/odisha-reporter/media/post_attachments/uploadimage/library/16_9/16_9_0/Cyclone_1686835937.jpg)
Cyclone
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୁଜରାଟ ଉପକୂଳରେ ଏହା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି। ସନ୍ଧ୍ୟା ପ୍ରାୟ ୬.୪୫ରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି।
ବିଭାଗର ସୂଚନାର ଅନୁଯାୟୀ, ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବର୍ତ୍ତମାନ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିଛି। ଏହାପରେ ଏହା ୧୨୦ରୁ ୧୪୦ କିମି ଛୁଇଁବ। ବାତ୍ୟାର ଆଖି ଏବେ ଧୀରେଧୀରେ ସ୍ଥଳ ଭାଗ ଆଡ଼କୁ ଆସୁଛି।
ଘଣ୍ଟାପ୍ରତି ଏହା ୧୫ କିମି ବେଗରେ ଗତି କରୁଛି। ସ୍ଥଳର ଭାଗ ଅତିକ୍ରମ କରିବାକୁ ବାତ୍ୟାର ଆଖିକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିବ। ବାତ୍ୟା ସ୍ଥଳ ଭାଗକୁ ଯେତିକି ଅତିକ୍ରମ କରିବ ପବନ ଓ ବର୍ଷାର ପରିମାଣ ସେତିକି ବଢ଼ିବ। ବାତ୍ୟା ବିପର୍ଯ୍ୟୟ ସୌରାଷ୍ଟ୍ର ଓ କଚ୍ଛ ସହ ସମାନ୍ତରଳ ଭାବେ ପାକିସ୍ତାନ ଉପକୂଳ ଦେଇ ଜଖୌ ପୋର୍ଟ ମଧ୍ୟରାତ୍ର ସୁଦ୍ଧା ଅତିକ୍ରମ କରିବ ବୋଲି ବିଭାଗ ସୂଚନା ଦେଇଛି।
ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରି ବ୍ୟାପକ କ୍ଷୟକ୍ଷତି କରିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ସମୁଦ୍ରରେ ମଧ୍ୟ ବଡ଼ବଡ଼ ଜୁଆର ଉଠିବାରଆ ଲାଗିଛି। ଉପକୂଳ ଅଞ୍ଚଳରୁ ବାତ୍ୟାକୁ ଦୃଷ୍ଟିରେ ରଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନୌସେନା, ଆର୍ମି ଓ ବାୟୁସେନା ମଧ୍ୟ ଆଲର୍ଟ ମୋଡରେ ରହିଛନ୍ତି। ପ୍ରଶାସନ ପୂରା ସ୍ଥିତି ଉପରେ ନଜର ରଖିଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ କ୍ଷୟକ୍ଷତିର ରିପୋର୍ଟ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
