କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହାସଲ କରିଛି। କ୍ଷମତାସୀନ ବିଜେପି ଗାଦିଚ୍ୟୁତ ହୋଇଛି। ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଯୋଜନା କରିଥିଲେ ହେଁ ଭୋଟର ଏହାକୁ ଗ୍ରହଣ କରି ନାହାନ୍ତି। ବିଜେପି ୭୦ରୁ କମ ଆସନ ଜିତିବାକୁ ଯାଉଛି।
ତେବେ କ’ଣ ପାଇଁ ବିଜେପି କର୍ଣ୍ଣାଟକାରେ ଫେଲ ମାରିଲା,ତା’ର କାରଣ ସବୁ ଏବେ ସାମ୍ନାକୁ ଆସିଛି।
ପ୍ରଭାବଶାଳୀ ଚେହେରା ନଥିଲା: ବିଜେପି ଫୁଲଦମରେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ରାଜ୍ୟରେ ସେମିତି କୌଣସି ଚର୍ଚ୍ଚିତ କିମ୍ବା ପ୍ରଭାବଶାଳୀ ଚେହେରା ନଥିଲେ। ବିଜେପି ନିର୍ବାଚନର ଠିକ ପୂର୍ବରୁ ବିଏସ୍ ୟେଦ୍ୟୁରପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କିନ୍ତୁ ବୋମାଇ ଲୋକମାନେ ଚାହୁଁଥିବା ବିକାଶ ଓ ଆଶାକୁ ପୂରଣ କରିବାରେ ବିଫଳ ହୋଇଥିଲେ।
ଦଳ କେନ୍ଦ୍ରୀୟ ବିଜେପିର ଚେହେରାଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା। ସବୁକଥାରେ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗକୁ ଆଣିଥିଲା। କିନ୍ତୁ ରାଜ୍ୟ ବିଜେପିରେ ସେମିତି ପ୍ରଭାବଶାଳୀ ବ୍ୟକ୍ତି ନଥିଲେ। କଂଗ୍ରେସ ପାଖରେ ଡିକେ ଶିବକୁମାର ଓ ସିଦ୍ଦରମୈୟାଙ୍କ ଭଳି ଚେହେରା ରହିଥିଲେ।
ବରିଷ୍ଠ ନେତାଙ୍କୁ ଅଣଦେଖା
କର୍ଣ୍ଣାଟକାରେ ବିଜେପିର ମାନ ରଖି ଦଳକୁ ଶକ୍ତିଶାଳୀ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ନିର୍ବାଚନର ଠିକ୍ ପୂର୍ବରୁ ଦଳ ସାଇଡ କରିଥିଲା। ଦଳରେ ଥିବା ବରିଷ୍ଠ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଓ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡିଙ୍କୁ ବିଜେପି ଟିକେଟ ଦେଇ ନଥିଲା। ଫଳରେ ସେମାନେ କଂଗ୍ରେସରେ ଯୋଗ ଦେଇଥିଲେ।
ସେମାନଙ୍କ ସହ ଅନେକ ବିଜେପି କର୍ମୀ ମଧ୍ୟ କଂଗ୍ରେସ ପାଇଁ କାମ ଆରମ୍ଭ କରିଥିଲେ। ୟେଦ୍ୟୁରପ୍ପା, ଜଗଦୀଶ ଓ ଲକ୍ଷ୍ମଣ ହେଉଛନ୍ତି ଲିଙ୍ଗାୟତ ସଂପ୍ରଦାୟର। ଏମାନେ କଂଗ୍ରେସକୁ ଯିବାରୁ ବିଜେପିର ଭୋଟ ବ୍ୟାଙ୍କ ବିଭାଜନ ହୋଇଥିଲା।
ଲିଙ୍ଗାୟତ ସଂପ୍ରଦାୟର ଭୋଟ ବିଭାଜନ
ନିର୍ବାଚନ ପ୍ରଚାର ବେଳେ ବିଜେପି ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେଇଥିଲା। ବିଶେଷ କରି ଲିଙ୍ଗାୟତ ଭୋଟକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିଲା। ହେଲେ ନିଜର ଭୋଟ ବ୍ୟାଙ୍କକୁ ଦଳ ସଂରକ୍ଷିତ କରି ରଖିବାରେ ବିଫଳ ହୋଇଛି। ଲିଙ୍ଗାୟତ ଭୋଟ ହାତେଇବାକୁ ବୋମାଇ ସରକାର ଶେଷ ମୁହୂର୍ତ୍ତରେ ଉଦ୍ୟମ କରିଥିଲେ।
ରାଜ୍ୟରେ ମୁସଲିମମାନଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ସେ ହଟାଇ ଲିଙ୍ଗାୟତ ଓ ଭୋକ୍କାଲିଗାସ ସଂପ୍ରଦାୟ ମଧ୍ୟରେ ବାଣ୍ଟି ଦେଇଥିଲେ। କିନ୍ତୁ ଏହାର ଫାଇଦା ମଧ୍ୟ ଦଳ ଉଠାଇ ପାରିନି। ଲିଙ୍ଗାୟତଙ୍କ ଜନସଂଖ୍ୟା ରାଜ୍ୟରେ ୧୭%। ଏମାନଙ୍କ ଭୋଟ ୭୮ଟି ଆସନର ଫଳାଫଳ ଉପରେ ନିର୍ଭର କରିଥାଏ। ୭୮ଟି ଆସନରୁ କଂଗ୍ରେସ ୫୪ଟିରେ ଜିତିଥିବା ବେଳେ ବିଜେପି କେବଳ ୧୯ଟି ଆସନ ହାତେଇବାକୁ ସକ୍ଷମ ହୋଇଛି।
୨୦୧୮ ତୁଳନାରେ ଏଠାକାର ୭୮ଟି ଆସନରୁ ବିଜେପି ୨୮ଟି ହରାଇଥିବା ବେଳେ କଂଗ୍ରେସ ୨୯ଟି ଆସନ ଅଧିକ ପାଇଛି। ସେହିପରି ଦଳିତ, ଆଦିବାସୀ, ଓବିସି ଓ ଭୋକ୍କାଲିଙ୍ଗା ସଂପ୍ରଦାୟର ଭୋଟକୁ ମଧ୍ୟ ୨୦୧୮ ଭଳି ୨୦୨୩ରେ ବିଜେପି ହାତେଇ ପାରିନି।
ଧାର୍ମିକ ଧ୍ରୁବୀକରଣ ବୁମେରାଂ ହେଲା
ନିର୍ବାଚନ ବର୍ଷରେ ବିଜେପି ନେତାମାନେ ହଲାଲ, ହିଜାବ, ଅଜାନ ଓ ଭଗବାନ ହନୁମାନଙ୍କ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ବଜରଙ୍ଗ ଦଳ ଭଳି ସଂଗଠନକୁ ବ୍ୟାନ କରିବାକୁ ପ୍ରତିଶ୍ରୁତି ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଦଳର ନେତାମାନେ ବଜରଙ୍ଗବାଲୀ ହନୁମାନଙ୍କ କଥା କହିଥିଲେ। ଏହାକୁ ନେଇ ସାଂପ୍ରଦାୟିକ ଭେଦଭାବ ଦେଖାଯାଇଥିଲା।
କିନ୍ତୁ କର୍ଣ୍ଣାଟକାରେ ବିଜେପିକୁ ଏହା କୌଣସି ପ୍ରକାରର ଫାଇଦା ଦେଇ ନାହିଁ। ଦେଶର ଅନ୍ୟପ୍ରାନ୍ତରେ ଏହାର ପ୍ରଭାବ ପଡ଼ିଥିଲା। ହେଲେ କର୍ଣ୍ଣାଟକାରେ ଏହା ବିଜେପି ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ବିଜେପିର ହିନ୍ଦୁତ୍ୱ କାର୍ଡ ଦଳକୁ ଅନ୍ୟ ରାଜ୍ୟରେ ଫାଇଦା ଦେଇପାରେ, କିନ୍ତୁ କର୍ଣ୍ଣାଟକାରେ ଏହା ସମ୍ଭବ ହୋଇନି।
ଦୁର୍ନୀତି ଅଭିଯୋଗ
ବିଜେପି ସରକାର ବିରୋଧରେ କଂଗ୍ରେସ ୪୦% କମିସିନ ଅଭିଯୋଗ ଆଣି ପ୍ରଚାର ଆରମ୍ଭ କରିଥିଲା। ୪୦% କମିସିନ ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ କରୁଥିବା ଅଭିଯାନକୁ ଧୀରେଧୀରେ ଲୋକମାନେ ସମର୍ଥନ କରିଥିଲେ। ବିଜେପି ନେତା କେଏସ୍ ଈଶ୍ୱରପ୍ପା ଦୁର୍ନୀତି ଅଭିଯୋଗରେ ଫସି ଗତବର୍ଷ ଏପ୍ରିଲରେ ଇସ୍ତଫା ଦେଇଥିଲେ। ଏହା କଂଗ୍ରେସ ଅଭିଯାନରେ ତେଲ ଢାଳିବା କାମ କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ଚିଠି ଲେଖି ଈଶ୍ୱରପ୍ପାଙ୍କ ବିରୋଧରେ ଅଭିଯୋଗ କରିଥିଲା। ଏହା ବିଜେପି ପରାଜୟ ପଛର ଅନ୍ୟତମ ବଡ଼ କାରଣ।
ସରକାରୀ ବିରୋଧୀ ହାୱା
ରାଜ୍ୟରେ ସରକାରୀ ବିରୋଧୀ ହାୱା ପ୍ରଭାବିତ ହେଉଥିଲେ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ ବିଜେପି କୌଣସି ପ୍ରମୁଖ ପ୍ରସଙ୍ଗ ପାଇ ନଥିଲା। କର୍ଣ୍ଣାଟକା ଭୋଟରଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତିପୂରଣ କରିପାରି ନଥିଲା। ଏଥିସହ କଂଗ୍ରେସ ବେକାରୀ ଓ ଦରଦାମ ବୃଦ୍ଧି କଥା ଉଠାଇ ବିଜେପିକୁ ଆହୁରି ବ୍ୟାକଫୁଟକୁ ଠେଲି ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।