ବିଜେପିର ଗୁଇନ୍ଦାଗିରି କରୁଛି ଆମ୍ ଆଦମୀ ପାର୍ଟି ସରକାର। ଏଭଳି କିଛି ଅଭିଯୋଗ ହୋଇଛି। ଏହି ମାମଲାରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ତଥା ଏଲଜି ବିନୟ ସାକ୍ସେନା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। ସିସୋଦିଆଙ୍କ ସମେତ ୬ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ। ଏହି ୬ ଜଣଙ୍କ ମଧ୍ୟରେ ଜେଣ ଆଇଏଏସ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।
ଅଭିଯୋଗ ମୁତାବକ, ଆମ୍ ଆଦମୀ ପାର୍ଟି ସରକାର ୨୦୧୫ରେ କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ଅଧୀନରେ ଏକ ଫିଡବ୍ୟାକ୍ ୟୁନିଟ୍ ଗଠନ କରିଥିଲେ ଯାହା ରାଜନୈତିକ ବିରୋଧୀଙ୍କ ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହୋଇଥିଲା। ଏଲଜିଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ କହିବାନୁସାରେ, ସିବିଆଇର ପ୍ରାଥମିକ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ନେତାଙ୍କ ଉପରେ ଗଇନ୍ଦାଗିରି କରିବା ପାଇଁ ଏହି ଫିଡବ୍ୟାକ୍ ୟୁନିଟ୍ ବ୍ୟବହାର କରାଯାଇଥିଲା।
ଏହି ମାମଲାରେ ଆଜି ଦିଲ୍ଲୀ ବିଜେପି ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛି। ଏଥିରେ ଦିଲ୍ଲୀ ବିଜେପି କାର୍ଯ୍ୟରତ ସଭାପତି ବିରେନ୍ଦ୍ର ସଚ୍ଚେଦେବ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ରାମବୀର ସିଂ ବିଧୁଡି ମଧ୍ୟ ସାମିଲ ଅଛନ୍ତି। ବିରୋଧୀ ଦଳର ନେତାଙ୍କ ଉପରେ ନଜର ରଖିବା ପାଇଁ ଭିଜିଲାନ୍ସ ବିଭାଗ ଅଧୀନରେ ଏହି ୟୁନିଟ୍ ଗଠନ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ଫିଡବ୍ୟାକ୍ ୟୁନିଟ୍ ଗଠନ ସମୟରେ ଏକ କୋଟି ଟଙ୍କା ଦିଆଯାଇଥିବା ବିଜେପି କହିଛି। ଏହି ପାଣ୍ଠିର ନାମ ସିକ୍ରେଟ୍ ସର୍ଭିସ୍ ଫଣ୍ଡ ଥିଲା। FBUର ମୁଖ୍ୟ ମଧ୍ୟ ସାମରିକ ବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦିଆଯାଇଥିଲା। ଏଥିପାଇଁ ଏଥିରେ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ମନୀଷ ସିସୋଦିଆଙ୍କଠାରୁ ଆଦାୟ କରାଯାଉ ବୋଲି ବିଜେପି ଦାବି କରୁଛି।
ସୂଚନା ମୁତାବକ, FBU ତଥା ଫିଡ୍ବ୍ୟାକ୍ ୟୁନିଟ୍ ଫେବୃଆରୀ ୨୦୧୬ରୁ କାମ କରିବା ଆରମ୍ଭ କରିଥିଲା, ସେତେବେଳେ ଏଥିରେ ୧୭ ଜଣ ନିୟୋଜିତ ଥିଲେ, ସମସ୍ତେ ଚୁକ୍ତିଭିତ୍ତିକ କର୍ମଚାରୀ ଥିଲେ। ସମସ୍ତେ ପାରାମିଲିଟାରୀ ଫୋର୍ସ ଏବଂ ଆଇବି ପରି ଏଜେନ୍ସିରୁ ଅବସର ନେଇଥିଲେ। ଏହି FBU କେବଳ ସାତ ମାସ ପାଇଁ କାମ କରିପାରିଥିଲା। ତା’ପରେ ଭିଜିଲାନ୍ସ ବିଭାଗ ନିଜେ ଏହା ଉପରେ ଅଭିଯୋଗ ଆଣିଥିଲେ ଏବଂ ଏହି ଫିଡ୍ବ୍ୟାକ୍ ୟୁନିଟ୍କୁ ଭଙ୍ଗ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।