/odisha-reporter/media/post_attachments/uploadimage/library/16_9/16_9_0/adil_1745657333.jpg)
adil
ଏପ୍ରିଲ ୨୨ ପହଲଗାମ ନରସଂହାରରେ ସାମିଲ ଥିବା ଆଦିଲ ଅହମଦ ଠୋକର ସମ୍ପର୍କରେ ସାଂଘାତିକ ତଥ୍ୟ ମିଳିଛି। ପହଲଗାରେ ନିରୀହ ପର୍ଯ୍ୟଟକ ବୈସାରନ ଉପତ୍ୟକାରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ୫ରୁ ୬ ଜଣ ଆତଙ୍କବାଦୀ ଗୁଳି ବର୍ଷା କରିଥିଲେ। ସେମାନେ ପୁରୁଷ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରି ଦେଇଥିଲେ। ହମଲାରେ ସିଧାସଳଖ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଲା ଆଦିଲ। ସେ ୨୦୧୮ରେ ପାକିସ୍ତାନକୁ ଟେରର ଟ୍ରେନିଂ ପାଇଁ ଯାଇଥିଲା। ସେଠାରୁ ୬ ବର୍ଷ ପରେ ୩ରୁ ୪ ଜଣ ଆତଙ୍କବାଦୀଙ୍କୁ ସାଙ୍ଗରେ ଧରି ଭାରତ ଫେରିଥିଲା।
ଆଦିଲର ଘର ହେଉଛି ଅନନ୍ତନାଗର ଗୁରେ ଗାଁରେ। ସେ ଉକ୍ତ ଜିଲ୍ଲାରେ ଥିବା ପହଲଗାମର ବୈସାରନ ଭ୍ୟାଲି ବିଷୟରେ ବେଶ ଭଲ ଭାବେ ଅବଗତ ଥିଲା। ସେ ନିଜର ପାକିସ୍ତାନୀ ସହଯୋଗୀଙ୍କ ସହ ମିଶି ଏପ୍ରିଲ ୨୨ରେ ନରସଂହାର କରିଥିଲେ।
ଜମ୍ମୁ-କଶ୍ମୀର ଗାଁରୁ ପାକିସ୍ତାନ
୨୦୧୮ରେ ଆଦିଲ ଗୁରେ ସ୍ଥିତ ନିଜ ଘର ଛାଡ଼ି ପାକିସ୍ତାନକୁ ପାଠ ପଢ଼ିବା ନାଁରେ ଶିକ୍ଷାର୍ଥୀ ଭିସାରେ ଯାଇଥିଲା। ଭାରତ ଛାଡ଼ିବା ପୂର୍ବରୁ ସେ ମୌଳବାଦୀ ଚିନ୍ତା ଧାରାରେ ପ୍ରଭାବିତ ହୋଇ ସାରିଥିଲା। ପାକିସ୍ତାନ ଯିବା ପୂର୍ବରୁ ସେ ଜମ୍ମୁ-କଶ୍ମୀରରେ ରହି ଇସଲାମାବଦରେ ସକ୍ରିୟ ବିଭିନ୍ନ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଆକ୍କାମାନଙ୍କ ସହ ଯୋଗାଯୋଗ କରିଥିଲା। ପାକିସ୍ତାନରେ ପହଞ୍ଚିବା ପରେ ସେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇ ଯାଇଥିଲା।
୮ ମାସ ଧରି ସେ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ନଥିଲା କିମ୍ବା ତା’ର ଉପସ୍ଥିତ ସମ୍ପର୍କରେ କାହା ପାଖରେ ଖବର ନଥିଲା। ଆଦିଲ ସର୍ବସାଧାରଣରୁ ଦୂରେଇ ରହି ଆଦର୍ଶଗତ ଓ ସାମରିକ ତାଲିମ ନେଇଥିଲା। ପାକିସ୍ତାନରେ ଅବସ୍ଥାପିତ ଲସ୍କର-ଇ-ତାଏବା ସହ ଜଡ଼ିତ ହ୍ୟାଣ୍ଡେଲର୍ସମାନଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲା। ଟେରର ତାଲିମ ନେବା ପରେ ସେ ପୁଣି ସକ୍ରିୟ ହୋଇଥିଲା।
ତାଲିମ ପରେ ଭାରତରେ ପ୍ରବେଶ
୨୦୨୪ ଶେଷ ଭାଗରେ ଆଦିଲର ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ସେ ପାକିସ୍ତାନ ଯିବା ପରେ ଗୁଇନ୍ଦା ବିଭାଗ ତା’ ସମ୍ପର୍କରେ ତଥ୍ୟ ହାସଲ କରିବାରେ ବିଫଳ ହୋଇଥିଲା। କିନ୍ତୁ ସେ ଭାରତରେ ପ୍ରବେଶ କରିବା କ୍ଷଣୀ ଗୁଇନ୍ଦା ବିଭାଗ ତା’ ସମ୍ପର୍କରେ ପୁଣି ସୂଚନା ହାସଲ କରିବାକୁ ସକ୍ଷମ ହୋଇଥିଲା।
ସୂତ୍ର ଅନୁସାରେ, ଆଦିଲ ୨୦୨୪ ମସିହା ଅକ୍ଟୋବର ମାସରେ ପୁଞ୍ଚ-ରଜୌରୀ ସେକ୍ଟର ସ୍ଥିତ ଏଲଓସି ଦେଇ ଭାରତରେ ଦାଖଲ ହୋଇଥିଲା। ସେ ପାହାଡ଼ିଆ ଅଞ୍ଚଳ ଦେଇ ଭାରତରେ ପ୍ରବେଶ କରିଥିଲା। ଉକ୍ତ ସ୍ଥାନଟି ପାହାଡ଼ିଆ ହୋଇଥିବା ବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ସେଠାରେ ପ୍ୟାଟ୍ରୋଲିଂ କରିବା ଆଦୌ ସହଜ ନୁହେଁ। ଏହାର ଫାଇଦା ଉଠାଇ ଆଦିଲ ବେଆଇନ ଭାବେ ଭାରତରେ ପ୍ରବେଶ କରି ଯାଇଥିଲା। ଉକ୍ତ ଅଞ୍ଚଳକୁ ମଧ୍ୟ ପୂର୍ବରୁ ଅନେକ ଥର ଅନୁପ୍ରବେଶ ପାଇଁ ବ୍ୟବହାର କରାଯିବାର ନଜିର ରହିଛି।
ଆଦିଲ ସହ ୩ରୁ ୪ ଜଣ ଯୁବକ ମଧ୍ୟ ଭାରତକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲା ପାକିସ୍ତାନୀ ନାଗରିକ ହାଶିମ ମୁସା। ପହଲଗାମ ଆତଙ୍କୀ ହମଲାରେ ମୁସା ମଧ୍ୟ ସାମିଲ ଥିଲା। ଆଦିଲ ସହାୟତାରେ ମୁସା ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା ବୋଲି ଜଣାପଡ଼ିଛି।
ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ଆଦିଲ ବେଶ ସନ୍ତର୍ପଣର ସହ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଆଗକୁ ବଢ଼ିଥିଲା। ତେବେ ଏକଦା ସେ କିସ୍ତୱାର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିଲା। କିନ୍ତୁ ତ୍ରାଲର ପାହାଡ଼ିଆ ଅଞ୍ଚଳ ଦେଇ ଅନନ୍ତନାଗରେ ପହଞ୍ଚି ଯିବାକୁ ସକ୍ଷମ ହୋଇ ଯାଇଥିଲା।
ପାକିସ୍ତାନୀ ଆତଙ୍କବାଦୀକୁ ଆଶ୍ରୟ
ଅନନ୍ତନାଗରେ ପହଞ୍ଚିବା ପରେ ଆଦିଲ ଠୋକରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା। ସେ ନିଜ ସହ ଭାରତରେ ଅନୁପ୍ରବେଶ କରାଇଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଆଶ୍ରୟ ଦେଇଥିଲା। ସେ ତା’କୁ ଜଙ୍ଗଲ ଭିତରେ କିମ୍ବା ଗାଁର କୌଣସି ଏକାନ୍ତ ସ୍ଥାନରେ ଲୁଚାଇ ରଖିଥିଲା ବୋଲି ତଥ୍ୟ ମିଳିଛି।
କିଛି ସପ୍ତାହ ଧରି ଅଣ୍ଡରଗ୍ରାଉଣ୍ଡ ହୋଇ ରହିବା ସମୟରେ ଆଦିଲ ସ୍ଥାନୀୟ ଅଞ୍ଚଳରେ ତା’ର ଆତଙ୍କୀ ନେଟୱର୍କକୁ ଆକ୍ଟିଭ କରିଥିଲା। ସେ ବଡ଼ଧରଣର ଆତଙ୍କବାଦୀ ହମଲା କରିବା ପାଇଁ ବେଶ ସକ୍ରିୟ ଭାବେ ଉପଯୁକ୍ତ ସ୍ଥାନ ଖୋଜିବା ସହ ସୁଯୋଗ ଅପେକ୍ଷାରେ ରହିଥିଲା। ଭୟଙ୍କର କ୍ଷତି ସହ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିବା ଭଳି ଆତଙ୍କବାଦୀ ହମଲା କରିବା ପାଇଁ ଆଦିଲ ଓ ଆଣ୍ଡ କୋ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
ଆଦିଲ ଓ ତା’ର ସହଯୋଗୀମାନେ ବଡ଼ଧରଣର ହମଲା ପାଇଁ ଅପେକ୍ଷା କରିଥିବା ବେଳେ ସଂଯୋଗ ବଶତଃ ବାର୍ଷିକ ଅମରନାଥ ଯାତ୍ରା ପରେ କଶ୍ମୀରର ବିଭିନ୍ନ ପର୍ଯ୍ୟଟକ ସ୍ଥଳ ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ ହୋଇଥିଲା। ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ବୈସାରନ ଘାଷ ଗାଲିଚାକୁ ବନ୍ଦ ରଖାଯାଇଥିଲା। କିନ୍ତୁ ୨୦୨୫ ମାର୍ଚ୍ଚରୁ ପର୍ଯ୍ୟଟକଙ୍କ ଡିମାଣ୍ଡ ବଢ଼ିବାରୁ ଏହାକୁ ଖୋଲା ଯାଇଥିଲା। ବୈସାରନ ଭ୍ୟାଲି ଖୋଲିବାରୁ ଏହା ଆଦିଲ ଓ ତା’ର ସହଯୋଗୀଙ୍କୁ ଆକ୍ରମଣ ପାଇଁ ସୁଯୋଗ ଦେଇଥିଲା।
ବୈସାରନ ଆକ୍ରମଣ
ଏପ୍ରିଲ ୨୨ ତାରିଖ ଅପରାହ୍ନ ପ୍ରାୟ ୧.୫୦ ମିନିଟ ସମୟରେ ଆଦିଲ ସହ ଅନ୍ୟ ଆତଙ୍କବାଦୀମାନେ ପାଇନ ଜଙ୍ଗଲ ଦେଇ ସିଧା ବୈସାରନ ଘାଷ ଗାଲିଚାରେ ପହଞ୍ଚିଥିଲେ। ସବୁଜ ଘାଷ ଗାଲିଚାରେ ପର୍ଯ୍ୟଟକମାନେ ପ୍ରକୃତିର ମଜା ଉଠାଇଥିବା ବେଳେ ଆତଙ୍କବାଦୀମାନେ ଏକେ ୪୭ ରାଇଫଲ ଦ୍ୱାରା ସେମାନଙ୍କ ଉପରକୁ ଗୁଳି କରିଥିଲେ। କିଛି ପର୍ଯ୍ୟଟକଙ୍କୁ ସେମାନେ ଧର୍ମ ପଚାରି ଗୁଳି କରିଥିଲେ। ସେମାନଙ୍କ ଆକ୍ରମଣରେ ୨୬ ଜଣ ପୁରୁଷ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି।
ସୁରକ୍ଷାକର୍ମୀଙ୍କ କହିବା କଥା ଯେ ବୈସାରନ ଭ୍ୟାଲି ନରସଂହାରରେ ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ଭାଗ ଭାଗ ହୋଇ ଘାଷ ଗାଲିଚାର ୩ଟି ଜୋନରେ ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରିଥିଲେ। ପୂରା ଆକ୍ରମଣ ୧୦ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ଘୋଡ଼ା ବାଲା ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ବାୟୁ ସେନା, ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀ ବି ରହିଛନ୍ତି। ଏମାନେ ପରିବାର ସହ ଛୁଟି କାଟିବାକୁ ଯାଇଥିବା ବେଳେ ସାଧାରଣ ପର୍ଯ୍ୟଟକଙ୍କ ଭଳି ସେମାନଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି କରି ଦେଇଛନ୍ତି
ଆକ୍ରମଣରେ ଆଦିଲର ଭୂମିକା
ବୈସାରନ ନରସଂହାର ଘଟଣାର ୩ ମୁଖ୍ୟ ସୂତ୍ରଧରଙ୍କ ମଧ୍ୟରେ ଆଦିଲ ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍ ସ୍ପଷ୍ଟ କରିଛି। ଆଉ ୨ ଜଣ ହେଲେ ପାକିସ୍ତାନ ନାଗରିକ ହାଶିମ ମୁସା ଓ ଅଲୀ ଭାଇ ଓରଫ ତଲାହ ଭାଇ। ୩ ଆତଙ୍କବାଦୀଙ୍କ ସ୍କେଚ ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ପୁଲିସ ୨୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଛି।
ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଅନନ୍ତନାଗ, ପହଲଗାମ ଓ ଏହାକୁ ଲାଗିଥିବା ଜଙ୍ଗଲଗୁଡ଼ିକରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଗୁରୁବାର ରାତିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆଦିଲ ଓ ଆଉ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆସିଫ ଶେଖର ଘରକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
