ରୁଷ ଝିଅ ଓ ଟଙ୍କା ଅଫର ଗ୍ରହଣ ନ କରିବାରୁ ୨ ଜଣଙ୍କୁ ମିଳିଲା ଭୟଙ୍କର ନିର୍ଯାତନା

ରୁଷ ଓ ବେଲାରୁଷ ମଧ୍ୟରେ ଥିବା ଗୋଟିଏ ଜଙ୍ଗଲ ମଧ୍ୟରେ କ୍ୟାମ୍ପସ ଖୋଲି ସେମାନେ ଯୁବକମାନଙ୍କୁ ରୁଷ ସେନାରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି।

representational image

  • Published: Saturday, 30 March 2024
  • , Updated: 30 March 2024, 04:22 PM IST

ହରିଆଣାର ଦୁଇ ସମ୍ପର୍କୀୟ ଭାଇ ମୁକେଶ(୨୧) ଓ ସନ୍ନି(୨୪) ଦାବି କରିଛନ୍ତି ଯେ ଦକ୍ଷିଣ ଏସିଆର ୨୦୦ରୁ ଅଧିକ ଲୋକ ଚାକିରି ନାଁରେ ଠକେଇ କରୁଥିବା ଗୋଟିଏ ଏଜେଣ୍ଟ କବଳରେ ପଡ଼ିଛନ୍ତି।

ରୁଷ ଓ ବେଲାରୁଷ ମଧ୍ୟରେ ଥିବା ଗୋଟିଏ ଜଙ୍ଗଲ ମଧ୍ୟରେ କ୍ୟାମ୍ପସ ଖୋଲି ସେମାନେ ଯୁବକମାନଙ୍କୁ ରୁଷ ସେନାରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି। ଦୁଇ ସମ୍ପର୍କୀୟ ଭାଇଙ୍କୁ ପ୍ରଥମେ ଜର୍ମାନୀ ବଦଳରେ ବ୍ୟାଙ୍କକ ପଠାଇ ଦିଆଯାଇଥିଲା। ସେମାନଙ୍କୁ ସେଠାରେ ହୋଟେଲରେ ଚାକିରି ମିଳିବ ବୋଲି କୁହାଯାଇଥିଲା।

ବ୍ୟାଙ୍କକରୁ ସେମାନଙ୍କୁ ବିମାନରେ ବେଲାରୁଷ ନିଆଯାଇଥିଲା। ସେଠାରୁ ସେମାନେ ରୁଷରେ ପ୍ରବେଶ କରି ଜଙ୍ଗଲରେ ତିଆରି ହୋଇଥିବା କ୍ୟାମ୍ପକୁ ଯାଇଥିଲେ। ପ୍ରଥମେ ସେଠାରେ ଥିବା ଏଜେଣ୍ଟମାନେ ଦକ୍ଷିଣ ଏସିଆର ଲୋକମାନଙ୍କୁ ରୁଷ ଆର୍ମିରେ ସାମିଲ ହେବାକୁ ପ୍ରଲୋଭିତ କରିଥିଲେ। ଯଦି ସେମାନେ ରୁଷ ସେନାରେ ସାମିଲ ହେବେ, ତା’ହେଲେ ସେମାନଙ୍କୁ ରୁଷରେ କାମ କରିବାକୁ ଅନୁମତି, ରୁଷ ଝିଅ, ପ୍ରବଳ ଟଙ୍କା ଓ ରୁଷର ପାସପୋର୍ଟ ମଧ୍ୟ ମିଳିବ ବୋଲି ଅଫର ଦେଇଥିଲେ।

କିନ୍ତୁ ସେମାନଙ୍କ କଥାରେ ରାଜି ହେଉ ନଥିବା ଲୋକଙ୍କୁ ଭୟଙ୍କର ଢଙ୍ଗରେ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଦୁଇ ସମ୍ପର୍କୀୟ ଭାଇ ମୁକେଶ ଓ ସନ୍ନି ମଧ୍ୟ ନିର୍ଯାତନାର ଶିକାର ହୋଇଛନ୍ତି। ସେମାନଙ୍କ ଶରୀରରେ ଥିବା କ୍ଷତ ଚିହ୍ନକୁ ସେମାନେ ସମସ୍ତଙ୍କୁ ଦେଖାଇଛନ୍ତି।

ସେମାନେ କହିଛନ୍ତି ଯେ କ୍ୟାମ୍ପଗୁଡ଼ିକରେ ସେମାନଙ୍କୁ ଖାଇବାକୁ କିମ୍ବା ପାଣି ପିଇବାକୁ ଦିଆଯାଉ ନଥିଲା। ସେମାନଙ୍କୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ମିଳୁ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ସେମାନେ ରୁଷ ଆର୍ମିରେ ସାମିଲ ହୋଇ ୟୁକ୍ରେନ ବିରୋଧରେ ଲଢ଼ିପାରିବେ ନାହିଁ ବୋଲି କହିଥିଲେ ସେତେବେଳେ ସେମାନଙ୍କୁ ବେଆଇନ ଭାବେ ରୁଷରେ ପ୍ରବେଶ କରିଥିବା କଥା କହି ଜେଲରେ ଭର୍ତ୍ତି କରି ଦିଆଯାଇଥିଲା।

ମସ୍କୋର ଜଣେ ଓକିଲଙ୍କ ସହାୟତାରେ ଦୁଇ ସମ୍ପର୍କୀୟ ଭାଇ ଜେଲରୁ ବାହାରିବା ସହ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ରୁଷ ଓକିଲ ଜଣଙ୍କ ତାଙ୍କ କାମ ପାଇଁ ୬ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ସେ ଦୁଇ କର୍ଣ୍ଣାଲ ଭାଇଙ୍କୁ କହିଥିଲେ ଯେ ରୁଷ ସରକାର ହିଁ ବେଆଇନ ଢଙ୍ଗରେ ଇମିଗ୍ରେସନ ଏଜେଣ୍ଟ୍ସମାନଙ୍କୁ ରଖିଛନ୍ତି।

ଦୁଇ ଭାଇ ଆହୁରି କହିଛନ୍ତି, ଆମକୁ ୧୫ ଦିନ କାଳ ଉପାସରେ ରଖାଯାଇଥିଲା। ଅନ୍ୟ ଦେଶର ଯୁବକମାନଙ୍କୁ ଯଦି ଏଜେଣ୍ଟମାନେ ରୁଷ ସେନାରେ ସାମିଲ କରିବାକୁ ସକ୍ଷମ ହେବେ, ତା’ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ କମିସିନ ମିଳୁଥିଲା।

ପ୍ରକୃତରେ ଜର୍ମାନୀ ଯିବାକୁ ମୁକେଶ ଓ ସନ୍ନୀଙ୍କ ପରିବାର ଲୋକ ଯଥାକ୍ରମେ ୩୫ ଲକ୍ଷ ଏବଂ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ସେମାନେ ଠକାମୀରେ ପଡ଼ି ଭୟଙ୍କର ନିର୍ଯାତନାର ଶିକାର ହୋଇଛନ୍ତି।

ମୁକେଶ ତାଙ୍କ କ୍ଷତ ଚିହ୍ନ ଦେଖାଇ କହିଛନ୍ତି ଯେ “ଆମକୁ ନିର୍ଯାତନା ଦିଆଯାଇଥିଲା। ସେମାନେ କାଠକୁ ଜାଳି ଆମକୁ ଚେଙ୍କ ଦେଉଥିଲେ। ବରଫରେ ଶୁଆଉଥିଲେ। ଆମକୁ ବନ୍ଧୁକ ଓ ଛୁରୀ ଦେଖାଇ ଧମକ ବି ଦେଉଥିଲେ।”

ସନ୍ନିଙ୍କ ବାହୁରେ ଗୋଟିଏ ଛୁରୀ ମାଡ଼ର ଚିହ୍ନ ରହିଛି। ଏହାକୁ ଦେଖାଇ ସେ କହିଛନ୍ତି, “ଆମକୁ ୧୫ ଦିନ ଯାଏ ଖାଇବାକୁ ଦିଆଯାଇ ନଥିଲା। ଏବେ ବି ଆମ ଭଳି ୨୦୦ ପିଲା ସେଠାକାର ନର୍କରେ ପଡ଼ି ରହିଛନ୍ତି। ମୁଁ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଛି।

ସେମାନେ ସବୁ ପିଲାଙ୍କୁ ରୁଷ ଆର୍ମିରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି। ନଚେତ ସେମାନଙ୍କୁ ଜେଲ ପଠାଇ ଦେଇ ୧୦ ବର୍ଷର ଦଣ୍ଡ ଦିଆଯାଉଛି। ଯଦି କେହି ଆର୍ମିରେ ସାମିଲ ହେବେ, ତା’ହେଲେ ସେମାନଙ୍କୁ ମାସିକ ୨.୫ ଲକ୍ଷ ଟଙ୍କା ଓ ରୁଷ ପାସପୋର୍ଟ ମିଳିବ ବୋଲି ମଧ୍ୟ କୁହାଯାଉଛି।”

Related story