Advertisment

Chief Justice: କୋର୍ଟ ରୁମରେ ପ୍ରଧାନ ବିଚାରପତିଙ୍କୁ ଜୋତା ମାଡ଼ ଉଦ୍ୟମ କଲେ ଆଇନଜୀବୀ

ସୁପ୍ରିମକୋର୍ଟ ଆଇନଜୀବୀ ରୋହିତ ପାଣ୍ଡେ ଅଭିଯୁକ୍ତ ଓକିଲ ଜଣଙ୍କୁ ଚିହ୍ନଟ କରିବା ସହ ସେ ୨୦୧୧ରୁ ବାର ଆସୋସିଏସନର ସଦସ୍ୟ ବୋଲି କହିଛନ୍ତି। ତାଙ୍କ କହିବା କଥା ଯେ ପ୍ରଧାନ ବିଚାରପତିଙ୍କ ମୂର୍ତ୍ତି ବୟାନ ଯୋଗୁ ଏପରି ଘଟଣା ଘଟିଛି।

author-image
Hemant Lenka
CJI

ପ୍ରଧାନ ବିଚାରପତି

ଦେଶର ସର୍ବୋଚ୍ଚ ଅଦାଲତରେ ଚାଲିଥିଲା ମାମଲାର ଶୁଣାଣି। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ କୋର୍ଟ ରୁମରେ ଉପସ୍ଥିତ ରହିଥିଲେ। ସେ ମାମଲାର ଶୁଣାଣି କରୁଥିବା ବେଳେ ଘଟିଥିଲା ଅତ୍ୟନ୍ତ ନାଟକୀୟ ଘଟଣା। କୋର୍ଟ ରୁମରେ ଉପସ୍ଥିତ ଥିବା ଜଣେ ଓକିଲ ସିଧା ପ୍ରଧାନ ବିଚାରପତି ଜଷ୍ଟିସ ଗବାଇଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେ କୋର୍ଟ ରୁମ ଭିତରେ ପ୍ରଧାନ ବିଚାରପତିଙ୍କୁ ଜୋତା ମାଡ଼ କରିବାକୁ ଉଦ୍ୟମ କରିଛନ୍ତି। 

Advertisment

ତେବେ କୋର୍ଟ ରୁମରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଅଭିଯୁକ୍ତ ଆଇନଜୀବୀଙ୍କୁ କାବୁ କରିବା ସହ ତାଙ୍କୁ ଟେକି ଟେକି ବାହାରକୁ ନେଇ ଆସିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ବଳପୂର୍ବକ ବାହାରକୁ ଆଣୁଥିବା ବେଳେ ଆଇନଜୀବୀ ଜଣଙ୍କ ଚିତ୍କାର କରି କହିଛନ୍ତି ଯେ “ସନାତନ ଧର୍ମର ଅପମାନକୁ ଭାରତ କେବେ ହେଲେ ସହ୍ୟ କରିପାରିବ ନାହିଁ।” 

ମଧ୍ୟପ୍ରଦେଶର ଗୋଟିଏ ମନ୍ଦିରରେ ବିଷ୍ଣୁ ମୂର୍ତ୍ତି ସ୍ଥାପିତ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି (Chief Justice) ଜଷ୍ଟିସ ଗବାଇ ଆବେଦନକାରୀଙ୍କୁ କଟାକ୍ଷ କରି ଯାଅ ଓ ମୂର୍ତ୍ତିକୁ ପଚାର ବୋଲି ବୟାନ ଦେଇଥିଲେ। ଏହି ଘଟଣାକୁ ବେଶ କିଛି ସପ୍ତାହ ବିତି ଯାଇଥିଲେ ହେଁ ସିଜେଆଇଙ୍କ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। 

Advertisment

ପରବର୍ତ୍ତୀ ଅବସ୍ଥାରେ ସିଜେଆଇ ଏହା ଉପରେ ସ୍ପଷ୍ଟୀକରଣ ଦେଇ ସେ ସବୁ ଧର୍ମକୁ ସମ୍ମାନ କରନ୍ତି ବୋଲି କହିଥିଲେ। ତଥାପି ଆଜି କୋର୍ଟ ରୁମରେ ଖୋଦ ଜଣେ ଆଇନଜୀବୀ ତାଙ୍କୁ ଟାର୍ଗେଟ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଘଟଣା ପରେ ବି ସିଜେଆଇ ଜଷ୍ଟିସ ଗବାଇ ଆଦୌ ବିଚଳିତ ହୋଇ ନଥିଲେ। ସେ ପୂର୍ବଭଳି ଆବେଦନଗୁଡ଼ିକର ଶୁଣାଣି କରିଛନ୍ତି। ସେ କହିଛନ୍ତି, “ଏସବୁରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ଏସବୁ ଘଟଣା ମୋତେ ପ୍ରଭାବିତ କରିପାରିବ ନାହିଁ। ଶୁଣାଣି ଜାରି ରଖନ୍ତୁ।” 

ସୁପ୍ରିମକୋର୍ଟ(Supreme Court) ଆଇନଜୀବୀ ରୋହିତ ପାଣ୍ଡେ ଅଭିଯୁକ୍ତ ଓକିଲ ଜଣଙ୍କୁ ଚିହ୍ନଟ କରିବା ସହ ସେ ୨୦୧୧ରୁ ବାର ଆସୋସିଏସନର ସଦସ୍ୟ ବୋଲି କହିଛନ୍ତି। ତାଙ୍କ କହିବା କଥା ଯେ ପ୍ରଧାନ ବିଚାରପତିଙ୍କ ମୂର୍ତ୍ତି ବୟାନ ଯୋଗୁ ଏପରି ଘଟଣା ଘଟିଛି। ବାର ଆସୋସିଏସନ ଘଟଣାକୁ କଡ଼ା ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିବା ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି। 

କୋର୍ଟ ରୁମରେ ଶୁଣାଣି ଶେଷ ହେବା ପରେ ଆକ୍ରମଣ ଉଦ୍ୟମ ଘଟଣାରେ ସିଜେଆଇ ସର୍ବୋଚ୍ଚ ଅଦାଲତର ସୁରକ୍ଷାକର୍ମୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି। ବାର ଆସୋସିଏସନର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିବା ଜଣାପଡ଼ିଛି। 

ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର ଜବାରୀ ମନ୍ଦିରରେ ୭ ଫୁଟର ବିଷ୍ଣୁ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ହୋଇଥିବା ଆବେଦନକୁ ସିଜେଆଇ ଖାରଜ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ପ୍ରଚାର ସର୍ବଶ୍ୱ ଆବେଦନ। ଯାଅ ଓ ଏବେ ପ୍ରତିମୂର୍ତ୍ତିକୁ କିଛି କରିବାକୁ କୁହ। ଆପଣ ନିଜକୁ ବିଷ୍ଣୁଙ୍କ ଭକ୍ତ ବୋଲି କହିଛନ୍ତି। ତେଣୁ ଯାଅ ଓ ତାଙ୍କ ପାଖରେ ପ୍ରାର୍ଥନା କର।” 

ଏହାକୁ ନେଇ ବିବାଦ ହେବାରୁ ସିଜେଆଇ ପରବର୍ତ୍ତୀ ଅବସ୍ଥାରେ କହିଥିଲେ ଯେ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ଓ ସେ ସବୁ ଧର୍ମକୁ ସମ୍ମାନ କରନ୍ତି। 

Supreme Court Chief Justice