ରାହୁଲ ଗାନ୍ଧି
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଲୋକସଭା(Parliament Budget Session)ରେ ଦେଖାଯାଇଛି ହଙ୍ଗାମା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭାଷଣ ଉପରେ ଗୃହର ଅଧ୍ୟକ୍ଷ ରୋକ ଲଗାଇବାରୁ ଦେଖିବାକୁ ମିଳିଛି ଭୟଙ୍କର ବିବାଦ। ଭାରତ-ଚାଇନା ସମ୍ପର୍କକୁ ନେଇ ପୂର୍ବରୁ ଦିଆଯାଇଥିବା ରୁଲିଂ ଓ ନିୟମର ଉଲ୍ଲଙ୍ଘନକୁ ଦ୍ୱାହି ଦେଇ ରାହୁଲ ଗାନ୍ଧିଙ୍କ ଭାଷଣକୁ ଆଗକୁ ବଢ଼ିବାକୁ ଦେଇ ନାହାନ୍ତି ଗୃହର ଅଧ୍ୟକ୍ଷ।
ଏହାକୁ ନେଇ ବିରୋଧୀ ଓ ସରକାରୀ ସଦସ୍ୟଙ୍କ ମଧ୍ୟରେ ହୋଇଛି କଥା କଟାକଟି। ବିଜେପି ସାଂସଦମାନେ ରାହୁଲ ଗାନ୍ଧିଙ୍କ ଭାଷଣକୁ ବିରୋଧ କରିବାରୁ କଂଗ୍ରେସ ସାଂସଦମାନେ ଏହାକୁ କାଉଣ୍ଟର କରିଥିଲେ। ସେହିପରି ବିରୋଧୀ ସାଂସଦମାନେ କାଗଜ ଚିରି ଅଧ୍ୟକ୍ଷଙ୍କ ଆଡ଼କୁ ମଧ୍ୟ ଫିଙ୍ଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଥିଯୋଗୁ ଗୃହ ଆଦୌ ଚାଲି ପାରିନାହିଁ। ଗୃହ ମୁଲତବୀ ହେବା ପରେ ବିଶୃଙ୍ଖଳା ଆଚରଣ କରିଥିବା ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି ସରକାରୀ ଦଳର ସାଂସଦ।
ସରକାରୀ ଦଳର ସୁପାରିସ ଆଧାରରେ ଲୋକସଭାରୁ ୮ ଜଣ ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୃହରେ ବିଶୃଙ୍ଖଳା ଆଚରଣ ଓ ଗୃହର ଅଧ୍ୟକ୍ଷଙ୍କ ଆଡ଼କୁ କାଗଜ ଫିଙ୍ଗିବା ଘଟଣାରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ହେଲେ ମଣିକମ ଟାଗୋର, ଗୁରଜୀତ ଓଜଲା, ରାଜା ୱାର୍ଣ୍ଣିଂ, ଇବି ଇଡେନ, କରିଣ ରେଡ୍ଡୀ, ଭେଙ୍କଟ ରମଣ, ପ୍ରଶାନ୍ତ ପାଡୋଲେ ଓ ଡିନ କୁରିଆକୋସେ। ଏମାନଙ୍କୁ ଚଳିତ ବଜେଟ ଅଧିବେଶନରୁ ସଂପୂର୍ଣ୍ଣ ଭାବେ ନିଲମ୍ବନ କରାଯାଇଛି। ଲୋକସଭା ବାଚସ୍ପତି ବିରୋଧୀ ସାଂସଦଙ୍କ ଏପରି ଆଚରଣକୁ ସଂସଦୀୟ ପରମ୍ପରାର ବିରୋଧାଚରଣ ଓ ଏହାକୁ କେବେ ହେଲେ ବି ବଜେଟ ଅଧିବେଶନରେ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି।
ଆଜି ନିଜର ଅଭିଭାଷଣ ଆରମ୍ଭ ବେଳେ ରାହୁଲ ଗାନ୍ଧି ସୋମବାର କେଉଁ ଭଳି ତାଙ୍କ କଥା ଉପରେ ରୋକ ଲଗା ଯାଇଥିଲା ସେ ପ୍ରସଙ୍ଗ ଉଠାଇଥିଲେ। ସେ ଗୃହର ଅଧ୍ୟକ୍ଷଙ୍କୁ କହିଥିଲେ ଯେ “ମୁଁ ଅନୁମତି ଶବ୍ଦ ଉପରେ ଆପତ୍ତି କରୁଛି। ମୋତେ କେହି ବି ଅନୁମତି ଦେଇନାହାନ୍ତି। ମୁଁ ଗୃହର ବିରୋଧୀ ଦଳ ନେତା।”
ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ କହିଛନ୍ତି, “ସମସ୍ତେ ଅନୁମତି ସହିତ କୁହନ୍ତି। ସେ ଯିଏ କେହି ବି ହେଇ ଥାଆନ୍ତୁ। ବାଚସ୍ପତିଙ୍କ ବିନା କେହି ବି କହିପାରିବେ ନାହିଁ।”
ରାହୁଲ ଗାନ୍ଧି କହିଛନ୍ତି ଯେ ଗୋଟିଏ ଆଲେଖ୍ୟ ସମ୍ପର୍କରେ କହିବାକୁ ଚାହୁଁଛନ୍ତି, ଯେଉଁଥିରେ ଶତପ୍ରତିଶତ ସତ୍ୟତା ରହିଛି। ଏହା ଜାତୀୟ ସୁରକ୍ଷା ସହ ମଧ୍ୟ ଜଡ଼ିତ। ରାହୁଲ ଗାନ୍ଧି କହିଥିଲେ, “ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜାତୀୟ ସୁରକ୍ଷା। ପାକିସ୍ତାନୀ, ଚାଇନିଜ ଓ ଆମମାନଙ୍କ ମଧ୍ୟରେ ଥିବା ସମ୍ପର୍କ କ’ଣ? ଏହାକୁ ନେଇ ପ୍ରକାଶିତ ସ୍ତମ୍ଭରେ ଗୋଟିଏ ପ୍ରମୁଖ କଥା କୁହାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ରହିଛି।” ତେବେ ବିଜେପି ସଦସ୍ୟମାନେ ଏହାକୁ ଦୃଢ଼ ଭାବେ ବିରୋଧ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ପୂର୍ବ ରୁଲିଂ କଥା କହିଲେ ଅଧ୍ୟକ୍ଷ
ସୋମବାର ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇ ଗୃହର ଅଧ୍ୟକ୍ଷ ଆଜି ରାହୁଲ ଗାନ୍ଧିଙ୍କୁ ନିଜର ବୟାନ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସୀମିତ ରଖିବାକୁ କହିଥିଲେ। ରାହୁଲ ଗାନ୍ଧି ଏହାର ଜବାବରେ କହିଥିଲେ ଯେ “ଗତକାଲି ମୁଁ କହିଥିଲି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଜାତୀୟ ସୁରକ୍ଷାର ପ୍ରସଙ୍ଗ ସହ ଜଡ଼ିତ। ସ୍ତମ୍ଭରେ ଏ ସବୁ ବିଷୟରେ କୁହାଯାଇଛି। ଏହାର ସତ୍ୟତା ରହିଛି।”
ଅଧ୍ୟକ୍ଷ ଏହା ଶୁଣି କହିଥିଲେ ଯେ “ଦୟାକରି ଏହାକୁ ଗୃହରେ ଦାଖଲ କରନ୍ତୁ। ଆମେ ଏହାକୁ ଯାଞ୍ଚ କରିବୁ ଓ ଆପଣଙ୍କୁ ଫେରାଇବୁ। ମୁଁ ବିରୋଧୀ ଦଳର ନେତାଙ୍କୁ କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବାକୁ ଅନୁରୋଧ କରୁଛି।”
କରିଣ ରିଜିଜୁ ଏହି ସମୟରେ କହିଥିଲେ ଯେ “ଗତକାଲି(ସୋମବାର) ବାଚସ୍ପତି ଗୋଟିଏ ରୁଲିଂ ଦେଇଥିଲେ। ଯେତେବେଳେ ରୁଲିଂ ଦିଆଯାଇ ସାରିଛି, ସେ(ରାହୁଲ ଗାନ୍ଧି) ସମାନ ପ୍ରସଙ୍ଗ ପୁଣି ଉଠାପାରିବେ ନାହିଁ।”
ମନ୍ତ୍ରୀ ରିଜିଜୁ ଗୃହକୁ ବିଭ୍ରାନ୍ତ କରୁଥିବା କଂଗ୍ରେସ ସାଂସଦ କେସି ଭେନୁଗୋପାଲ ଅଭିଯୋଗ କରିବା ସହ “ସେ(ରିଜିଜୁ) ମୋତେ ଓ ଗୌରବ ଗୋଗୋଇଙ୍କୁ ଡାକିଥିଲେ” ବୋଲି କହିଛନ୍ତି। ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି ଅଧ୍ୟକ୍ଷ କହିଛନ୍ତି, “ଆପଣ କ’ଣ କହିଲେ, ଏସବୁ କ’ଣ ୟାର? ଆପଣ ଅଧ୍ୟକ୍ଷଙ୍କୁ ଏପରି କହିପାରିବେ ନାହିଁ। ଆପଣକୁ କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବାକୁ ସୁଯୋଗ ମିଳିଛି।”
କାହିଁକି ମୋତେ କହିବାକୁ ବାରଣ କରାଯାଉଛି?
ରାହୁଲ ଗାନ୍ଧି କହିଛନ୍ତି ଯେ “ମୁଁ କୌଣସି ସମ୍ପର୍କ ନଥିବା ବିଷୟ ସମ୍ପର୍କରେ କହୁନାହିଁ। ବାଚସ୍ପତି ସାର, ଏହା ଆଦୌ ମୋତେ ମିଳିଥିବା ଅନୁମତି ନୁହେଁ। ମୁଁ ଏହି ଦେଶର ବିରୋଧୀ ଦଳ ନେତା। ଆପଣ ମୋତେ କହିବାକୁ ଅନୁମତି ଦେଉ ନାହାନ୍ତି। ଆମ ରାଷ୍ଟ୍ରପତିଙ୍କ ଭାଷଣ ସେହି ସବୁ ପ୍ରସଙ୍ଗ ଉପରେ ଆଧାରିତ, ଯାହା ଉପରେ ଭାରତକୁ ଆଗକୁ ବଢ଼ିବାର ଅଛି।
ଆଜି ଅନ୍ତର୍ଜାତୀୟ ମାମଲାରେ ମୁଖ୍ୟ ପ୍ରସଙ୍ଗ ହେଉଛି ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ। ଏହା ଆମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ବଜେଟର କେନ୍ଦ୍ରବିନ୍ଦୁରେ ରହିଛି। ଯଦି ମୁଁ ଭାରତ ଓ ଚାଇନା ମଧ୍ୟରେ ହୋଇଥିବା କୌଣସି ଘଟଣା ସମ୍ପର୍କରେ କହିବାକୁ ଚାହୁଁଛି, ତା’ହେଲେ ମୋତେ କାହିଁକି ଅଟକା ଯାଉଛି?”
ପୂର୍ବ ଲଦାଖର ଉଦାହରଣ ଦେଇ ରାହୁଲ ଗାନ୍ଧି କହିଛନ୍ତି, “ସେଠାରେ ବିବାଦ ଚାଲିଥିଲା। ଆମ ସୈନ୍ୟମାନେ ପ୍ରାଣ ହରାଇଛନ୍ତି।” ରାହୁଲ ଗାନ୍ଧି ଚାଇନା ପ୍ରସଙ୍ଗରେ କହିବାକୁ ଜିଦ କରିବାରୁ ଗୃହର ଅଧ୍ୟକ୍ଷ ପରବର୍ତ୍ତୀ ସଦସ୍ୟଙ୍କୁ କହିବାକୁ ଅନୁମତି ଦେଇଥିଲେ।
କାଗଜ ଫିଙ୍ଗି କଂଗ୍ରେସ ସାଂସଦଙ୍କ ବିକ୍ଷୋଭ
ରାହୁଲ ଗାନ୍ଧିଙ୍କୁ କହିବାକୁ ଅନୁମତି ନ ଦେଇ ଗୃହର ଅଧ୍ୟକ୍ଷ ଆଗକୁ ବଢ଼ିବାରୁ ଏହାକୁ କଂଗ୍ରେସ ସାଂସଦମାନେ ଜୋରଦାର ବିରୋଧ କରିଛନ୍ତି। ସେମାନେ କାଗଜ ଚିରିବା ସହ ଏହାକୁ ଗୃହର ଅଧ୍ୟକ୍ଷଙ୍କୁ ଟାର୍ଗେଟ କରି ଫିଙ୍ଗିବାରୁ ହୋହଲ୍ଲା ଆହୁରି ତୀବ୍ର ହୋଇଥିଲେ। ଏଥିଯୋଗୁ ଗୃହର ଅଧ୍ୟକ୍ଷ ଲୋକସଭାକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ମୁଲତବୀ ପୂର୍ବରୁ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ମଧ୍ୟ ଦେଖିବାକୁ ମିଳିଥିଲା।
ସେନା ମୁଖ୍ୟଙ୍କ ବହିକୁ ନେଇ ପୂରା ବିବାଦ
ଦେଶର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେଙ୍କ ଗୋଟିଏ ଅପ୍ରକାଶିତ ବହିକୁ ନେଇ ଏବେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ବହି ସମ୍ପର୍କରେ ପ୍ରକାଶିତ ଗୋଟିଏ ସ୍ତମ୍ଭକୁ ନେଇ ସଂସଦରେ ଭାଷଣ ଦେବାକୁ ବିବାଦ ଆରମ୍ଭ ହୋଇଥିଲା। ଆଜି ମଧ୍ୟ ସମାନ ପ୍ରସଙ୍ଗରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଜେନେରାଲ ନରଭାଣେ ୨୦୨୦ରେ ଭାରତ-ଚାଇନା ଲଦାଖ ବିବାଦକୁ ନେଇ ନିଜ ବହି ଲେଖିଛନ୍ତି। ଏହା ଏଯାଏ ଉନ୍ମୋଚନ ହୋଇ ନାହିଁ। ୨୦୨୩ରୁ ଏହା ପ୍ରକାଶ ଅପେକ୍ଷାରେ ରହିଥିଲେ ହିଁ ପ୍ରତିରକ୍ଷା ବିଭାଗ ଏଥିପାଇଁ ଅନୁମତି ଦେଇନାହିଁ। ଏସବୁ ଭିତରେ ଗୋଟିଏ ମ୍ୟାଗାଜିନରେ ବହିର କିଛି ଅଂଶକୁ କିଛି ଦିନ ତଳେ ପ୍ରକାଶ କରାଯାଇଥିଲା। ଜେନେରାଲ ନରଭାଣେ ଭାରତ-ଚାଇନା ବିବାଦରେ ସରକାରଙ୍କ ଆଭିମୁଖ୍ୟ କ’ଣ ଥିଲା, ସେ ବିଷୟରେ ନିଜ ବହିରେ ଲେଖିଛନ୍ତି। ଏକଥାକୁ ସ୍ତମ୍ଭରେ ସ୍ଥାନ ଦିଆଯାଇଛି। ଏହାକୁ ରାହୁଲ ସଂସଦର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ହେଁ ଶାସକ ଦଳ ବିରୋଧ କରିଛନ୍ତି।
୨୦୨୦ ମେ’ ୫ରେ ପୂର୍ବ ଲଦାଖ ସୀମାରେ ହିଂସାତ୍ମକ ଲଢ଼େଇ ଦେଖିବାକୁ ମିଳିଥିଲା। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିଲା ଭୟଙ୍କର ମାରପିଟ। ପୂର୍ବତନ ସ୍ଥଳ ସେନା ମୁଖ୍ୟ ଜେନେରାଲ ନରଭାଣେ ନିଜର ପବ୍ଲିଶ ହୋଇ ନଥିବା ଫୋର ଷ୍ଟାର ଅଫ ଡେଷ୍ଟିନୀରେ ଉକ୍ତ ବିବାଦ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/03/rahul-gandhi-2026-02-03-15-42-07.jpg)