Advertisment

ବରଦାନ ସାଜିଲା କ୍ୟୁଆର କୋଡ ଲକେଟ୍‌; ମା’ କୋଳକୁ ଫେରିଲା ନିଖୋଜ ପୁଅ

ପୁଅ ବେକରେ ଏକ ଲକେଟ ପଡ଼ିଥିବା ବେଳେ ସେଥିରେ ଥିବା କ୍ୟୁଆର କୋଡ ଯୋଗୁ ନିଖୋଜ ହେବାଠୁ ମାତ୍ର ୬ ଘଣ୍ଟା ମଧ୍ୟରେ ନିଜ ମା’ କୋଳକୁ ଫେରି ଆସିଛି ୧୨ ବର୍ଷୀୟ ନାବାଳକ ପୁଅ।

author-image
Niharika Rout
 qr-code-locket

qr-code-locket

ସାଙ୍ଗଙ୍କ ସହ ଖେଳୁ ଖେଳୁ ଗାଏବ ହୋଇଗଲା ମାନସିକ ଭିନ୍ନକ୍ଷମ ନାବାଳକ ପୁଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହୋଇ ଗଲେ ବି ପୁଅର ପତ୍ତା ପାଇଲେନି। ମାତ୍ର ଧରା ପକାଇଦେଲା କ୍ୟୁଆର କୋଡ । ପୁଅ ବେକରେ ଏକ ଲକେଟ ପଡ଼ିଥିବା ବେଳେ ସେଥିରେ ଥିବା କ୍ୟୁଆର କୋଡ ଯୋଗୁ ନିଖୋଜ ହେବାଠୁ ମାତ୍ର ୬ ଘଣ୍ଟା ମଧ୍ୟରେ ନିଜ ମା’ କୋଳକୁ ଫେରି ଆସିଛି ୧୨ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ୱର୍ଲିରେ ଘଟିଛି।

Advertisment

ଗୁରୁବାର ସନ୍ଧ୍ୟା ସମୟରେ ମାନସିକ ଭିନ୍ନକ୍ଷମ ପିଲାଟି ଘର ନିକଟରେ ସାଙ୍ଗଙ୍କ ସହ ଖେଳୁଥିଲ। ମାତ୍ର ହଠାତ୍‌ ପିଲାଟି ଘରଠୁ ଦୂର କୋଲାବା ଅଞ୍ଚଳକୁ ଚାଲି ଯାଇଥିଲା। ସେଠାରୁ ଆଉ ସେ ଫେରିବା ବାଟ ପାଇ ପାରି ନ ଥିବା ବେଳେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିଲା।

ପିଲାଟିକୁ ଏକୁଟିଆ ଦେଖି ପୁଲିସ୍‌ ତୁରନ୍ତ ତାକୁ ଉଦ୍ଧାର କରିଥିଲା। ପିଲାଟି ନିଜ ସମ୍ପର୍କରେ କିଛି କହି ପାରି ନ ଥିବା ବେଳେ ତା’ ବେକରେ ଥିବା ଲକେଟରେ କ୍ୟୁଆର କୋଡ ଥିବା ପୁଲିସ୍‌ ଅଧିକାରୀ ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାହାକୁ ସ୍କାନ କରିବାରୁ ସେଥିରେ ପିଲାଟିର ପରିବାର ସଦସ୍ୟଙ୍କ ଫୋନ୍‌ ନମ୍ବର ଆସିଥିଲା।

Advertisment

ପୁଲିସ୍‌ ଅଧିକାରୀ ତୁରନ୍ତ ପିଲାଟିର ପରିବାରକୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପିଲାଟିକୁ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି।

କ୍ୟୁଆର କୋଡ ଲକେଟ ଥିବାରୁ ପୁଅ ସୁରକ୍ଷିତ ଭାବେ ଘରକୁ ଫେରି ଆସିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

Mumbai Missing Child