Advertisment

ଡ୍ରେନ୍‌ରୁ ବାହାରିଥିବା ବିଷାକ୍ତ ଗ୍ୟାସ ଯୋଗୁ ୧୧ ଜଣ ପ୍ରାଣ ହରାଇଥିବା ଆଶଙ୍କା

ଘଟଣା ସ୍ଥଳରେ ୫୦ ଜଣିଆ ଏନଡିଆରଏଫ ଟିମ ଏବେ ବି ଉପସ୍ଥିତ ରହିଛି। ସେମାନେ ଗ୍ୟାସ୍‌ ଲିକ ଓ ହଠାତ୍‌ ମୃତ୍ୟୁ ସମ୍ପର୍କରେ ସକାଳ ୭.୧୫ ମିନିଟରେ ଖବର ପାଇଥିଲେ।

GAS

GAS

Advertisment

ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ଗିୟାସପୁରା ଅଞ୍ଚଳରେ ରବିବାର ସକାଳେ ଘଟିଥିବା ଭୟଙ୍କର ଘଟଣା ପଛରେ ଡ୍ରେନରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ପ୍ରଥମେ କୁହାଯାଉଥିଲା ଯେ କୌଣସି ଫ୍ୟାକ୍ଟ୍ରୀରୁ ଗ୍ୟାସ ନିର୍ଗତ ହୋଇ ଏତେ ବଡ଼ ଘଟଣା ଘଟିଛି। କିନ୍ତୁ ଏବେ ଜଣାପଡ଼ିଛି ଯେ ନିକଟସ୍ଥ ଗୋଟିଏ ଡ୍ରେନ୍‌ରୁ କୌଣସି କାରଣ ବଶତଃ ବିଷାକ୍ତ ଗ୍ୟାସ୍‌ ବ୍ୟାପିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ମୃତାହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଓ ୧୩ ବର୍ଷର ଦୁଇ ଜଣ ପିଲା ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସୁଆ ରୋଡ୍‌ରେ ଥିବା ଗୋଟିଏ ଡ୍ରେନକୁ କିଛି କେମିକାଲ ଫିଙ୍ଗା ଯାଇଥିଲା। କେମିକାଲ ରିଆକ୍ସନ ଯୋଗୁ ସେଠାରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥିଲା। ବର୍ତ୍ତମାନ ଉକ୍ତ ଡ୍ରେନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଡ୍ରେନକୁ ବିଷାକ୍ତ ଜିନିଷ କିଏ ଫିଙ୍ଗିଥିଲା, ତା’କୁ ଧରିବା ପାଇଁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ସେହିପରି ଏହି ମାମଲାରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।

Advertisment

ଲୁଧିଆନା ଡେପୁଟି କମିଶନର ସୁରଭି ମଲିକ କହିଛନ୍ତି, ଘଟଣାର ତଦନ୍ତ ବର୍ତ୍ତମାନ ଚାଲୁ ରହିଛି। ତଦନ୍ତ ପରେ ଘଟଣା ପଛର କାରଣ ଜଣାପଡ଼ିଛି। ଆମେ ଏନଡିଆରଏଫର ରିପୋର୍ଟକୁ ଅପେକ୍ଷା କରିଛୁ। ସରକାର ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ସରକାର ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ସେ କହିଛନ୍ତି।

ଘଟଣା ସ୍ଥଳରେ ୫୦ ଜଣିଆ ଏନଡିଆରଏଫ ଟିମ ଏବେ ବି ଉପସ୍ଥିତ ରହିଛି। ସେମାନେ ଗ୍ୟାସ୍‌ ଲିକ ଓ ହଠାତ୍‌ ମୃତ୍ୟୁ ସମ୍ପର୍କରେ ସକାଳ ୭.୧୫ ମିନିଟରେ ଖବର ପାଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅନେକ ଲୋକ ଅଚେତ ହୋଇ ତଳେ ପଡ଼ି ରହିଥିଲେ।

ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏନ୍‌ଡିଆରଏଫ୍ ସେଠାରେ ତା’ର CBRN (Chemical, Biological, Radiological and Nuclear) ଟିମ୍‌କୁ ମୁତୟନ କରିଛି।

ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁଲିସ୍, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏନ୍‌ଡିଆରଏଫ ଟିମ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଲେଖିଛନ୍ତି। ତା’ସହିତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Punjab Gas Leak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe