Advertisment

ସଚିନଙ୍କୁ ବାହା ହୋଇଥିବା ସୀମା ହାଇଦର ପାକିସ୍ତାନ ବିଦା ହେବେ ନା ଭାରତରେ ରହିବେ?

ସୀମା ଦାବି କରିଛନ୍ତି ଯେ ସଚିନ ମୀନାଙ୍କୁ ବିବାହ କରିବା ପୂର୍ବରୁ ସେ ଇସଲାମ ଧର୍ମରେ ରହିଥିଲେ। କିନ୍ତୁ ସଚିନଙ୍କୁ ବାହା ହୋଇ ସେ ହିନ୍ଦୁ ଧର୍ମ ଗ୍ରହଣ କରି ନେଇଛନ୍ତି।

author-image
Hemant Lenka
Seema

Seema

ପହଲଗାମ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି। ପାକିସ୍ତାନକୁ ଦୃଢ଼ ଜବାବ ଦେବାକୁ ଯାଇ ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ପକ୍ଷରୁ ମିଳିଥିବା ଭିସାକୁ ରଦ୍ଦ କରାଯାଇଛି। ଭାରତରେ ଥିବା ପାକିସ୍ତାନୀଙ୍କୁ ୨୭ ତାରିଖ ସୁଦ୍ଧ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଭାରତ ସରକାରଙ୍କ ଏପରି ପଦକ୍ଷେପ ପରେ ଭାରତରେ ରହୁଥିବା ପାକିସ୍ତାନୀଙ୍କ ଚିନ୍ତା ବଢ଼ି ଯାଇଛି। ବିଶେଷ କରି ଭାରତରେ ରହୁଥିବା ପାକିସ୍ତାନୀ ମୁସଲିମ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଭିତରେ ପାକିସ୍ତାନରେ ନିଜ ସ୍ୱାମୀଙ୍କୁ ଛାଡ଼ି ଭାରତ ଆସି ପ୍ରେମ ବିବାହ କରିଥିବା ସୀମା ହାଇଦରଙ୍କ ଅବସ୍ଥା କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରତ୍ୟର୍ପଣ ଭୟରେ ଥିବା ସୀମା ହାଇଦର କହିଛନ୍ତି, “ ମୁଁ ପାକିସ୍ତାନର ଝିଅ ଥିଲି। କିନ୍ତୁ ଏବେ ଭାରତର ବୋହୂ।”

ସୀମା ହାଇଦର ୨୦୨୩ରେ ଚର୍ଚ୍ଚାକୁ ଆସିଥିଲେ। ସେ ପାକିସ୍ତାନରୁ ସିଧା ନିଜ ପ୍ରେମିକ ସଚିନ ମୀନାଙ୍କୁ ବିବାହ କରିବା ପାଇଁ ଭାରତ ଚାଲି ଆସିଥିଲେ। ପୂର୍ବରୁ ସେ ପାକିସ୍ତାନର ସିନ୍ଧ ପ୍ରଦେଶରେ ବିବାହ କରିଥିଲେ। କିନ୍ତୁ ସେଠାରେ ନିଜ ସ୍ୱାମୀଙ୍କୁ ଛାଡ଼ି ସୀମା ନିଜର ୪ ପିଲାଙ୍କୁ ଧରି ନେପାଳ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ଏଠାରେ ସେ ସଚିନଙ୍କୁ ବିବାହ କରି ୨୦୨୩ରୁ ଭାରତରେ ରହିଛନ୍ତି।

Advertisment

ଭାରତ ସରକାରଙ୍କ ପହଲଗାମ ଆକ୍ସନ ପରେ ସୀମାଙ୍କ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା କହିଛନ୍ତି, “ମୁଁ ପାକିସ୍ତାନ ଯିବାକୁ ଚାହୁଁ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୋତେ ଭାରତରେ ରହିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରୁଛି। ମୁଁ ମୋଦିଜୀ ଓ ଯୋଗୀ ଜୀଙ୍କୁ ଅନୁରୋଧ କରୁଛି ଯେ ଏବେ ମୁଁ ସେମାନଙ୍କ ଶରଣାର୍ଥୀ। ମୁଁ ପାକିସ୍ତାନର ଝିଅ ଥିଲି। କିନ୍ତୁ ଏବେ ଭାରତର ବୋହୂ। ଦୟା କରି ମୋତେ ଏଠାରେ ରହିବାକୁ ଦିଅନ୍ତୁ।” ସୀମା ଦାବି କରିଛନ୍ତି ଯେ ସଚିନ ମୀନାଙ୍କୁ ବିବାହ କରିବା ପୂର୍ବରୁ ସେ ଇସଲାମ ଧର୍ମରେ ରହିଥିଲେ। କିନ୍ତୁ ସଚିନଙ୍କୁ ବାହା ହୋଇ ସେ ହିନ୍ଦୁ ଧର୍ମ ଗ୍ରହଣ କରି ନେଇଛନ୍ତି।

ଦେଶବ୍ୟାପୀ ପାକିସ୍ତାନ ବିରୋଧରେ ଆକ୍ରୋଶ ରହିଥିବା ବେଳେ ସୀମାଙ୍କ ଓକିଲ ଆଶା ରଖିଛନ୍ତି ଯେ ତାଙ୍କ କ୍ଲାଏଣ୍ଟଙ୍କୁ ଭାରତରେ ରହିବା ପାଇଁ ଅନୁମତି ମିଳିବ। ସେ କହିଛନ୍ତି, “ସୀମା ଆଉ ପାକିସ୍ତାନର ନାଗରିକ ନୁହନ୍ତି। ସେ ଗ୍ରେଟର ନୋଏଡାର ସଚିନଙ୍କୁ ବିବାହ କରିଛନ୍ତି। ନିକଟରେ ସେ ଭାରତୀ ମୀନା ନାମ୍ନୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କ ନାଗରିକତା ଏବେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ଯୋଡ଼ି ହୋଇଯାଇଛି। ତେଣୁ କେନ୍ଦ୍ର ସରକାର ଏବେ ପାକିସ୍ତାନୀ ନାଗରିକଙ୍କୁ ଦେଇଥିବା ନିର୍ଦ୍ଦେଶ ସୀମାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।”

ପହଲଗାମ ଆତଙ୍କବାଦୀ ହମଲା ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିଥିଲା। ହମଲାରେ ପାକିସ୍ତାନର ହାତ ଥିବାରୁ ଏହାର ଜବାବ ଦେବାକୁ ଭାରତ ସରକାର ଅନେକ ବଡ଼ବଡ଼ ପଦକ୍ଷେପ ନେଇଥିଲେ। ଏହା ମଧ୍ୟରେ ପାକିସ୍ତାନ ନାଗରିକଙ୍କୁ ମିଳିଥିବା ଭିସା ରଦ୍ଦ ନିଷ୍ପତ୍ତି ରହିଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ଭିସା ଏପ୍ରିଲ ୨୭ରେ ରଦ୍ଦ ହେବ। ମେଡିକାଲ ଭିସାର ଅବଧି ଏପ୍ରିଲ ୨୯ ଯାଏ ରହିବ। ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତରେ ରହିଥିବା ପାକିସ୍ତାନୀଙ୍କୁ ସ୍ୱଦେଶ ଫେରିଯିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ସୀମା ହାଇଦର ୨୦୨୩ ମସିହା ମେ’ ମାସରେ କରାଚି ସ୍ଥିତ ଘର ଛାଡ଼ିଥିଲେ। ଏହାପରେ ନେପାଳ ଦେଇ ଭାରତକୁ ଆସିଥିଲେ। ଜୁଲାଇ ମାସରେ ତାଙ୍କୁ ପ୍ରଶାସନ ସଚିନ ମୀନାଙ୍କ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୌତମ ବୁଦ୍ଧ ନଗରର ଜିଲ୍ଲାର ରାବୁପୁରା ଘରୁ ଠାବ କରିଥିଲା। ଏହାପରେ ସେ ଭାରତରେ ରହିବା ପାଇଁ ଆଇନର ଆଶ୍ରୟ ନେଇଛନ୍ତି।

୨୦୧୯ରେ ଅନଲାଇନ ଗେମ ଖେଳିବା ବେଳେ ସଚିନ ଓ ସୀମା ପରସ୍ପରର ଯୋଗାଯୋଗରେ ଆସିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା। ୨୦୨୩ରେ ସୀମା ନିଜ ପ୍ରେମିକଙ୍କୁ ପାଇବା ପାଇଁ ଭାରତ ଚାଲି ଆସିଥିଲେ।

Seema Haider Seema-Sachin Love Story Pak Woman Seema Haider