Advertisment

ଅଭିନେତ୍ରୀ ଲୈଲା ଖାନ ହତ୍ୟା ଘଟଣା: ସାବତ ବାପାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ଲୈଲା ଖାନ୍‌ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ ହତ୍ୟା କରିଥିଲେ ପରବେଜ ଟାକ।

author-image
Jitendra Garnayak
Laila Khan

Laila Khan

ବଲିଉଡ୍‌ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରବେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଏହି ସଜା ଶୁଣାଇଛନ୍ତି। ଲୈଲା ଖାନ୍‌ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ ହତ୍ୟା କରିଥିଲେ ପରବେଜ ଟାକ। ୨୦୧୧ ମସିହାରେ ଘଟିଥିଲା ଏହି ଘଟଣା। ଗତ ୯ ତାରିଖରେ କୋର୍ଟ ପରବେଜ ଟାକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ସଜା ଶୁଣାଇଛନ୍ତି।

Advertisment

ସଜା ଶୁଣାଇବା ବେଳେ ବିଚାରପତି ଜଷ୍ଟିସ୍ ଏସ୍‌ବି ପାୱାର କହିଥିଲେ ଯେ ଏହି ମାମଲାଟି ବିରଳରୁ ବିରଳତର ବର୍ଗରେ ଯାଉଛି। ସେଥିପାଇଁ ପରବେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି। ସେହିଭଳି ପ୍ରମାଣ ନଷ୍ଟ କରିବା ହେତୁ ତାଙ୍କୁ ୭ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦିଆଯାଉଛି। ତା’ସହିତ ତାଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା କରାଯାଉଛି।

ପରବେଜ ଟାକଙ୍କୁ ତୃତୀୟ ବିବାହ କରିଥିଲେ ଲୈଲାଙ୍କ ମା’ ସେଲିନା ପଟେଲ। ତେବେ ପରବେଜ ସର୍ବଦା ନିଜକୁ ଅସୁରକ୍ଷିତ ମଣୁଥିଲେ। ସେଲିନା ଓ ତାଙ୍କ ପିଲାମାନେ ତାଙ୍କୁ ଚାକର ଭଳି ବ୍ୟବହାର କରୁଥିଲେ ବୋଲି ପରବେଜ ଭାବୁଥିଲେ। ସେ ଡରୁ ଥିଲେ ଯେ ସେଲିନା ତାଙ୍କୁ ଭାରତରେ ଛାଡ଼ି ନିଜ ଛୁଆମାନଙ୍କ ସହିତ ଦୁବାଇ ଚାଲିଯିବେ। ଏସବୁ ଭିତରେ ସଂପତ୍ତିକୁ ନେଇ ସେଲିନାଙ୍କ ସହିତ ତାଙ୍କର ମତଭେଦ ଥିଲା।

Advertisment

୨୦୧୧ ଫେବ୍ରୁଆରୀ ମାସରେ ଲୈଲା ଖାନ୍, ତାଙ୍କ ମା’ ଓ ୪ ଭାଇ-ଭଉଣୀଙ୍କୁ ପରବେଜ ଟାକ ତାଙ୍କର କିଛି ସହଯୋଗୀଙ୍କ ସହିତ ମିଶି ହତ୍ୟା କରିଥିଲା। ଲୈଲାଙ୍କ ମହାରାଷ୍ଟ୍ରର ଇଗତପୁରୀ ସ୍ଥିତ ବଙ୍ଗଳାରେ ଏହି ଘଟଣା ଘଟିଥିଲା। ସଂପତ୍ତିକୁ ନେଇ ଝଗଡ଼ା ହେବା ପରେ ପରବେଜ ଟାକ ପ୍ରଥମେ କୌଣସି ଏକ ଓଜନିଆ ବସ୍ତୁରେ ଲୈଲାଙ୍କ ମା’ ସେଲିନାଙ୍କୁ ପିଟି ମାରିଥିଲେ। ଲୈଲା ଓ ତାଙ୍କ ଭାଇ-ଭଉଣୀମାନେ ସେଲିନାଙ୍କୁ ବଞ୍ଚାଇବାକୁ ପ୍ରୟାସ କଲା ବେଳେ ପରବେଜ ଟାକ ଓ ତାଙ୍କ ସାଥୀମାନେ ଲୁହା ରଡ୍ ଏବଂ ଛୁରୀରେ ସେମାନଙ୍କୁ ହତ୍ୟା କରିଥିଲେ। ପରେ ସେହି ଫାର୍ମ ହାଉସ୍ ପରିସରରେ ଏକ ଗାତ ଖୋଳି ସେମାନେ ମୃତଦେହଗୁଡ଼ିକୁ ପୋତି ଦେଇଥିଲେ। ତା’ପରେ ପ୍ରମାଣ ନଷ୍ଟ କରି ଦେବା ପାଇଁ ଫାର୍ମ ହାଉସ୍‌ରେ ନିଆଁ ଲଗାଇ ଦେଇଥିଲେ। ଲୈଲା ଖାନ ଓ ତାଙ୍କ ପୂରା ପରିବାର ନିଖୋଜ ହେବା ପରେ ସମସ୍ତଙ୍କ ସନ୍ଦେହ ହୋଇଥିଲା। ଲୈଲାଙ୍କ ବାପା ଏ ନେଇ ଥାନାରେ ଏତଲା ଦେଇଥିଲେ।

ପୁଲିସ୍‌ ପ୍ରଥମେ ପରବେଜ ଟାକଙ୍କ ଉପରେ ସନ୍ଦେହ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ କିଛି ମାସ ପରେ ପରବେଜ ଟାକ ଗିରଫ ହୋଇଥିଲେ। ସେହିଦିନଠାରୁ ମାମଲାର ଶୁଣାଣି ଚାଲିଥିବା ବେଳେ ୧୩ ବର୍ଷ ପରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି।

Death Sentence