଗୋଟିଏ ଯୁଗ୍ମ କମିଟି ସଂଶୋଧିତ ନିୟମ କାର୍ଯ୍ୟକାରୀ କରାଯାଉଛି କି ନାହିଁ, ତା’ ଉପରେ ନଜର ରଖିବ। ନିୟମ ଉଲ୍ଲଙ୍ଘନ ହେଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ବୁଝାମଣା ପତ୍ରରେ ଉଲ୍ଲେଖ ରହିଛି।

Manipur Manipur Violence Meiteis-Kuki Clashes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe