Advertisment

ଜଗନ୍ନାଥ ମହାପ୍ରଭୁ ଟ୍ରମ୍ପଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଦେଲେ: ଇସ୍କନ

ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିବା ବେଳେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ।

author-image
Niharika Rout
ଅଦ୍ୟତନ ହୋଇଛି
Donald Trump

Donald Trump

ସବୁ ବିଶ୍ୱ ନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ଲୀଲା ଖେଳ। ଗୋଟିଏ ପଟେ କାଳିଆ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆୟୋଜିତ ହେଉଥିବା ବେଳେ ଅନ୍ୟ ପଟେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାତ୍ର ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିବା ବେଳେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ। ଏହା ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।

Advertisment

୪୮ ବର୍ଷ ପୂର୍ବେ ଆମେରିକାରେ ପ୍ରଥମ ଥର ପ୍ରଭୁଙ୍କ ରଥ ଯାତ୍ରା ନିମନ୍ତେ ଡୋନାଲ୍ଡ ଟ୍ରମ୍ପ ସାହାଯ୍ୟର ହାତ ବଢ଼ାଇଥିଲେ। ଆଜି ଜଗନ୍ନାଥ ଟ୍ରମ୍ପଙ୍କୁ ବଞ୍ଚାଇ ଋଣମୁକ୍ତ ହୋଇଛନ୍ତି। ଏହା ଏକ ଚମତ୍କାରଠୁ କମ୍‌ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ।

ରାଧାରମଣ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ଜୁଲାଇ ୧୯୭୬ରେ ଇସ୍କନ ଭକ୍ତମାନଙ୍କ ଦ୍ୱାରା ପ୍ରଥମ କରି ନ୍ୟୁୟର୍କ ସହରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ବର ଆୟୋଜନ କରାଯାଇଥିଲା। ହେଲେ କାଠର ବିରାଟ ରଥ ନିର୍ମାଣ ପାଇଁ ଇସ୍କନ ଶ୍ରଦ୍ଧାଳୁଙ୍କୁ ଜାଗା ମିଳିନଥିଲା। ଯେଉଁଠିକୁ ଯାଇଥିଲେ ସେଠାରେ ଜାଗା ମାଲିକମାନେ ଜାଗା ଦେବାକୁ ମନା କରିଦେଇଥିଲେ।

Advertisment

ଫଳରେ ନ୍ୟୁୟର୍କରେ ରଥଯାତ୍ରା ନ ହୋଇପାରିବା ଆଶଙ୍କା ଜଗନ୍ନାଥ ଭକ୍ତଙ୍କୁ ଘାରିଥିଲା। ଏହି ସମୟରେ ପେନସିଲଭାନିଆ ରେଳ ପ୍ରାଙ୍ଗଣରେ ଏକ ବିରାଟ ସମ୍ପତ୍ତି ଟ୍ରମ୍ପ କିଣୁଥିବା ସୂଚନା ମିଳିଥିଲା। ଫଳରେ ସେମାନେ ମହାପ୍ରଭୁଙ୍କ ପ୍ରସାଦ ‌ସହ ରଥ ନିର୍ମାଣ ନିମନ୍ତେ ଏକ ଉପସ୍ଥାପନା ପତ୍ର ନେଇ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ କାର୍ଯ୍ୟାଳୟରେ ପ୍ରସାଦ ରଖି ଚାଲି ଯାଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଲୀଳାଖେଳା କିଛି ଅଲଗା ଥିଲା।

ତିନି ଦିନ ‌ପରେ ଟ୍ରମ୍ପଙ୍କ ସଚିବ ଫୋନ୍ କରି କହିଲେ ଯେ ‘ଟ୍ରମ୍ପ ତୁମ ଚିଠି ପଢ଼ିବା ପରେ, ତୁମେ ଦେଇଥିବା ପ୍ରସାଦ ପାଇଥିଲେ। ସଙ୍ଗେସଙ୍ଗେ  ରଥ ନିର୍ମାଣ ନିମନ୍ତେ ମାଗଣାରେ ଜାଗା ଦେବାକୁ ଅନୁମତି ପତ୍ରରେ ଦସ୍ତଖତ କରିଥିଲେ।  ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିଲା।

ଆଜି ଯେତେବେଳେ ସମଗ୍ର ବିଶ୍ୱ ୯ଦିନର ଜଗନ୍ନାଥ ରଥଯାତ୍ରା ପର୍ବ ପାଳନ କରୁଛି ସେତେବେଳେ ଟ୍ରମ୍ପଙ୍କ ଉପରେ ଗୁଳି ମାଡ଼ ହୋଇଥିଲେ ହେଁ ଗୁଳିଟି ତାଙ୍କର ବିଶେଷ କ୍ଷତି କରି ପାରିନି। ଏହାହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତକ୍ଷେପକୁ ଦର୍ଶାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ରାଧାରମଣ ଏହିପରି ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରିଥିବାବେଳେ ସୋଶାଲ ଜନଗନାଥଙ୍କୁ ନେଇ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ବହୁ ବିଦେଶୀ ନାଗରିକ, ଆମେରିକୀୟ ଜୟ ଜଗନ୍ନାଥ ଲେଖି ମହାପ୍ରଭୁଙ୍କ କୃପାକୁ ପ୍ରଶଂସା କରିଛନ୍ତି। 

ଗତ ଶନିବାର ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ସାମାନ୍ୟ ଆହତ ହୋଇଥିଲେ। ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। 

USA Donald Trump Iskcon Temple Firing