/odisha-reporter/media/media_files/2025/10/09/cji-2025-10-09-13-53-04.jpg)
ସିଜେଆଇ ଓ ଅଭିଯୁକ୍ତ ଓକିଲ
ସୁପ୍ରିମକୋର୍ଟ ବାର ଆସୋସିଏସନ(ଏସ୍ସିବିଏ) ପକ୍ଷରୁ ପ୍ରଧାନ ବିଚାରପତି(CJI) ଜଷ୍ଟିସ ବିଆର ଗବାଇଙ୍କୁ ଜୋତା ମାରିବାକୁ ଚେଷ୍ଟା କରିଥିବା ଓକିଲ ରାକେଶ କିଶୋରଙ୍କ ବିରୋଧରେ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କୁ ଆସୋସିଏସନ ପକ୍ଷରୁ ତତ୍କାଳ ଭାବେ ବହିଷ୍କାର କରାଯାଇଛି। ତାଙ୍କୁ ମିଳିଥିବା ପ୍ରବେଶ ପରିଚୟପତ୍ରକୁ ପ୍ରତ୍ୟାହାର କରାଯାଇଛି। ଏଣିକି ସେ ସୁପ୍ରିମକୋର୍ଟ(Supreme Court)ରେ ପ୍ରବେଶ କରିପାରିବେ ନାହିଁ ବୋଲି ଆସୋସିଏସନ ଘୋଷଣା କରିଛି।
ସୋମବାର ଦିନ ୭୧ ବର୍ଷୀୟ ଓକିଲ ରାକେଶ କିଶୋର କୋର୍ଟ ରୁମ ଭିତରେ ମାମଲାର ଶୁଣାଣି ଚାଲିଥିବା ବେଳେ ସିଜେଆଇଙ୍କୁ ଜୋତା ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବା ସହ କୋର୍ଟ ରୁମ ବାହାରକୁ ନେଇ ଯାଇଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ବାହାରକୁ ନେଉଥିବା ବେଳେ ସେ ଚିତ୍କାର କରି କହିଥିଲେ ଯେ “ଭାରତ କେବେ ହେଲେ ସନାତନ ଧର୍ମର ଅପମାନ ସହ୍ୟ କରିବ ନାହିଁ।”
ଆଜି ବାର ଆସୋସିଏସନ ଜାରି କରିଥିବା ବହିଷ୍କାର ବିବୃତିରେ କହିଛି ଯେ ଏପରି ନିନ୍ଦନୀୟ, ଅବ୍ୟବସ୍ଥିତ ଓ ଅସଂଯତ ବ୍ୟବହାର ନ୍ୟାୟଳୟର ଜଣେ ଅଧିକାରୀଙ୍କ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁଚିତ। ଏହା ନୈତିକତା, ସିଷ୍ଟାଚାର ଓ ସର୍ବୋଚ୍ଚ ନ୍ୟାଳୟଳର ଗାରିମା ପ୍ରତି ଘୋର ଅପମାନ।”
ଏସ୍ସିବି ଆହୁରି କହିଛି ଯେ ରାକେଶ କିଶୋରଙ୍କ ଆକ୍ରମଣ ଉଦ୍ୟମ ସିଧାସଳଖ ନ୍ୟାୟପାଳିକାର ସ୍ୱାଧୀନତା ଓ କୋର୍ଟ ରୁମର ପବିତ୍ରତା ଉପରେ ଆକ୍ରମଣ ସହ ସମାନ। ଏହାପୂର୍ବରୁ ବାର କାଉନସିଲ କିଶୋରଙ୍କ ଲାଇସେନ୍ସ ମଧ୍ୟ ବାତିଲ କରିଥିଲା।
ମଧ୍ୟପ୍ରଦେଶର ଗୋଟିଏ ମନ୍ଦିରରେ ବିଷ୍ଣୁ ମୂର୍ତ୍ତି ସ୍ଥାପିତ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି (Chief Justice) ଜଷ୍ଟିସ ଗବାଇ ଆବେଦନକାରୀଙ୍କୁ କଟାକ୍ଷ କରି ଯାଅ ଓ ମୂର୍ତ୍ତିକୁ ପଚାର ବୋଲି ବୟାନ ଦେଇଥିଲେ। ଏହି ଘଟଣାକୁ ବେଶ କିଛି ସପ୍ତାହ ବିତି ଯାଇଥିଲେ ହେଁ ସିଜେଆଇଙ୍କ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।
ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର ଜବାରୀ ମନ୍ଦିରରେ ୭ ଫୁଟର ବିଷ୍ଣୁ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ହୋଇଥିବା ଆବେଦନକୁ ସିଜେଆଇ ଖାରଜ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ପ୍ରଚାର ସର୍ବଶ୍ୱ ଆବେଦନ। ଯାଅ ଓ ଏବେ ପ୍ରତିମୂର୍ତ୍ତିକୁ କିଛି କରିବାକୁ କୁହ। ଆପଣ ନିଜକୁ ବିଷ୍ଣୁଙ୍କ ଭକ୍ତ ବୋଲି କହିଛନ୍ତି। ତେଣୁ ଯାଅ ଓ ତାଙ୍କ ପାଖରେ ପ୍ରାର୍ଥନା କର।”
ଏହାକୁ ନେଇ ବିବାଦ ହେବାରୁ ସିଜେଆଇ ପରବର୍ତ୍ତୀ ଅବସ୍ଥାରେ କହିଥିଲେ ଯେ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ଓ ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ତଥାପି କୋର୍ଟ ରୁମରେ ଖୋଦ ଜଣେ ଆଇନଜୀବୀ ତାଙ୍କୁ ଟାର୍ଗେଟ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
