Advertisment

ବଡ଼ ପୁଅ ଉପରେ ଲାଲୁଙ୍କର ବଡ଼ କାର୍ଯ୍ୟାନୁଷ୍ଠାନ; ଦଳରୁ ବହିଷ୍କାର କଲେ, ପରିବାରରୁ ଦୂରେଇ ଦେଲେ

ତେଜ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଲାଲୁ ପ୍ରସାଦ ଯାଦବ ଆଜି ତାଙ୍କ ‘ଏକ୍ସ’ ମାଧ୍ୟମରେ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Lalu Yadav with Tej Pratap

Lalu Yadav with Tej Pratap

Advertisment

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର ତାଙ୍କ ବଡ଼ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ତା’ସହିତ ତାଙ୍କୁ ପରିବାରଠାରୁ ଦୂରେଇ ଦେଇଛନ୍ତି। ଲାଲୁଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଛି ତେଜ ପ୍ରତାପ ଯାଦବଙ୍କ ଗତକାଲିର ସୋଶାଲ ମିଡିଆ ପୋଷ୍ଟ, ଯେଉଁଥିରେ ସେ ଓ ଜଣେ ମହିଳା ଥିଲେ। ଉକ୍ତ ମହିଳାଙ୍କୁ ସେ ତାଙ୍କର ପ୍ରେମିକା ଭାବେ ଦର୍ଶାଇବା ସହିତ ତାଙ୍କ ସହିତ ବହୁ ବର୍ଷ ହେଲା ରିଲେସନଶିପ୍‌ରେ ଅଛନ୍ତି ବୋଲି ଲେଖିଥିଲେ। ଅବଶ୍ୟ ପରେ ତେଜ ପ୍ରତାପ ଉକ୍ତ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ।

Advertisment

ତେଜ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା କଥା ଆଜି ଲାଲୁ ପ୍ରସାଦ ଯାଦବ ତାଙ୍କ ‘ଏକ୍ସ’ ମାଧ୍ୟମରେ ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ନିଜ ବ୍ୟକ୍ତିଗତ ଜୀବନରେ ମୂଲ୍ୟବୋଧକୁ ଅବହେଳା କଲେ ସାମାଜିକ ନ୍ୟାୟ ପାଇଁ ଆମେ କରୁଥିବା ସାମୂହିକ ଲଢ଼େଇ ଦୁର୍ବଳ ହୋଇଯାଏ। ବଡ଼ ପୁଅର କାର୍ଯ୍ୟକଳାପ, ସର୍ବସାଧାରଣରେ ଆଚରଣ ଓ ଦାୟିତ୍ୱହୀନ ବ୍ୟବହାର ଆମ ପରିବାରର ମୂଲ୍ୟବୋଧ ଓ ସଂସ୍କାରର ଅନୁରୂପ ନୁହେଁ। ଅତଏବ ଉପରୋକ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଦଳ ଓ ପରିବାରରୁ ଦୂରେଇ ଦେଉଛି। ଏବେଠାରୁ ଦଳ ଓ ପରିବାରରେ ତା’ର କୌଣସି ପ୍ରକାର ଭୂମିକା ରହିବ ନାହିଁ। ତାକୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉଛି।

ନିଜ ଜୀବନର ଭଲ-ଖରାପ ଓ ଗୁଣ-ଦୋଷ ଆଦି ପରଖିବା ପାଇଁ ସେ ନିଜେ ସକ୍ଷମ। ତାଙ୍କ ସହିତ ଯେଉଁମାନେ ସଂପର୍କ ରଖିବେ, ସେମାନେ ସେମାନଙ୍କ ବିବେକକୁ ପଚାରି ନିଷ୍ପତ୍ତି ନେବେ। ସାର୍ବଜନୀନ ଜୀବନରେ ମୁଁ ସର୍ବଦା ପାରିବାରିକ ମର୍ଯ୍ୟାଦାକୁ ଗୁରୁତ୍ୱ ଦେଇ ଆସିଛି। ପରିବାରର ଆଜ୍ଞାକାରୀ ସଦସ୍ୟମାନେ ସାର୍ବଜନୀନ ଜୀବନରେ ଏହି ବିଚାରକୁ ଅନୁସରଣ କରିଛନ୍ତି ବୋଲି ଲାଲୁ ପ୍ରସାଦ ଯାଦବ ତାଙ୍କ ଏକ୍ସରେ ଲେଖିଛନ୍ତି।

Advertisment

ତେଜ ପ୍ରତାପଙ୍କ ଫେସ୍‌ବୁକ୍ ପୋଷ୍ଟ

ତେଜ ପ୍ରତାପ ଯାଦବ ତାଙ୍କ ଫେସ୍‌ବୁକ୍‌ରେ ଗତକାଲି ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସେ ଓ ଜଣେ ମହିଳା ଥିଲେ। ଉକ୍ତ ମହିଳାଙ୍କ ନାଁ ଅନୁଷ୍କା ଯାଦବ। ଏହି ପୋଷ୍ଟରେ ତେଜ ପ୍ରତାପ ଲେଖିଥିଲେ, ମୁଁ ତେଜ ପ୍ରତାପ ଯାଦବ ଓ ଏହି ଫଟୋରେ ମୋ ସହିତ ଥିବା ଝିଅ ଜଣଙ୍କ ହେଉଛନ୍ତି ଅନୁଷ୍କା ଯାଦବ। ଆମେ ପରସ୍ପରକୁ ଗତ ୧୨ ବର୍ଷ ହେଲା ଜାଣିଛୁ ଓ ପରସ୍ପରକୁ ଗଭୀର ଭାବେ ଭଲ ପାଉ। ଏହି ବର୍ଷଗୁଡ଼ିକରେ ଆମେ ରିଲେସନଶିପରେ ଅଛୁ। ଦୀର୍ଘ ସମୟ ହେଲା ମୁଁ ଏହି କଥାକୁ ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଥିଲୁ। କିନ୍ତୁ ଏଥିପାଇଁ ଉପଯୁକ୍ତ ଶବ୍ଦ ପାଉ ନଥିଲି। ଆଜି ଏହି ପୋଷ୍ଟ ମାଧ୍ୟମରେ ମୁଁ ମୋ ଦୃହୟ ଆପଣମାନଙ୍କ ସମ୍ମୁଖରେ ଖୋଲି ଦେଉଛି। ମୁଁ ଆଶା କରୁଛି ଯେ ଆପଣମାନେ ସମସ୍ତେ ବୁଝିପାରିବେ।

Anushka Yadav and Tej Pratapଅନୁଷ୍କା ଯାଦବ ଓ ତେଜ ପ୍ରତାପ ଯାଦବ

ତେଜ ପ୍ରତାପଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟରୁ ବିବାଦ ଉପୁଜିଥିଲା। ଏହି ପୋଷ୍ଟ ଦେଖିବା ପରେ ଅନେକେ ପଚାରିଥିଲେ ଯେ ଯଦି ସେ (ତେଜ ପ୍ରତାପ) ଏତେ ବର୍ଷ ହେଲାଣି ଜଣେ ମହିଳାଙ୍କ ସହିତ ରିଲେସନଶିପରେ ଥିଲେ, ତା’ହେଲେ ୨୦୧୮ରେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାଏଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ କାହିଁକି ବାହା ହୋଇଥିଲେ? ସୂଚନାଯୋଗ୍ୟ, ବାହାଘରର କିଛି ମାସ ପରେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟା ଅଲଗା ହୋଇଯାଇଥିଲେ। ତେବେ ଏବେବି ସେମାନଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଅଟକି ରହିଛି। ତେଜ ପ୍ରତାପ ଓ ଶାଶୁ ଘରର ଅନ୍ୟ ଲୋକମାନେ ତାଙ୍କୁ ଘରୁ ତଡ଼ି ଦେଇଥିଲେ ବୋଲି ଐଶ୍ୱର୍ଯ୍ୟା ଅଭିଯୋଗ କରିଥିଲେ।

ନକାରାତ୍ମକ ପ୍ରତିକ୍ରିୟା ଆସିବା ପରେ ତେଜ ପ୍ରତାପ ଉକ୍ତ ପୋଷ୍ଟକୁ ଫେସ୍‌ବୁକ୍‌ରୁ ଉଡ଼ାଇ ଦେଇଥିଲେ ଓ ‘ଏକ୍ସ’ରେ ଦାବି କରିଥିଲେ ଯେ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା ଓ ତାଙ୍କର ଉକ୍ତ ଫଟୋକୁ ଭୁଲ ଢଙ୍ଗରେ କେହି ଏଡିଟ୍ କରିଥିଲେ।

କ’ଣ କହିଛନ୍ତି ଭାଇ ତେଜସ୍ୱୀ

ତେଜ ପ୍ରତାପଙ୍କ ସାନ ଭାଇ ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏଭଳି ଜିନିଷକୁ କେବେ ବି ଗ୍ରହଣ କରାଯିବ ନାହିଁ। ଆମେ ଆମ କାର୍ଯ୍ୟ କରୁଛୁ। ଆମେ ବିହାର ପାଇଁ ସମର୍ପିତ। ଆମେ ଲୋକଙ୍କ ପ୍ରସଙ୍ଗ ଉଠାଉଛୁ। ଯେତେଦୂର ମୋ ବଡ଼ ଭାଇଙ୍କ କଥା ଉଠୁଛି, ରାଜନୀତିକ ଓ ବ୍ୟକ୍ତିଗତ ଜୀବନ ଅଲଗା ଅଲଗା। ସେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନ। ସେ ଜଣେ ସାବାଳକ ଓ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଆମ ଦଳର ମୁଖ୍ୟ ତାହା ସ୍ପଷ୍ଟ କରି ସାରିଛନ୍ତି।

ନୀତୀଶଙ୍କ ଦଳ ମାରିଲା ବାଣ

ତେଜ ପ୍ରତାପ ପ୍ରସଙ୍ଗରେ ଲାଲୁ ଯାଦବଙ୍କୁ ଘେରିଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ‘ଜନତା ଦଳ (ୟୁନାଇଟେଡ୍‌)’। ଦଳ ପକ୍ଷରୁ କୁହାଯାଇଛି ଯେ ତେଜ ପ୍ରତାପଙ୍କ ବିରୋଧରେ ଲାଲୁ ପ୍ରସାଦ ଯାଦବଙ୍କ କାର୍ଯ୍ୟାନୁଷ୍ଠାନ କେବଳ ଲୋକଙ୍କୁ ଭକୁଆ ବନାଇବା ପାଇଁ ଉଦ୍ଦିଷ୍ଟ। ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟି ରଖି ଲାଲୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି।

ଜେଡି(ୟୁ)ର ଜାତୀୟ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି, ଲାଲୁଜୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେତେବେଳେ କାହିଁକି ତାଙ୍କ ବିବେକ ଜାଗ୍ରତ ହେଲା ନାହିଁ ଯେତେବେଳେ ତାଙ୍କ ପରିବାର ଐଶ୍ୱର୍ଯ୍ୟା (ତେଜ ପ୍ରତାପଙ୍କ ପୂର୍ବତନ ପତ୍ନୀ)ଙ୍କ ବିରୋଧରେ ଘୃଣ୍ୟ କାର୍ଯ୍ୟ କରୁଥିଲା। ଏହା ସଂପୂର୍ଣ୍ଣ ଭାବେ ଅନୈତିକତା। ନିର୍ବାଚନ ବେଳେ ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ନିର୍ବାଚନ ଶେଷ ହେବା ପରେ ସେ ପୁଣି ଥରେ ତେଜ ପ୍ରତାପଙ୍କୁ ଦଳକୁ ଫେରାଇ ଆଣିବେ।

JDU Lalu Prasad Yadav RJD Tej Pratap Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe