Advertisment

ସେହି ସତର ମିନିଟ୍‌, ୨୫ କୋଟିର ଗହଣା ନେଇ ପଳାଇଲେ ୬ ଲୁଟେରା

୬ ଲୁଟେରାଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।

Loot

Loot

Advertisment

ବିହାରର ଆରା ସହରରେ ଥିବା ତନିଷ୍କ ଶୋ’ରୁମ୍‌ରୁ ୨୫ କୋଟି ଟଙ୍କାର ଗହଣା ଲୁଟ୍ ହୋଇଛି। ୬ ଜଣ ଲୁଟେରା ବନ୍ଧୁକ ମୁନରେ ଏହି କାଣ୍ଡ ଭିଆଇଛନ୍ତି। ମାତ୍ର ୧୭ ମିନିଟ୍ ମଧ୍ୟରେ ସେମାନେ ଗହଣା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ସେମାନଙ୍କ ବାଟ ଓଗାଳି ଥିଲା ପୁଲିସ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ ଜଣ ଲୁଟେରା ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଗିରଫ କରିଥିବା ବେଳେ ଲୁଟ୍‌ ଗହଣାରୁ ୭୦% ପୁଲିସ ଜବତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି।

Advertisment

ଲୁଟେରା ଶୋ’ରୁମ୍‌ରେ କେମିତି ପ୍ରବେଶ କଲେ

ଆରା ସହରର ଗୋପାଳି ଛକରେ ଅଛି ତନିଷ୍କର ଶୋ’ ରୁମ୍‌। ସବୁଦିନ ଭଳି ସୋମବାର (ଗତକାଲି) ଦିନ ପ୍ରାୟ ୧୦ଟା ବେଳେ ଏହା ଖୋଲି ଥିଲା। ଶୋ’ ରୁମ୍ ଖୋଲିବାର ପ୍ରାୟ ଅଧା ଘଣ୍ଟା ପରେ ୬ ଜଣ ବ୍ୟକ୍ତି ସେଠାକୁ ଆସିଥିଲେ। ସେମାନେ କାରରେ ଆସିଥିଲେ। ସେମାନେ ରାସ୍ତାକଡ଼ରେ କାର ରଖି ଶୋ’ ରୁମ୍‌କୁ ଆସିଥିଲେ। ତେବେ ପ୍ରବେଶ ପଥରେ ସେମାନଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ। କାରଣ ଶୋ’ ରୁମ୍‌ର ନିୟମ ଅନୁଯାୟୀ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ପ୍ରବେଶ କରିପାରିବେ ନାହିଁ। ତେଣୁ ସେମାନଙ୍କୁ ଦୁଇ ଦୁଇ ଜଣ ହୋଇ ଶୋ’ ରୁମ୍‌ରେ ପ୍ରବେଶ କରିବାକୁ ଦୁଇ ସୁରକ୍ଷା କର୍ମୀଚାରୀ କହିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ଏକ ପିସ୍ତଲ ବାହାର କରି ଜଣେ ସୁରକ୍ଷା କର୍ମୀଚାରୀଙ୍କ ମୁଣ୍ଡରେ ରଖି ଦେଇଥିଲେ। ଏହା ପରେ ସେମାନେ ସୁରକ୍ଷା କର୍ମଚାରୀଙ୍କ ହାତରୁ ସେମାନଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ। ତା’ ସହିତ ସେମାନେ ଦୁଇ ସୁରକ୍ଷା କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

ଶୋ’ ରୁମ୍ କର୍ମଚାରୀଙ୍କୁ ଆକ୍ରମଣ

ଏହି ଶୋ’ ରୁମ୍‌ରେ କାମ କରୁଥିବା ରୋହିତ କୁମାର ମିଶ୍ର କହିଛନ୍ତି, ଲୁଟେରାମାନେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଣରେ ହାତ ଟେକି ଛିଡ଼ା ହେବାକୁ କହିଥିଲେ। ମୁଁ ଗୋଟିଏ ଜାଗାରେ ଲୁଚି ଯାଇଥିଲି। କିନ୍ତୁ ସେମାନେ ଜାଣିପାରିଲେ। ସେମାନେ ମୋତେ ସେଠାରୁ ବାହାର କଲେ ଓ ତା’ ସହିତ ମାଡ଼ ମାରିଲେ। ସେମାନେ ମୋ ଫୋନ୍ ମାଗିଥିଲେ। ମୁଁ ଫୋନ୍ ଲୁଚାଇ ଦେଇଥିଲି। ଫୋନ୍ ନାହିଁ ବୋଲି କହିବାରୁ ଜଣେ ଦୁର୍ବୃତ୍ତ ରାଗି ଯାଇଥିଲେ ମୋତେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଁ ସିଆଇଡି ହେବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ। ସେତେବେଳକୁ ମୁଁ ଓ ଶୋ’ ରୁମ୍‌ର ସମସ୍ତ କର୍ମଚାରୀ ଡରି ଯାଇଥିଲୁ। ଆମେ କ’ଣ କରିବୁ ଜାଣିପାରୁ ନଥିଲୁ।

Advertisment

ଅନ୍ୟ ଜଣେ କର୍ମଚାରୀ ସିମରନ କହିଛନ୍ତି ଯେ ଲୁଟେରାମାନେ ସେମାନଙ୍କୁ ବନ୍ଧୁକ ମୁନରେ ଗୋଟିଏ କୋଣରେ ଛିଡ଼ା କରି ଦେବା ପରେ ପରେ ସେ ପୁଲିସକୁ ଫୋନ୍ କରି ଦେଇଥିଲେ। ସେମାନେ ଆଶ୍ୱସ୍ତ ଥିଲେ ଯେ ପୁଲିସ ଘଟଣା ସଂପର୍କରେ ଜାଣିସାରିଛି। ତେବେ ସେମାନେ ପହଞ୍ଚିଲା ବେଳକୁ ଲୁଟେରାମାନେ ଗହଣା ନେଇ ଫେରାର ହୋଇସାରିଥିଲେ। ଲୁଟେରାମାନେ ମାତ୍ର ୧୭ ମିନିଟ୍ ମଧ୍ୟରେ ୨୫ କୋଟି ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଥିଲେ। ତା’ ମଧ୍ୟରେ ସୁନା ଚେନ୍‌, ହାର, ଚୁଡ଼ି ଓ ହୀରାର ଗହଣା ଥିଲା। ଗହଣା ସହିତ ସେମାନେ କିଛି ନଗଦ ଟଙ୍କା ମଧ୍ୟ ନେଇ ଯାଇଥିଲେ।

ଶୋ’ ରୁମ୍ ମ୍ୟାନେଜର କହିଛନ୍ତି, ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଲା। ଆମେ ପୁଲିସକୁ ଫୋନ୍ କରିଥିଲୁ। ପୁଲିସ ଆସିଲା, କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଖବର ପାଇଥିଲେ ହେଁ ପୁଲିସ ତତ୍ପରତା ଦେଖାଇ ନଥିଲା। ଲୁଟେରାଙ୍କ ଆକ୍ରମଣରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ସମୟରେ ଶୋ’ରୁ ମରେ ୨୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ।

କେମିତି ଧରାପଡ଼ିଲେ

ଏହି ଘଟଣା ପରେ ସହରର ସମସ୍ତ ପ୍ରବେଶ ପଥ ସହିତ ବିଭିନ୍ନ ସ୍ଥାନରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବାକୁ ପୁଲିସ ନିର୍ଦ୍ଦେଶ ଦେଇଥିଲା। ତା’ ସହିତ ସିସିଟିଭି ଫୁଟେଜରୁ ଲୁଟେରାମାନଙ୍କୁ ଚିହ୍ନଟ କରି ସେମାନଙ୍କ ଫଟୋକୁ ଜିଲ୍ଲାର ସମସ୍ତ ଥାନାକୁ ପଠାଇଥିଲା ପୁଲିସ। ଗତକାଲି ରାତିରେ ପୁଲିସର ଏକ ଟିମ୍ ସହରର ଏକ ସ୍ଥାନରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ତିନିଟି ବାଇକ୍‌ରେ ଯାଉଥିବା ୬ ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ କରିଥିଲା। ଅଟକିବା ପାଇଁ ସେମାନଙ୍କୁ କହିଥିଲା ପୁଲିସ। କିନ୍ତୁ ସେମାନେ ସେଠାରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ପୁଲିସ ଟିମ୍ ସେମାନଙ୍କ ପିଛା କରିଥିଲା। ସେହି ସମୟରେ ଲୁଟେରାମାନେ ଗୁଳି ଚଳାଇଥିଲେ। ଏହା ଦେଖି ପୁଲିସ ପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିଲା। ପୁଲିସ ଗୁଳିରେ ଦୁଇ ଜଣ ଲୁଟେରା ଆହତ ହୋଇଥିଲେ। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ପୁଲିସ କାବୁ କରି ଥିଲା ଓ ଡାକ୍ତରଖାନାକୁ ନେଇଯାଇଥିଲା। ସେମାନଙ୍କଠାରୁ ୨ଟି ପିସ୍ତଲ, ୧୦ଟି ଗୁଳି, ଗହଣା ଭର୍ତ୍ତି ଦୁଇଟି ବ୍ୟାଗ ଓ ଏକ ବାଇକ୍ ଜବତ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି।

ଲୁଟ୍‌କୁ ନେଇ ଜୋର ଧରିଲା ରାଜନୀତି

ଏହି ଘଟଣାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଚେତ ହୋଇ ପଡ଼ି ରହିଛନ୍ତି। ତେଣୁ ରାଜ୍ୟବାସୀ ନିଜ କଥା ନିଜେ ବୁଝନ୍ତୁ। ସେମାନେ ପ୍ରଶାସନଠାରୁ ବିଶେଷ କିଛି ଆଶା କରନ୍ତୁ ନାହିଁ। ଏହି ଘଟଣାର ଏକ ଭିଡିଓ ସେ ସୋଶାଲ ମିଡିଆରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଥାନା ଓ ଏସ୍‌ପିଙ୍କ ସରକାରୀ ଆବାସ ନିକଟରେ ଏହି ଘଟଣା ଘଟିଲା, କିନ୍ତୁ ପୁଲିସ କିଛି କରିପାରିଲାନି।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe