Advertisment

ଆରସିବିର ବିଜୟ ଉତ୍ସବରେ ଦଳାଚକଟା: ଶେଷ ମୁହୂର୍ତ୍ତ ହୋଇଥିଲା କି ଯୋଜନା?

୧୧ ଜଣଙ୍କ ମୃତ୍ୟୁ ଓ ୩୦ ଜଣ ଆହତ ହେବା ପଛର କାରଣ କ’ଣ? ଏଥିପାଇଁ କାହାକୁ ଦାୟୀ କରାଯିବ? ଏସବୁ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ।

author-image
Hemant Lenka
RCB

RCB

ଦୀର୍ଘ ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ଆଇପିଏଲ ଟ୍ରଫି ଜିତିବାର ଖୁସି ମାତ୍ର କିଛି ଘଣ୍ଟା ମଧ୍ୟରେ ଉଭେଇ ଯାଇଛି। ଏବେ ଦୋଷ ଲଦା ଲଦି କାମ ଆରମ୍ଭ ହୋଇଯାଇଛି। ଆରସିବିର ବିଜୟ ଉତ୍ସବ ପାଇଁ ବୁଧବାର ବେଙ୍ଗାଲୁରୁରେ ଆୟୋଜିତ କାର୍ଯ୍ୟକ୍ରମରେ ଭୟଙ୍କର ଦଳାଚକଟା ୧୧ ଜଣଙ୍କ ଜୀବନ ନେବା ପରେ ପୂରା ଦେଶରେ ଶୋକର ଚ୍ଛାୟା ଖେଳି ଯାଇଛି। ଏବେ କାର୍ଯ୍ୟକ୍ରମ ସହ ଜଡ଼ିତ ସବୁ ଅଂଶିଦାରମାନେ ୧୧ ଜଣଙ୍କ ମୃତ୍ୟୁର ଦୋଷ ନିଜ ମୁଣ୍ଡରୁ ଛଡ଼ାଇବାକୁ ଲାଗି ପଡ଼ିଛନ୍ତି।

Advertisment

୧୧ ଜଣଙ୍କ ମୃତ୍ୟୁ ଓ ୩୦ ଜଣ ଆହତ ହେବା ପଛର କାରଣ କ’ଣ? ଏଥିପାଇଁ କାହାକୁ ଦାୟୀ କରାଯିବ? ଏସବୁ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ। ବିରୋଧୀ କର୍ଣ୍ଣାଟକା ସରକାରଙ୍କୁ ଦାୟୀ କରୁଥିବା ବେଳେ ବିସିସିଆଇ, କର୍ଣ୍ଣାଟକା କ୍ରିକେଟ ଆସୋସିଏସନ ଓ ଆଇପିଏଲ ଗଭର୍ଣ୍ଣିଂ ବଡି କାର୍ଯ୍ୟକ୍ରମକୁ ଆୟୋଜନ କରି ନଥିଲେ ବୋଲି କହୁଛନ୍ତି। ଆରସିବି ମଧ୍ୟ ନିଜ ମୁଣ୍ଡକୁ ଦୋଷ ନେବାକୁ ନାରାଜ।

ସରକାର ଦାବି କରିଛନ୍ତି ଯେ ବିଜୟୀ ଟିମକୁ ସମ୍ବର୍ଦ୍ଧନା କରିବା ପାଇଁ ଯୋଜନା ଶେଷ ମୁହୂର୍ତ୍ତରେ ହୋଇଥିଲା। ସେହିପରି ଚିନ୍ନାସ୍ୱାମୀ ଷ୍ଟାଡିୟମ ଭିତରେ ଓ ବାହାରେ ଏତେ ଲୋକ ଭିଡ଼ ଜମାଇବେ ବୋଲି ଆକଳନ କରାଯାଇ ନଥିଲା। ସରକାର ଏପରି ଦାବି କରୁଥିଲେ ହେଁ ଜୁନ ୩ରେ ଲେଖାଯାଇଥିବା ଗୋଟିଏ ଚିଠି ସବୁ ଦାବିକୁ ମିଛ ପ୍ରମାଣିତ କରିଛି।

Advertisment

ସାମ୍ନାକୁ ଆସିଥିବା ଚିଠି କର୍ଣ୍ଣାଟକା କ୍ରିକେଟ ଆସୋସିଏସନ ପକ୍ଷରୁ ଲେଖାଯାଇଛି। ଆରସିବି ଯଦି ଆଇପିଏଲ ଟ୍ରଫି ଜିତିବ, ତା’ହେଲେ ବିଧାନ ସୌଧରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯିବ। ଏଥିପାଇଁ ପ୍ରଶାସନ ଠାରୁ କେଏସସିଏ ଅନୁମତି ମାଗିଥିଲା। ଏହି ଅନୁରୋଧ ପତ୍ରକୁ କାର୍ମିକ ବିଭାଗ ପାଇବା ପରେ ପୁଲିସ୍ ପାଖକୁ ପଠାଇଥିଲା। ହେଲେ ପୁଲିସ୍‌ ପ୍ରଶାନ ବିଧାନ ସୌଧରେ କାର୍ଯ୍ୟକ୍ରମ ଆୟୋଜନ କରିବା ସପକ୍ଷରେ ନଥିଲା।

ରିପୋର୍ଟ ଅନୁସାରେ, ଆରସିବି ମ୍ୟାନେଜମେଣ୍ଟକୁ ବୁଧବାର କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରାଯାଇଥିଲା। ରବିବାର ଯାଏ ଅପେକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରାମର୍ଶକୁ ପ୍ରାଞ୍ଚାଇଜ ବିରୋଧ କରିଥିଲା। ପ୍ରାଞ୍ଚାଇଜ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ରବିବାର ବେଳକୁ ଦଳରେ ଥିବା ବିଦେଶୀ ଖେଳାଳିମାନେ ନିଜ ଦେଶକୁ ଚାଲି ଯାଇଥିବେ। ସେମାନେ ବିଜୟ ଉତ୍ସବରେ ସାମିଲ ହୋଇପାରିବେନି। ତେଣୁ ପ୍ରାଞ୍ଚାଇଜ ବୁଧବାର ବିଜୟ ଉତ୍ସବ ପାଳିବା ସପକ୍ଷରେ ରହିଥିଲା।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ସେମାନେ ଉଭୟ ରାଜ୍ୟ ସରକାର ଓ ଆରସିବି ପ୍ରାଞ୍ଚାଇଜକୁ ବୁଧବାର ବଦଳରେ ରବିବାର ବିଜୟ ଉତ୍ସବ ପାଳିବାକୁ କହିଥିଲେ। ସେତେବେଳକୁ ଭିଡ଼ ସାମନ୍ୟ କମ ରହିବ ବୋଲି ପୁଲିସ୍‌ ପ୍ରଶାସନ ଆଶା କରିଥିଲା। ହେଲେ ସେମାନଙ୍କ ଯୁକ୍ତି ଥିଲା ଯେ ଟିମରେ ଥିବା ଅନେକ ବିଦେଶ ଖେଳାଳି ବୁଧବାର କିମ୍ବା ଗୁରୁବାର ସ୍ୱଦେଶ ଫେରିଯିବେ।

ପ୍ରଶାସନର ପରାମର୍ଶ ସତ୍ତ୍ୱେ ବିଜୟ ଉତ୍ସବ ଚିନ୍ନାସ୍ୱାମୀରେ ଆୟୋଜନ କରାଯାଇଥିଲା। ଷ୍ଟାଡିୟମ ଭିତରେ ବିଜୟ ଉତ୍ସବ ଚାଲି ଥିବା ବେଳେ ବାହାରେ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା। ପ୍ରବେଶ ପାଇଁ କୌଣସି ଟିକେଟର ବ୍ୟବସ୍ଥା ହୋଇ ନଥିବାରୁ ଲକ୍ଷାଧିକ ଲୋକ ଷ୍ଟାଡିମୟ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ।

ଷ୍ଟାଡିୟମର କ୍ଷମତା ୩୫ ହଜାର ଥିବା ବେଳେ ଲକ୍ଷାଧିକ ଲୋକ ଭିତରୁ ଯିବା ପାଇଁ ଚେଷ୍ଟା କରିବାରୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାରେ ଆରସିବି ଠାରୁ ଦଳର ଖେଳାଳି ଓ ସରକାର ଶୋକ ପ୍ରକାଶ କରିଛନ୍ତି। ହେଲେ କେହି ବି ଦୋଷ ନିଜ ମୁଣ୍ଡକୁ ନେଇ ନେହାନ୍ତି।

Bengaluru RCB