Advertisment

ଗତବର୍ଷ ଠାରୁ ଏଥର ଅଧିକ ସମୟ ଚାଲିଲା ବଜେଟ୍‌ ଭାଷଣ

ସାଧାରଣତଃ ବଜେଟ ଭାଷଣର ହାରାହାରି ସମୟ ହେଉଛି ୯୦ରୁ ୧୨୦ ମିନିଟ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
Nirmala sitharaman

Nirmala sitharaman

ଆଜି ସଂସଦରେ ଉପସ୍ଥିତ ହୋଇଛି ସାଧାରଣ ବଜେଟ୍‌। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏଥର ବଜେଟ୍‌ ଭାଷଣ ସେ ଗତବର୍ଷ ଅପେକ୍ଷା ଅଧିକ ସମୟ ଦେଇଛନ୍ତି। ପାଖାପାଖି ୧ ଘଣ୍ଟା ୪୦ ମିନିଟ୍‌ର ଭାଷଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

୨୦୨୨-୨୩ ବର୍ଷର ବଜେଟକୁ ମାତ୍ର ଏକ ଘଣ୍ଟା ୩୦ ମିନିଟ୍‌ରେ ଶେଷ କରିଦେଇଥିଲେ ଅର୍ଥମନ୍ତ୍ରୀ। ୪ ବର୍ଷ ମଧ୍ୟରେ ସବୁଠାରୁ ଅଳ୍ପ ସମୟ ମଧ୍ୟରେ ନିର୍ମଳା ନିଜର ବଜେଟ ଭାଷଣ ଶେଷ କରିଥିଲେ। ସାଧାରଣତଃ ବଜେଟ ଭାଷଣର ହାରାହାରି ସମୟ ହେଉଛି ୯୦ରୁ ୧୨୦ ମିନିଟ୍‌।

୨୦୧୯ରେ ସୀତାରମଣ ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ। ପ୍ରଥମ ବର୍ଷରେ ସେ ବଜେଟ ଇତିହାସର ସବୁଠାରୁ ଲମ୍ବା ସମୟ ଭାଷଣ ଦେଇ ରେକର୍ଡ କରିଥିଲେ। ଏହି ସମୟରେ ସେ ୨ ଘଣ୍ଟା ୧୭ ମିନିଟ୍‌ ଧରି ବଜେଟ ଉପସ୍ଥାପନ କରିଥିଲେ।

Advertisment

୨୦୨୦ରେ ସେ ପୁଣିଥରେ ନିଜ ରେକର୍ଡ ଭାଙ୍ଗିଥିଲେ। ସେ ୨ ଘଣ୍ଟା ୪୨ ମିନିଟ୍‌ ଧରି ବଜେଟ ଭାଷଣ ଦେଇଥିଲେ। ତଥାପି ବଜେଟର ଆହୁରି ୨ ପେଜ୍‌ ବାକି ରହି ଯାଇଥିଲା। ଅସୁସ୍ଥ ଅନୁଭବ କରିବାରୁ ସେ ଏହାକୁ ପଢ଼ି ପାରି ନଥିଲେ। ୨୦୨୧ରେ ମଧ୍ୟ ସେ ୧୦୦ ମିନିଟ୍‌ ଧରି ବଜେଟର ତଥ୍ୟ ଗୁଡ଼ିକ ଉପସ୍ଥାପନ କରିଥିଲେ ନିର୍ମଳା।

ନିର୍ମଳା ୨ ବର୍ଷ ଧରି ରେକର୍ଡ ସମୟ ଯାଏ ଭାଷଣ ଦେଉଥିଲେ। ହେଲେ ଏଥର ସେମିତି କିଛି ଘଟିନି। ନିର୍ମଳାଙ୍କ ପୂର୍ବରୁ ସବୁଠାରୁ ଅଧିକ ସମୟ ବଜେଟ ଭାଷଣ ଦେବାର ରେକର୍ଡ ଯଶବନ୍ତ ସିହ୍ନାଙ୍କ ନାଁରେ ଥିଲା। ସେ ୨୦୦୩ରେ ସବୁଠାରୁ ଲମ୍ବା ବଜେଟ ଭାଷଣର ସମୟକୁ ଭାଙ୍ଗିଥିଲେ। ଏହି ସମୟରେ ଯଶବନ୍ତ ସିହ୍ନା ୧୩୩ ମିନିଟ୍‌ ବା ୨ଘଣ୍ଟା ୧୩ ମିନିଟ୍‌ ଧରି ଦେଶର ବଜେଟ ଉପସ୍ଥାପନ କରିଥିଲେ।

୧୯୮୨ ମସିହାରେ ପ୍ରଣବ ମୁଖାର୍ଜୀ ଉପସ୍ଥାପନ କରିଥିବା ବଜେଟ୍‌ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା। ସେ ୯୫ ମିନିଟ୍‌ କାଳ ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧି କହିଥିଲେ ଯେ ଭାରତୀୟ ଇତିହାସରେ କମ୍‌ ଉଚ୍ଚତା ଥିବା ଅର୍ଥମନ୍ତ୍ରୀ ସବୁଠାରୁ ଲମ୍ବା ସମୟ ଧରି ଭାଷଣ ଦେଇଛନ୍ତି।

୧୯୯୧ ମସିହାରେ ମନମୋହନ ସିଂହ ସବୁଠାରୁ ଅଧିକ ଶବ୍ଦର ବ୍ୟବହାର କରିଥିଲେ। ସେ ୧୮ ହଜାର ୬୫୦ ଶବ୍ଦରେ ବଜେଟ ଉପସ୍ଥାପନ କରିଥିଲେ। ଏହାପରେ ଅରୁଣ ଜେଟଲୀ ୨୦୧୮ରେ ୧୮ ହଜାର ୬୦୪ ଶବ୍ଦରେ ଭାଷଣ ଦେଇଥିଲେ। ତେବେ ବଜେଟ୍ ଉପସ୍ଥାପନାରେ ସବୁଠାରୁ ଛୋଟ ଭାଷଣ ୧୯୭୭ ମସିହାରେ ଅର୍ଥ ମନ୍ତ୍ରୀ ହିରୁଭାଇ ଏମ ପଟେଲ୍ ଦେଇଥିଲେ। ସେ ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟରେ ମାତ୍ର ୮୦୦ ଶବ୍ଦର ବ୍ୟବହାର ହୋଇଥିଲା।

ସେହିପରି ବର୍ତ୍ତମାନ ସୁଦ୍ଧ ସର୍ବାଧିକ ଥର ବେଜଟ୍‌ ଉପସ୍ଥାପନ କରିବା ରେକର୍ଡ ମୋରାଜୀ ଦେଶାଇଙ୍କ ନାଁରେ ରହିଛି। ଅର୍ଥମନ୍ତ୍ରୀ ଥିବା ବେଳେ ମୋରାଜୀ ଦେଶାଇ ୧୦ଥର ସାଧାରଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହାପରେ ପି.ଚିଦାମ୍ବରମ୍‌ ୯ଥର, ପ୍ରଣବ ମୁଖାର୍ଜୀ ୯ଥର, ଯଶବନ୍ତ ରାଓ ଚୌହାନ ୭ଥର, ସିଡି ଦେଶମୁଖ ୭ଥର, ଯଶବନ୍ତ ସିହ୍ନା ୭ଥର, ମନମୋହନ ସିଂହ ୬ଥର ଓ ଟିଟି କୃଷ୍ଣମାଚାରୀ ୬ଥର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି।

Union Budget 2023 Budget2023