Advertisment

NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ

ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।

author-image
Hemant Lenka
NIA

NIA

ବ୍ୟାନ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ସଲମାନ ରେହମନ ଖାନ ରାୱଣ୍ଡାରେ ଗିରଫ ହେବା ପରେ ତାକୁ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ନିଜ ହେପାଜତକୁ ନେଇଛି। ରାୱଣ୍ଡା ସରକାର ସଲମାନକୁ ଏନଆଇଏକୁ ହସ୍ତାନ୍ତର କରିଛନ୍ତି।

Advertisment

ସଲମାନ ନାଁରେ ବେଙ୍ଗାଲୁରୁ ଜେଲରେ ଆତଙ୍କବାଦର ଷଡ଼ଯନ୍ତ୍ର କେସ ଚାଲିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସେ ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରୁଥିଲା ଓ ଆତଙ୍କୀ ଅପରେଟିଭମାନଙ୍କୁ ବିସ୍ଫୋରଣ ସପ୍ଲାଏ କରୁଥିଲା।

ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା। ଏହାପରେ ତା’କୁ ଭାରତ ପଠାଯାଇଥିଲା। ଏଠାରେ ଏନଆଇଏ ତାକୁ ବିଧିବଦ୍ଧ ଭାବେ ନିଜ ହେପାଜତକୁ ନେଇଛି। ୨୦୨୦ରୁ ଇତି ମଧ୍ୟରେ ଏନଆଇଏ ଏଭଳି ଭାବେ ବିଦେଶ ମାଟିରୁ ଭାରତକୁ ପ୍ରତ୍ୟର୍ପଣ ହୋଇଥିବା ୧୭ତମ ଆତଙ୍କବାଦୀକୁ ନିଜ ଅକ୍ତିଆରକୁ ନେଇଛି।

Advertisment

୨୦୧୮ରୁ ୨୦୨୨ ଯାଏ ସଲମାନ ବେଙ୍ଗାଲୁରୁ କେନ୍ଦ୍ରୀୟ କାରାଗାରରେ ଗୋଟିଏ ପୋକ୍‌ସୋ ମାମଲାରେ ବନ୍ଦୀ ହୋଇ ରହିଥିଲା। ଏହି ସମୟରେ ସଲମାନ ସେଠାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆତଙ୍କବାଦୀ ଟି ନସୀର ଯୋଗାଯୋଗରେ ଆସିଥିଲା। ନସୀର ହିଁ ସଲମାନକୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିଥିଲା। ସେ ଜେଲ ଭିତରେ ରହି ଆତଙ୍କବାଦର ଦୁନିଆରେ ପାଦ ରଖିଥିଲା।

ସଲମାନ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ହେବା ପରେ କେମିତି ଆତଙ୍କବାଦ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା, ସେକଥା ଏନଆଇଏ ତଦନ୍ତରୁ ସ୍ପଷ୍ଟ ହୋଇଛି। ସେ ସକ୍ରିୟ ଭାବେ ଆତଙ୍କବାଦୀଙ୍କୁ ବନ୍ଧୁକ, ଗୁଳି ଓ ବିସ୍ଫୋରକ ଯୋଗାଇରେ ସହାୟତା କରୁଥିଲା।

କୋର୍ଟର ହାଜିରା ବେଳେ ନସୀର ସେଠାରୁ ଖସି ଯିବାକୁ ପୂରା ଯୋଜନା ପ୍ରସ୍ତୁତ କରିଥିଲା। ଏଥିରେ ସଲମାନ ସାମିଲ ଥିଲା। ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବା ପୂର୍ବରୁ ସଲମାନ ଭାରତରୁ ଖସି ଯାଇଥିଲା। ହେଲେ ଗତକାଲି ସେ ରାୱଣ୍ଡାରେ ଗିରଫ ହୋଇଛି।

କେମିତି ଗିରଫ ହେଲା ସଲମାନ ରେହମନ ଖାନ?

ଗତବର୍ଷ ଅକ୍ଟୋବର ୨୫ରେ ଏନଆଇଏ ବେଙ୍ଗାଲୁରୁ ପ୍ରିଜନ୍ସ ଆତଙ୍କୀ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲେ। ଏହାରେ ବେଙ୍ଗାଲୁରୁ ସିଟି ପୁଲିସ୍‌ ଠାରୁ ତଦନ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲା। ଏହାପୂର୍ବରୁ ହିଁ ସଲମାନ ପଳାତକ ଘୋଷିତ ହୋଇ ସାରିଥିଲା। ତା’ ନାଁରେ ୟୁଏପିଏ, ଆର୍ମସ ଆକ୍ଟ ଓ ଅନ୍ୟାନ୍ୟ ଦଫାରେ ମାମଲା ରହିଥିଲା।

ଅଗଷ୍ଟ ୨ରେ ଏନଆଇଏର ଅନୁରୋଧକ୍ରମେ ସଲମାନ ନାଁରେ ଗୋଟିଏ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା। ଏହି ନୋଟିସ ପରେ ରାୱଣ୍ଡା ପୁଲିସ୍‌ ସଲମାନକୁ ଗିରଫ କରି ଭାରତକୁ ଖବର ଦେଇଥିଲା।

ଏହାପରେ ଏନଆଇଏର ଉଦ୍ୟମରେ ରାୱଣ୍ଡା ପୁଲିସ୍ ସଲମାନକୁ ପ୍ରତ୍ୟର୍ପଣ କରିଛି। ଏବେ ଏନଆଇଏ ତା’କୁ ନିଜ ହେପାଜତକୁ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ଲାଗି ପଡ଼ିଛି।

Lashkar-e-Taiba Terrorist NIA Investigation