Advertisment

ମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କ ବିରୋଧରେ ପ୍ରମାଣ ପାଇଲେନି ଲୋକାୟୁକ୍ତ

୨୦୧୬ରୁ ୨୦୨୪ ମଧ୍ୟରେ ମୁଦା ଦ୍ୱାରା କରାଯାଇଥିବା ପ୍ରତିପୂରକ ଜମି ଆବଣ୍ଟନ ଏବେ ବି ତଦନ୍ତ ପରିସରଭୁକ୍ତ ରହିଛି।

ଅଦ୍ୟତନ ହୋଇଛି
Siddaramaiah

Siddaramaiah

Advertisment

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ (ମୁଦା) ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ପ୍ରମାଣ ନାହିଁ ବୋଲି କହିଛନ୍ତି ଲୋକାୟୁକ୍ତ। ଏହା ସହିତ ଲୋକାୟୁକ୍ତ କହିଛନ୍ତି ଯେ ସିଦ୍ଦରମୈୟାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଦେୱାନୀ ପ୍ରକୃତିର ଏବଂ ଏହା ଫୌଜଦାରୀ ମାମଲା ପାଇଁ ଉପଯୁକ୍ତ ନୁହେଁ।

Advertisment

ଯେଉଁ ତିନି ଜଣ ସାମାଜିକ କର୍ମୀ ଗତ ବର୍ଷ କର୍ଣ୍ଣାଟକା ରାଜ୍ୟପାଳଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି କରିଥିଲେ, ସେମାନଙ୍କ ମଧ୍ୟରୁ ସ୍ନେହମୟୀ କୃଷ୍ଣଙ୍କୁ ଲୋକାୟୁକ୍ତ ପଠାଇଥିବା ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତାଙ୍କ ପତ୍ନୀ ବିଏମ୍ ପାର୍ବତୀ ଓ ଶାଳକ ମଲ୍ଲିକାର୍ଜୁନ ସ୍ୱାମୀ ଏ‍‍ବଂ ଦେବରାଜୁଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ସେଗୁଡ଼ିକୁ ପ୍ରମାଣ କରିବାକୁ କିଛି ତଥ୍ୟ ନାହିଁ। ସେଥିପାଇଁ ହାଇକୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରାଯିବ।

ସ୍ନେହମୟୀ କୃଷ୍ଣଙ୍କୁ ମତାମତ ରଖିବା ପାଇଁ ଲୋକାୟୁକ୍ତ ୭ ଦିନ ସମୟ ଦେଇଛନ୍ତି। ତା’ପରେ ଲୋକାୟୁକ୍ତ ହାଇକୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିବେ।

Advertisment

ଅନ୍ୟପକ୍ଷରେ, ୨୦୧୬ରୁ ୨୦୨୪ ମଧ୍ୟରେ ମୁଦା ଦ୍ୱାରା କରାଯାଇଥିବା ପ୍ରତିପୂରକ ଜମି ଆବଣ୍ଟନ ଏବେ ବି ତଦନ୍ତ ପରିସରଭୁକ୍ତ ରହିଛି। ଏନେଇ କୋର୍ଟଙ୍କୁ ଏକ ସପ୍ଲିମେଣ୍ଟାରୀ ରିପୋର୍ଟ ଦିଆଯିବ ବୋଲି ଲୋକାୟୁକ୍ତ କହିଛନ୍ତି। ପ୍ରତିପୂରକ ଜମି ଆବଣ୍ଟନ ମାମଲାରେ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍ ପାର୍ବତୀ ମଧ୍ୟ ରହିଛନ୍ତି, ଯାହା ଏହି ବିବାଦର କେନ୍ଦ୍ରବିନ୍ଦୁ ଅଟେ।

ସିଦ୍ଦରମୈୟାଙ୍କ ପତ୍ନୀ ବିଏନ୍ ପାର୍ବତୀଙ୍କ ନାଁରେ ମହୀଶୂର ସହର ନିକଟରେ କେସା ଗାଁରେ ୩.୧୬ ଏକର ଜମି ରହିଥିଲା। ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ (ମୁଦା) ଏହାକୁ ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା। ପ୍ରତିବଦଳରେ ପାର୍ବତୀଙ୍କୁ ମହୀଶୂର ସହରର ଦାମୀ ଅଞ୍ଚଳ ଭାବେ ପରିଚିତ ବିଜୟ ନଗରରେ ୧୪ଟି ପ୍ଲଟ୍ ଯୋଗାଇ ଦିଆଯାଇଥିଲା। କିନ୍ତୁ ତାଙ୍କୁ ମିଳିଥିବା ପ୍ଲଟର ମୂଲ୍ୟ ସେ ଦେଇଥିବା ଜମି ତୁଳନାରେ ଯଥେଷ୍ଟ ଅଧିକ ବୋଲି ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଭାବେ ତାଙ୍କୁ ଜମି ଆବଣ୍ଟନ କଲା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅନିୟମତତା ଯୋଗୁ ରାଜ୍ୟ ରାଜକୋଷକୁ ୪୫ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

ତାଙ୍କ ବିରୋଧରେ ଆସିଥିବା ହେରଫେର ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟପାଳ ଦେଇଥିବା ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ପରେ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe