/odisha-reporter/media/media_files/2026/02/01/lpg-2026-02-01-10-52-18.jpg)
ଏଲପିଜି ସିଲିଣ୍ଡର
ପଡ଼ିଲା ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ। ସାରା ଭାରତରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ତାହା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ମାର୍ଚ୍ଚ ୭ ଅର୍ଥାତ୍ ଆଜି ଠାରୁ ନୂଆ ଦର ଲାଗୁ କରାଯାଇଛି।
୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର(LPG Cylinder)ର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜ୍ୟିକ ସିଲିଣ୍ଡର ଦର ୧୧୫ ଟଙ୍କା ବଢିଛି ।
ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି)ର ସୂଚନା ଅନୁଯାୟୀ, ଦିଲ୍ଲୀରେ ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟାନ୍ୟ ପ୍ରମୁଖ ସହରରେ ସମାନ ବୃଦ୍ଧି ରେକର୍ଡ କରାଯାଇଛି। ମୁମ୍ବାଇରେ ଏହାର ମୂଲ୍ୟ ୯୧୨.୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ କୋଲକାତାରେ ଏହାର ମୂଲ୍ୟ ଏବେ ୯୩୯ ଟଙ୍କା ହୋଇଛି। ଚେନ୍ନାଇରେ ଏହ ୯୨୮.୫୦ ଟଙ୍କା ହୋଇଛି।
ନିମ୍ନ ଆୟ ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ବାର୍ଷିକ ୧୨ ଥର ରିଫିଲ୍ ପାଇଁ ପ୍ରତି ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ମିଳିବ। ଏହି ଯୋଜନାରେ ବର୍ତ୍ତମାନ ସାରା ଦେଶରେ ୧୦ କୋଟିରୁ ଅଧିକ ପରିବାର ସାମିଲ ଅଛନ୍ତି।
ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ବାଣିଜ୍ୟିକ ଏଲପିଜି ସିଲିଣ୍ଡରଗୁଡ଼ିକର ଦରରେ ୧୧୫ ଟଙ୍କା ବୃଦ୍ଧି ଘଟିଛି।
ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧,୭୬୮.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହାର ମୂଲ୍ୟ ଏବେ ୧,୮୩୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ଏହି ମୂଲ୍ୟ ପ୍ରାୟ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨,୦୪୩.୫୦ ଟଙ୍କାରେ ପହଞ୍ଚିଛି।
ଚଳିତ ବର୍ଷ ବାଣିଜ୍ୟିକ ଏଲପିଜି ମୂଲ୍ୟ ଏକାଧିକ ବାର ବୃଦ୍ଧି ପାଇଛି। ମୋଟ ଉପରେ ଏପର୍ଯ୍ୟନ୍ତ ଏଥିରେ ୩୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।
ଗ୍ୟାସ୍ ଦର ବୃଦ୍ଧି ସତ୍ତ୍ୱେ, ଅଧିକାରୀମାନେ କହିଛନ୍ତି ଯେ ଭାରତରେ ରନ୍ଧନ ଗ୍ୟାସର ମୂଲ୍ୟ ଅନେକ ପଡ଼ୋଶୀ ଦେଶ ତୁଳନାରେ କମ୍ ରହିଛି।
ଘରୋଇ ଏଲପିଜି ସିଲିଣ୍ଡରର ଏହି ମୂଲ୍ୟ ବୃଦ୍ଧି ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଛି। ଏହା ପୂର୍ବରୁ 2025 ଏପ୍ରିଲରେ ଏହାର ଦର ବୃଦ୍ଧି କରାଯାଇଥିଲା। ସେତେବେଳେ ଘରୋଇ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା।
ସୂଚନାଯୋଗ୍ୟ, ସ୍ଥାନୀୟ ଟିକସ ଏବଂ ଭାଟ୍ ଉପରେ ନିର୍ଭର କରି ବିଭିନ୍ନ ରାଜ୍ୟରେ ଗ୍ୟାସ୍ ଦର ସାମାନ୍ୟ ଭିନ୍ନ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
