Advertisment

ଏକାଧିକ ମହିଳାଙ୍କ ସହ ଘଟାଇଥିଲେ ଜଘନ୍ୟକାଣ୍ଡ: ଏବେ ୯ ଜଣଙ୍କୁ ମିଳିଲା ଆଜୀବନ

୨୦୧୯ରୁ ଗିରଫ ହୋଇଥିବା ୯ ଜଣଙ୍କୁ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

author-image
Hemant Lenka
Guilty

Guilty

ବହୁ ଚର୍ଚ୍ଚିତ ତାମିଲନାଡୁ ପୋଲ୍ଲାଚି ଯୌନ ଉତ୍ପୀଡ଼ନ ମାମଲାରେ ଆଜି କୋର୍ଟ ବଡ଼ ରାୟ ଦେଇଛନ୍ତି। ଏକାଧି ମହିଳାଙ୍କୁ ଯୌନ ନିର୍ଯାତନା ଓ ବ୍ଲାକମେଲିଂ କରିବା ଘଟଣାରେ ଗିରଫ ୯ ଜଣଙ୍କୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଅର୍ଥାତ ୨୦୧୯ରୁ ଗିରଫ ହୋଇଥିବା ୯ ଜଣଙ୍କୁ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେସନ୍ସ କୋର୍ଟ ବିଚାରପତି ଆର ନନ୍ଦିନୀ ଦେବୀ ସମସ୍ତଙ୍କୁ ଗଣଦୁଷ୍କର୍ମ ଓ ବାରମ୍ବାର ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଛନ୍ତି।

Advertisment

ଆଜୀବନ ଜେଲ ଦଣ୍ଡ ପାଇଥିବା ସମସ୍ତ ୯ ଦୋଷୀ ହେଲେ – ସବିରରଞ୍ଜନ ଓରଫ ରିଶବନ୍ତ(୩୨), ଥିରୁନାଭୁକାରାସୁ(୩୪), ଟି ବସନ୍ତ କୁମାର(୩୦), ଏମ ସତୀଶ(୩୩), ଆର ମଣି, ବି ବାବୁ(୩୩), ହାରୋନ ପଲ(୩୨), ଅରୁଲାନାଥମ (୩୯) ଓ ଅରୁଣ କୁମାର(୩୩)। ଏମାନେ ସମସ୍ତେ ୨୦୧୯ ମସିହା ଗିରଫ ପରଠାରୁ ସାଲେମ କେନ୍ଦ୍ରୀୟ ଜେଲରେ ରହିଥିଲେ। 

ଆଜି ସକାଳେ ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋଏମ୍ବାଟୁର ସ୍ଥିତ କୋର୍ଟକୁ ଅଣାଯାଇଥିଲା। ବହୁ ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ପୂରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କୋର୍ଟ ପରିସର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।

Advertisment

ରାୟ ପ୍ରକାଶ କରିବା ପୂର୍ବରୁ ବିଚାରପତି ୨୦୦ଟି ଦସ୍ତାବିଜ ଓ ୪୦୦ଟି ବୈଦ୍ୟୁତିକ ପ୍ରମାଣ ଦେଖିଥିଲେ। ଏହା ମଧ୍ୟରେ ନିର୍ଯାତନାର ଭିଡିଓ ମଧ୍ୟ ରହିଥିଲା। ସରକାରୀ ଓକିଲ କହିଛନ୍ତି, “ପୀଡ଼ତାମାନଙ୍କ ବୟାନ ଡିଜିଟାଲ ପ୍ରମାଣକୁ ସହାୟତା କରିଥିଲା। କୌଣସି ସାକ୍ଷୀ ଚାପରେ ନଥିଲେ। ସାକ୍ଷୀ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ପରିଚୟ ଓ ସୁରକ୍ଷାକୁ ଗୁପ୍ତ ରଖାଯାଇଥିଲା। ତଥାପି କେବଳ ନିର୍ଯାତନାର ଶିକାର ହୋଇଥିବା ୮ ଜଣ ପୀଡ଼ିତା ସାମ୍ନାକୁ ଆସିଥିଲେ। ବାକି ପୀଡ଼ିତା ସାମାଜିକ ଲଜ୍ଜା ଆଶଙ୍କାରେ ସାମ୍ନାକୁ ଆସି ନଥିଲେ।”

ମହିଳା ଅଧିକାରୀମାନେ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି ଯେ “ଏପରି ରାୟ ନିଶ୍ଚିତ ଆଶ୍ୱସ୍ତି ଆଣିଛି। କିନ୍ତୁ ପୀଡ଼ିତାମାନଙ୍କୁ କ୍ଷତିପୂରଣ, କାଉନସେଲିଂ ଓ ସରକାରା ଚାକିରି ନିଶ୍ଚିତ କରାଯିବା ଦରକାର। ସେମାନେ ଭୟଙ୍କର ଘଟଣା ପରେ ଏବେ ନିଜ ଜୀବନକୁ ପୁଣି ଗଢ଼ିବାକୁ ସୁଯୋଗ ପାଇବେ।”

ପୋଲ୍ଲାଚି ମାମଲା

୨୦୧୯ରେ ପୋଲ୍ଲାଚି ମାମଲା ସାମ୍ନାକୁ ଆସିଥିଲା। ନିର୍ଯାତନାର ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଜଣେ କଲେଜ ଛାତ୍ରୀଙ୍କ ସମେତ ୮ ଜଣ ମହିଳା ନିର୍ଯାତନାର ଶିକାର ହୋଇଥିଲେ। ପୀଡ଼ିତାମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ଏହାର ଶୁଟିଂ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ପୁଣି ଦୁଷ୍କର୍ମ କରାଯାଇଥିଲା। ଏଥିସହ ବ୍ଲାକମେଲିଂ କରି ଟଙ୍କା ଆଦାୟ ହୋଇଥିଲା। ୨୦୧୬ରୁ ୨୦୧୮ ମଧ୍ୟରେ ଏହି ଜଘନ୍ୟକାଣ୍ତ ଘଟିଥିଲା।

ଘଟଣାର ତଦନ୍ତ କରି ପୁଲିସ୍‌ ଦୁଷ୍କର୍ମ, ଗଣଦୁଷ୍କର୍ମ, ସମାନ ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର, ଯୌନ ଉତ୍ପୀଡ଼ନ ଓ ବ୍ଲାକମେଲିଂ ଭଳି ଦଫାରେ ମାମଲା ରୁଜୁ କରି ୯ ଜଣଙ୍କୁ ଗିରଫ କରିଥିଲା। ପୁଲିସ୍‌ କହିଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ପୀଡ଼ିତାମାନଙ୍କୁ ଯୌନ ନିର୍ଯାତନା ଦେବା ବେଳେ ଏହାର ଶୁଟିଂ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଫୁଟେଜକୁ ବ୍ୟବହାର କରି ପୀଡ଼ିତାଙ୍କୁ ଶୋଷଣ କରୁଥିଲେ।

ପ୍ରଥମେ ପୋଲ୍ଲାଚି ପୁଲିସ୍‌ ଘଟଣାର ତଦନ୍ତ କରୁଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଲିମନାଡୁ କ୍ରାଇମ ବ୍ରାଞ୍ଚ-କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିବି-ସିଆଇଡି) ଏହାର ଯାଞ୍ଚ ଆରମ୍ଭ କରିଥିଲା। ତେବେ ନିରପେକ୍ଷ ତଦନ୍ତ ଦାବି ଜୋର ଧରିବାରୁ ସିବିଆଇ ଶେଷରେ ଘଟଣାର ତଦନ୍ତ କରିଥିଲା।

ତଦନ୍ତ ବେଳେ ଗୋଟିଏ ବ୍ୟବସ୍ଥିତ ନିର୍ଯାତନା ଧାରାର ପର୍ଦ୍ଦାଫାସ ହୋଇଥିଲା। ପୀଡ଼ିତାମାନେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତମାନେ ସେମାନଙ୍କୁ ଭିଡିଓ ଲିକ କରିଦେବାର ଧମକ ଦେଇ ଦୀର୍ଘ ସମୟ ଧରି ଶୋଷଣ କରୁଥିଲେ।

ଘଟଣା ବେଳେ ଏଆଇଏଡିଏମକେ କ୍ଷମତାରେ ରହିଥିଲା। ଏହାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

Tamilnadu Stop Rape