/odisha-reporter/media/post_attachments/uploadimage/library/16_9/16_9_0/IMAGE_1716217394.jpg)
HD Kumaraswamy
ଯୌନ ଶୋଷଣ ମାମଲରେ ଫସି ଦେଶରୁ ଫେରାର ହୋଇଯାଇଥିବା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଘରୁକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ଜେଡିଏସ ନେତା ଏଚଡି କୁମାରସ୍ୱାମୀ।
କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ହେଉଛନ୍ତି ପ୍ରଜ୍ଜ୍ୱଳଙ୍କ ଦାଦା। ପ୍ରଜ୍ଜ୍ୱଳ ଭାରତ ଫେରି ଆସନ୍ତୁ ଓ ତାଙ୍କ ପରିବାର ସମ୍ମାନ ପାଇଁ ଯୌନ ଶୋଷଣ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ନିକଟରେ ହାଜର ହୁଅନ୍ତୁ ବୋଲି କୁମାରସ୍ୱାମୀ କହିଛନ୍ତି।
ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବାର ଏକାଧିକ ଭିଡିଓ ସାମ୍ନାକୁ ଆସିବା ପରେ ୩୩ ବର୍ଷୀୟ ପ୍ରଜ୍ଜ୍ୱଳ ଜର୍ମାନୀ ଚାଲି ଯାଇଛନ୍ତି। ତାଙ୍କ ନାଁରେ ଏକାଧିକ ଗିରଫ ପରୱାନା ମଧ୍ୟ ଜାରି ହୋଇଛି।
ପ୍ରଜ୍ଜ୍ୱଳ ୨୦୧୯ରେ ହାସନ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ମଧ୍ୟ ସେ ଏହି ଆସନରୁ ଜେଡିଏସ-ବିଜେପିର ପ୍ରାର୍ଥୀ ହୋଇଛନ୍ତି। ପ୍ରଜ୍ଜ୍ୱଳଙ୍କ ଫେରାରକୁ ନେଇ ଜେଡିଏସ ଓ ବିଜେପି ବ୍ୟାକଫୁଟରେ ଥିବା ବେଳେ ଆଜି କୁମାରସ୍ୱାମୀଙ୍କ ବୟାନ ସାମ୍ନାକୁ ଆସିଛି।
କୁମାରସ୍ୱାମୀ କହିଛନ୍ତି, “ଭାରତ ଫେରି ଆସ। ଆମ ପରିବାରର ସମ୍ମାନ ରକ୍ଷା କର। ଦୟାକରି ଏସଆଇଟି ପାଖରେ ହାଜର ହୁଅ ଓ ତଦନ୍ତରେ ସହାୟତା କର। ଯଦି ତୁମେ କିଛି ଭୁଲ କରି ନାହଁ, ତା’ହେଲେ ଏତେ ଭୟ କାହିଁକି?”
କୁମାରସ୍ୱାମୀଙ୍କ କହିବା କଥା ଯେ ସେ ତାଙ୍କ ଭାଇ ଏଚ୍ଡି ରେଭାନ୍ନା(ପ୍ରଜ୍ଜ୍ୱଳଙ୍କ ବାପା) ଓ ତାଙ୍କ ପରିବାର ଲୋକଙ୍କ ସହ ବେଶୀ ମିଶନ୍ତି ନାହିଁ। କେବଳ ପାରିବାରିକ କାର୍ଯ୍ୟକ୍ରମରେ ସେମାନଙ୍କର ଦେଖାହୁଏ। ତେଣୁ ତାଙ୍କ ପରିବାର ଓ ବ୍ୟବସାୟ ବିଷୟରେ ସେ ବେଶୀ କିଛି ଜାଣି ନଥିବା କହିଛନ୍ତି।
ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଛି। କିନ୍ତୁ ଏନଡିଏ ପାର୍ଟନର ବିଜେପି ଓ ଜେଡିଏସ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ସେହିପରି ଯୌନ ଶୋଷଣର ଭିଡିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଦଳ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
